ଏମିତି ସାହି… କାହାର ବୟସ ୫୦ ଡେଉଁନି

ତିନିପିଲାଙ୍କ ସହ ବିନୋଦିନୀ ଏବେ ବେସାହାରା

ତାଳଚେର : ତାଳଚେର ପୌରାଞ୍ଚଳ ୱାର୍ଡ ନମ୍ବର ୯ ଅନ୍ତର୍ଗତ ମୋଚିସାହି‌େର ରହନ୍ତି ବିନୋଦିନୀ ମେହେର। ମଦ ଯୋଗୁଁ ଗତ ଦେଢ଼ ବର୍ଷ ମଧ୍ୟରେ ସ୍ୱାମୀ, ଶ୍ୱଶୁର ଓ ଶାଶୂଙ୍କୁ ହରାଇ ଏବେ ତିନି ଛୁଆ ସହିତ ସେ ବେସାହାରା। ମଦ ପିଇ ମୋଚିସାହିର ପ୍ରତାପଙ୍କ ପୂରା ପରିବାର ଶେଷ ହୋଇଯାଇଛି। ଗତ ଏକ ବର୍ଷ ମଧ୍ୟରେ ମୋଚିସାହିର ୯ ଜଣଙ୍କ ଜୀବନ ଚାଲିଯାଇଛି। ମଦ ଏହି ସାହିବାସିନ୍ଦାଙ୍କୁ ଏପରି କବଳିତ କରିଛି ଯେ, ଏଠାରେ ବୟସ ପଚାଶ ଟପିବା ମୁସ୍କିଲ ହୋଇପଡ଼ିଛି।

ତାଳ‌େଚର ପୌରାଞ୍ଚଳର କେନ୍ଦ୍ରସ୍ଥଳରେ ଅବସ୍ଥିତ ମୋଚିସାହିରେ ରହନ୍ତି ପ୍ରାୟ ୩୫ ପରିବାରର ପ୍ରାୟ ଦେଢ଼ଶହ ଲୋକ। ଜୋତା ମରାମତି ଆଉ ଦିନ ମଜୁରିଆ ଭାବେ ଅଧିକାଂଶ ପରିବାର ଗୁଜୁରାଣ ମେଣ୍ଟାଇଥାନ୍ତି। ମଦ୍ୟପାନରେ ପ୍ରାୟ ଲୋକ ଅଭ୍ୟସ୍ତ। ପରିବାର ମୁଖ୍ୟମାନଙ୍କ ସହିତ ଯୁବଗୋଷ୍ଠୀଙ୍କୁ ମଧ୍ୟ ମଦ କବଳିତ କରିଛି। ଦିନର ଆରମ୍ଭ ସକାଳୁ ହିଁ ଏଠାରେ ମଦ୍ୟପାନ ଆରମ୍ଭ ହୋଇଯାଇଥାଏ। ସାହିରେ ବୟସ୍କ ବ୍ୟକ୍ତି ପ୍ରାୟତଃ ଦେଖିବାକୁ ମିଳୁନାହାନ୍ତି। ବରିଷ୍ଠ ନାଗରିକ ବଳରାମ କୁଣ୍ଡୁ ଓ ସାମାଜିକ କର୍ମୀ ଜିତେନ୍ଦ୍ର ମହାପାତ୍ର ଏ ଅଂଚଳବାସୀଙ୍କୁ ମଦଠାରୁ ଦୂରରେ ରହିବାକୁ ବେଶ୍‌ କିଛି ବର୍ଷ ହେଲା ପରାମର୍ଶ ଦେଇ ଆସୁଛନ୍ତି। ଅତ୍ୟଧିକ ମଦ୍ୟପାନ ଯୋଗୁଁ ଏଠାକାର ବାସିନ୍ଦାଙ୍କ ବୟସସୀମା ପ୍ରାୟ ପଚାଶ ବର୍ଷକୁ ହ୍ରାସ ପାଇଛି ବୋଲି ଶ୍ରୀ ମହାପାତ୍ର ପ୍ରକାଶ କରିଛନ୍ତି। ମଦ ପୂରା ପରିବାରକୁ ଉଜାଡ଼ି ଦେଇଛି ବୋଲି ବିନୋଦିନୀ ମେହେର କୋହଭରା କଣ୍ଠରେ ପ୍ରକାଶ କରିଛନ୍ତି। ଚାରି ବର୍ଷ ପୂର୍ବେ ବିନୋଦିନୀ ସାହିର ସାଧୁ ମେହେରଙ୍କ ପୁଅ ଶିବାକୁ ବିବାହ କରି ବୋହୂ ହୋଇ ଆସିଥିଲେ। ମଦ୍ୟପାନ ‌େଯାଗୁଁ ଦେଢ଼ ବର୍ଷ ତଳେ ପ୍ରଥମେ ଶ୍ୱଶୁର ସାଧୁ ମେହେର(୪୯)ଙ୍କ ମୃତ୍ୟୁ ଘଟିଥିଲା। କିଛି ମାସ ପରେ ଶାଶୂ ମିନତିଙ୍କ ମଧ୍ୟ ମଦ୍ୟପାନ କାରଣରୁ ମୃତ୍ୟୁ ହୋଇଗଲା। କିଛି ଦିନ ତଳେ ସ୍ୱାମୀ ଶିବା(୩୦) ମଧ୍ୟ ଏହି ସମାନ କାରଣରୁ ଆରପାରିକୁ ଚାଲିଗଲେ। ସାହିର ଆଉ ଏକ ପରିବାରର ମୁଖିଆ ପ୍ରତାପ ମେହେର। କିଛି ବର୍ଷ ପୂର୍ବେ ମାତ୍ରାଧିକ ମଦ୍ୟପାନ ପ୍ରତାପଙ୍କ ଜୀବନ ନେଇଥିଲା। ଗତବର୍ଷ ପ୍ରତାପଙ୍କ ପତ୍ନୀ ନାଣ୍ଡିଙ୍କ ପରଲୋକ ହୋଇଗଲା। କିଛିଦିନ ପୂର୍ବେ ପରିବାର ଏକମାତ୍ର ସଦସ୍ୟା ପ୍ରତାପଙ୍କ ଝିଅ ସାଇଲି ମଧ୍ୟ ସମାନ କାରଣରୁ ଆଖି ବୁଜିଲେ। ଗତ ବର୍ଷକ ମଧ୍ୟରେ ସାହିର ହେମନ୍ତ ମେହେର(୪୦), ମିଟୁ ମେହେର(୨୫), ପଳଉ ମେହେର (୪୫), କବିତା ମେହେର(୩୦), ଶ୍ରୀମତୀ ମେହେର, ଶିବା ମେହେର, ମିନତି ମେହେର, ନାଣ୍ଡି ମେହେର ଓ ସାଇଲି ମେହେରଙ୍କ ସମେତ ମୋଟ ୯ ଜଣଙ୍କ ଜୀବନ ନେଇଛି ଏହି ମଦ। ମଦ୍ୟପାନରୁ ନିବୃତ୍ତ ରହିବାର ପରାମର୍ଶ ସାହିବାସିନ୍ଦାଙ୍କ ଉପରେ କୌଣସି ପ୍ରଭାବ ପକାଇପାରି ନାହିଁ। ମଦର ସହଜ ଉପଲବ୍‌ଧତା ଓ କମ୍ ପାଠପଢ଼ା ହିଁ ଅଧିକ ମଦ୍ୟପାନର କାରଣ ପାଲଟିଛି ବୋଲି ସାହିର ଶ୍ରୀ କୁଣ୍ଡୁ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର