କଣିହାଁ : କ୍ଷତିଗ୍ରସ୍ତଙ୍କୁ ନିଯୁକ୍ତି ନଦେଇ ମେସିନ ଲଗାଇ କାମକରୁଥିବା ଯୋଗୁଁ ଏମସିଏଲକୁ ଗ୍ରାମବାସୀଙ୍କ ବିରୋଧ, ଥାନାରେ ଅଭିଯୋଗ

କଣିହାଁ : କଣିହାଁ କୋଇଲାଖଣି ଦ୍ୱାରା କ୍ଷତିଗ୍ରସ୍ତ ପଥରମୁଣ୍ଡା ଗ୍ରାମବାସୀଙ୍କୁ ଏମସିଏଲ କର୍ତ୍ତୃପକ୍ଷ ନିଯୁକ୍ତି ନଦେଇ ଲୋକଙ୍କ ଜମିରେ ଜୋର ଜବରଦସ୍ତ ମେସିନ ଲଗାଇ ଆଜି ମାଟି ସମତଳ କରୁଥିବା ବେଳେ ଗ୍ରାମବାସୀମାନେ ତୀବ୍ର ବିରୋଧ କରିବା ସହ ଏ ନେଇ ଥାନାରେ ଅଭିଯୋଗ କରିଛନ୍ତି ।  ଖବର ପାଇ ଏନଟିପିସି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଜେସିବି ମେସିନ ଜବତ କରିବା ସହ ଅପରେଟରକୁ ଥାନାକୁ ଆଣି ଅଟକ ରଖିଥିବା ଜଣାପଡ଼ିଛି ।

ପଥରମୁଣ୍ଡା ଗ୍ରାମର ୩୦ କ୍ଷତିଗ୍ରସ୍ତ ପରିବାର ନିଯୁକ୍ତି ମିଳିନଥିବାରୁ ଗତ ଏକ ମାସେ ହେଲା ଆନ୍ଦୋଳନ ଜରିରଖିଛନ୍ତି । ଏନେଇ ଗତ ମାସ୧୯ ତାରିଖର ଦିନ ତାଳଚେର ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ଉପଜିଲ୍ଲାପାଳ ରଜନୀକାନ୍ତ ସ୍ବାଇଁଙ୍କ ଉପସ୍ଥିତିରେ କ୍ଷତିଗ୍ରସ୍ତ ପ୍ରଜାସଂଘ ,ପୋଲିସ ପ୍ରଶାସନ, ଏମସିଏଲ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଏକ  ବୈଠକ ବସିଥିଲା। ମାତ୍ର ଏହି ବୈଠକରେ କୋଣସି ସମାଧାନର ରାସ୍ତା ବାହାରି ପାରିନଥିଲା।

ଆନ୍ଦୋଳନକାରୀମାନଙ୍କ ଜମିରେ ଏମସିଏଲ କର୍ତ୍ତୃପକ୍ଷ ଏହାର କୋଣସି ସମାଧାନ ନହେବା ପର୍ଯ୍ୟନ୍ତ ଏମସିଏଲ କାର୍ଯ୍ୟ ଆରମ୍ଭ କରି ପାରିବ ନାହିଁ ବୋଲି ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। କିଛିଦିନ ପୂର୍ବରୁ ଏମସିଏଲ କର୍ତ୍ତୃପକ୍ଷ ମେସିନ ଲଗାଇ କାମକରୁଥିବା ବେଳେ ଗ୍ରାମବାସୀ ମାନେ ଏହାକୁ ବିରୋଧ କରିଥିଲେ । ସ୍ଥାନୀୟ ପୋଲିସ ହସ୍ତକ୍ଷେପ କରିବାପରେ ମେସିନକୁ ହଟାଇ ନେଇଯାଇଥିଲେ। ଆଜି ସକାଳ ୧୧ଟା ବେଳେ ପଥରମୁଣ୍ଡା ଗ୍ରାମର ଜୟନ୍ତୀ ସାହୁ,ସଂଯୁକ୍ତା ସାହୁ,ସୁଲୋଚନା ସାହୁ, ଜ୍ୟୋତ୍ସ୍ନା ରାଣୀ ସାହୁ ସମେତ ୧୧ ଜଣକ ଜମିରେ ଏମସିଏଲ କର୍ତ୍ତୃପକ୍ଷ ମେସିନ ଲଗାଇ ଜମି ସମତଳ କରୁଥିବାରୁ ଆନ୍ଦୋଳନକାରୀ ମହିଳାମାନେ ଏହାକୁ ବିରୋଧ କରିବା ସହ ଥାନାରେ ଅଭିଯୋଗ କରିଛନ୍ତି। ଏନଟିପିସି ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ଜଣାପଡିଛି ।

ସମ୍ବନ୍ଧିତ ଖବର