ବାଲିବୋ:୨୪ ମାଙ୍କଡ଼ା ପଥର ଖଣିରେ ମାଫିଆରାଜ୍। ଭୁବନ ବ୍ଲକ ବାଲିବୋ ଓ ଅଁଳାଝରି ଇଲାକାରେ ମାତିଛନ୍ତି ମାଫିଆ। ‘ସମ୍ବାଦ’ରେ ଏ ସମ୍ପର୍କିତ ଖବର ତୁହାକୁ ତୁହା ପ୍ରକାଶ ପାଇବା ପରେ ବନ ବିଭାଗ ଟେଣ୍ଟ୍ ବାନ୍ଧି ଜଗିବା ଆରମ୍ଭ କରିଥିଲା। ଆଜି ବନ ବିଭାଗର ଏବଂ ରାଜସ୍ବ ବିଭାଗର ଟିମ୍ ଘଟଣାସ୍ଥଳ ପରିଦର୍ଶନ କରି ତନାଘନା ଆରମ୍ଭ କରିଛନ୍ତି। ବାସ୍ତବରେ ମାଙ୍କଡ଼ା ପଥର ଖୋଳା ଚାଲିଥିବା ଏ ଜମି କାହାର? ସେଥିରୁ ରାଜସ୍ବ ବିଭାଗର କେତେ ଏବଂ ବନ ବିଭାଗର କେତେ ସେନେଇ ମ୍ୟାପ୍ ନେଇ ତର୍ଜମା ହେବା ପରେ ଖୋଦ୍ ତହସିଲଦାର ଏ ଜମିର ମାପଚୁପ କରିବା ପାଇଁ କହିଥିବା ଜଣାପଡ଼ିଛି।
ଉଲ୍ଲେଖଯୋଗ୍ୟ, ବାଲିବୋ ଏବଂ ଅଁଳାଝରି ଇଲାକାରେ ଗତ କିଛି ଦିନ ହେଲା ଧୁମ୍ ଖୋଳା ଚାଲିଛି ମାଙ୍କଡ଼ା ପଥର। ମାଫିଆଙ୍କ ଉପରେ ଅଙ୍କୁଶ ଲଗାଇବାକୁ ରାଜସ୍ବ ବିଭାଗର ଜୁ’ ନାହିଁ। ଖୋଦ୍ ସ୍ଥାନୀୟ ରାଜସ୍ବ ନିରୀକ୍ଷକ ମାଫିଆଙ୍କ ଆଗରେ ନିଜର ଅସହାୟତା ଏବଂ ଭୟ ଦେଖାଇବା ପରେ ଏକଥା ପଦାକୁ ଆସିଥିଲା। ଏମିତିକି, ଭୁବନ ତହସିଲଦାର ମଧ୍ୟ ସେହି ଖଣିରେ ୧୪୪ଧାରା ଲଗାଇବେ କହି କଥାକୁ ଟାଳି ଚାଲିଥିବା ବେଳେ ଢେଙ୍କାନାଳ ବନଖଣ୍ଡ ଅଧିକାରୀ ପ୍ରକାଶ ଚାନ୍ଦ୍ ଗୋଗିନେମୀ କଡ଼ା ପଦକ୍ଷେପ ନେଇଥିଲେ। ଯେହେତୁ, ବନ ବିଭାଗ ମ୍ୟାପରେ ଏହା ସଂରକ୍ଷିତ ଜଙ୍ଗଲ ଦେଖାଉଛି, ତେଣୁ ପଥର ଖନନ ନ କରିବାକୁ ଖଣି ଇଲାକାରେ ଫଳକ ଝୁଲାଇଥିଲେ ଏବଂ ଜମିର ମାପଚୁପ କରିବା ପାଇଁ ଭୁବନ ଫରେଷ୍ଟର ଜରିଆରେ ରାଜସ୍ବ ବିଭାଗକୁ ଚିଠି ଲେଖାଯାଇଥିଲା। କିନ୍ତୁ, ଜମି ପ୍ରକୃତରେ କାହାର ସେନେଇ ରାଜସ୍ବ ବିଭାଗ କୌଣସି ଉତ୍ତର ରଖିଲା ନାହିଁ। ତେଣୁ, ଖୋଦ୍ ଢେଙ୍କାନାଳ ଡିଏଫ୍ଓ ଏନେଇ କାମାକ୍ଷାନଗର ଉପଜିଲ୍ଲାପାଳଙ୍କୁ ସାନି ଚିଠି ଲେଖିଥିବା କୁହାଯାଉଛି। ଉପଜିଲ୍ଲାପାଳଙ୍କୁ ଚିଠି ପରେ ଆଜି ତହସିଲଦାର ପ୍ରଭାସ ବେଉରାଙ୍କ ନେତୃତ୍ବରେ ଅତିରିକ୍ତ ତହସିଲଦାର ମନୋଜ ମାଝି, ଆର୍ଆଇ ପ୍ରଣତି ଭୋିଇ ଏବଂ ଭୁବନ ରେଞ୍ଜର ଅନିତା ସେଠୀ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ପ୍ରକୃତରେ ଖଣି ଖନନ ହୋଇଥିବା ଜମି କାହାର ସେନେଇ ରାଜସ୍ବ ବିଭାଗ ମ୍ୟାପ୍ ସହାୟତାରେ ତଦନ୍ତ କରିଛି। ଖଣିର ମାପଚୁପ କରାଯିବ ବୋଲି ଭୁବନ ତହସିଲଦାର ଶ୍ରୀ ବେଉରା କହିଛନ୍ତି। ମାପଚୁପ ପରେ ହିଁ ଏ ଜମି କାହାର ତାହା ସ୍ପଷ୍ଟ ହେବ ବୋଲି କୁହାଯାଉଛି।
୨୪ଖଣିରେ ମାଫିଆ ରାଜ୍ ଘଟଣାର ତନାଘନା : ସଦଳବଳେ ଖଣି ଇଲାକା ତନଖିଲା ରାଜସ୍ବ ବିଭାଗ
/sambad/media/post_attachments/wp-content/uploads/2021/07/bux-banner.jpg)