ବଡ଼କେରା: ଅନୁଗୁଳ ବ୍ଳକ୍ ବଡକେରା ପଞ୍ଚାୟତ ବଡକେରା ଗାଁରେ ଘଟି ଯାଇଛି ଏକ ଅଭାବନୀୟ ଘଟଣା । ସୂଚନା ଅନୁଯାୟୀ ବଡ଼କେରା ଗାଁର ବାସୁଦେବ ସାହୁଙ୍କ ପୁଅ ରାହୁଲ ସାହୁ (୧୪ ) ଗତକାଲି ଘରୁ ବାହାରକୁ ଯାଉଥିଲେ। ହଠାତ୍ ଏକ ସାପ ଦେଖି ରାହୁଲ ଚିତ୍କାର କରି ଦୌଡ଼ି ପଳାଉଥିବା ବେଳେ ବିଦ୍ୟୁତ ବିଭାଗ ଦ୍ଵାରା ରାସ୍ତା କଡ଼ରେ ମୁକୁଳା ରଖାଯାଇଥିବା ବିଦ୍ୟୁତ୍ ଖୁଣ୍ଟ ତାଙ୍କ ଗୋଡ଼ ଉପରେ ଖସି ପଡ଼ିଥିଲା। ବିଦ୍ୟୁତ୍ ଖୁଣ୍ଟ ରାହୁଲଙ୍କ ଉପରେ ପଡ଼ିବାରୁ ସେ ଚିତ୍କାର କଲେ। ତାଙ୍କ ଚିତ୍କାର ଶୁଣି ଗାଁର ମହିଳାମାନେ ଧାଇଁ ଆସି ଶାବଳ ଲଗାଇ ରାହୁଲକୁ ବିଦ୍ୟୁତ୍ ଖୁଣ୍ଟ ଭିତରୁ ବାହାର କରିଥିଲେ। ଏହି ଖୁଣ୍ଟ ଗୋଡ଼ ଉପରେ ପଡ଼ିବା ଦ୍ୱାରା ତାଙ୍କ ବାମ ଗୋଡ଼ଟି ଚାରି ଖଣ୍ଡ ହୋଇ ଭାଙ୍ଗି ଯାଇଥିଲା।
ରାହୁଲଙ୍କ ବାପା ଜଣେ ଦିନ ମଜୁରିଆ ହୋଇଥିବାରୁ ତାଙ୍କ ପାଖରେ ପଇସା ନ ଥିବାରୁ ଗାଁରେ ଥିବା ଗ୍ରାମେଶ୍ୱରୀ, ସନ୍ତୋଷୀ ଓ ଖୁସି ମହିଳା ସଂଘର ସଦସ୍ୟାମାନେ ୧୦ ହଜାର ଟଙ୍କା ଯୋଗାଡ଼ କରି କଟକ ଅଶ୍ଵିନୀ ହସ୍ପିଟାଲକୁ ପଠାଇଥିଲେ। ଏପଟେ ବିଦ୍ୟୁତ ବିଭାଗ ପକ୍ଷରୁ କୌଣସି ପ୍ରକାର ସହାୟତା ରାଶି ମିଳି ନ ଥିଲା। ବିଦ୍ୟୁତ୍ ବିଭାଗ ରଖିଥିବା ଖୁଣ୍ଟଗୁଡ଼ିକ ମୁକୁଳା ରଖିଛି । ଯାହା ଫଳରେ ସାମାନ୍ୟ ଆଘାତ ପାଇଲେ ବିଦ୍ୟୁତ୍ ଖୁଣ୍ଟ ଲୋକଙ୍କ ଉପରେ ପଡ଼ୁଛି। ବିଦ୍ୟୁତ୍ ବିଭାଗ ତୁରନ୍ତ ଏହି ଖୁଣ୍ଟ ଗୁଡିକୁ ଏଠାରୁ ଉଠାଇବା ସହିତ ରାହୁଲର ଚିକିତ୍ସା ଖର୍ଚ୍ଚ ବହନ କରିବା ଦାବିରେ ଗାଁର ମହିଳାମାନେ ଆନ୍ଦୋଳନ ଚଳାଇଛନ୍ତି।
ବିଦୁତ୍ ବିଭାଗ ଷ୍ଟକି ୟାର୍ଡ କରିଥିବା ଜାଗା ହେଉଛି ଗ୍ରାମ ଗୋଚର, ଯାହାକୁ ବିଦ୍ୟୁତ୍ ବିଭାଗ ଜୋଜବରଦସ୍ତି ଷ୍ଟକି ୟାର୍ଡ କରିଥିବା ମହିଳାମାନେ ଅଭିଯୋଗ କରିଛନ୍ତି । ଏହାର ସମାଧାନ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସରସ୍ୱତୀ ଦେହୁରୀ, ସସ୍ମିତା ଦେହୁରୀ, ମମତା ଦେହୁରୀ, ସତ୍ୟଭାମା ଦଳେଇ, ମାମି ସାହୁ, ଶୁଭଦ୍ରା ସାହୁ, ସବିତା ସାହୁ, ମଞ୍ଜୁଲତା ଦଳେଇ, ସୁକାନ୍ତି ସାହୁ, ପୁନି ସାହୁ, ଜ୍ୟୋତି ସାହୁ ଓ ପାଲି ସାହୁ ପ୍ରମୁଖ ମହିଳା ସଂଘର ସଭ୍ୟାମାନେ ପ୍ରକାଶ କରିଛନ୍ତି ।