ପର୍ଜଙ୍ଗ: ପର୍ଜଙ୍ଗ ଥାନା ମେଣ୍ଢାପଦା ଗ୍ରାମର ଜଣେ ମହିଳା ଗତକାଲି ଅପରାହ୍ଣରେ ଗ୍ରାମ ନିକଟ କ୍ଷୁଦ୍ର ଜଳଭଣ୍ଡାରକୁ ଗାଧୋଇବାକୁ ଯାଇ ନିଖୋଜ ହୋଇଯାଇଥିଲେ। ଆଜି ଅପରାହ୍ଣରେ ତାଙ୍କ ମୃତଦେହ ଉକ୍ତ ଜଳଭଣ୍ଡାରରୁ ଉଦ୍ଧାର ହୋଇଛି।
ମିଳିଥିବା ସୂଚନା ଅନୁଯାୟର, ମେଣ୍ଢାପଦା ଗ୍ରାମର ନିତ୍ୟାନନ୍ଦ ସାହୁଙ୍କ ପତ୍ନୀ ଜସ୍ମିତା ସାହୁ (୪୦) ଗତକାଲି ଗାଁ ନିକଟରେ ଥିବା କ୍ଷୁଦ୍ର ଜଳଭଣ୍ଡାରକୁ ଗାଧୋଇବାକୁ ଯାଇଥିଲେ। ସେଠାରୁ ସେ ନ ଫେରିବାରୁ ପରିବାର ଲୋକ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କ ସନ୍ଧାନ ପାଇ ନଥିଲେ। ସ୍ତ୍ରୀଙ୍କ ନିଖେଜ ଖବର ପାଇ ଖଡଗପୁରଠାରେ ଏକ ଗୋଦାମରେ ମଜୁରି କାମ କରୁଥିବା ସତ୍ୟାନନ୍ଦ ସକାଳେ ପୁଲିସକୁ ଜଣାଇଥିଲେ।
ସାଆନ୍ଦା ଫାଣ୍ଡି ଅଧିକାରୀ ସୁରେଶ ମହାପାତ୍ରଙ୍କ ଉପସ୍ଥିତିରେ ପର୍ଜଙ୍ଗ ଅଗ୍ନିଶମ ସେବା ଦଳ ଉକ୍ତ ଜଳଭଣ୍ଡାରରୁ ଜସ୍ମିତାଙ୍କ ଶବ ଉଦ୍ଧାର କରିଥିଲେ। ଖବର ପାଇ କନ୍ଦରସିଂହା ସର୍କଲ ଆରଆଇ ଚନ୍ଦନ କୁମାର ଦାସ ସେଠାରେ ପହଞ୍ଚି ଘଟଣାର ଅନୁସନ୍ଧାନ କରି ଉଚ୍ଚ ଅଧିକାରୀଙ୍କ ରିପୋର୍ଟ ଦେଇଛନ୍ତି। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇଛି। ମୃତ ଜସ୍ମିତାଙ୍କ ଆଠ ବର୍ଷର ପୁଅ ଓ ୬ବର୍ଷର ଏକ ଝିଅ ଅଛି। ଦିନ ମଜୁରିଆ ଭାବେ କାମ କରୁଥିବା ନିତ୍ୟାନନ୍ଦକୁ ସରକାରୀ ସହାୟତା ଯୋଗାଇ ଦେବାକୁ ମେଣ୍ଢାପଦା ଗ୍ରାମବାସୀ ନିବେଦନ କରିଛନ୍ତି।