ଫେସ୍‌ବୁକରେ ମା’ଙ୍କ ଚରିତ୍ର ସଂହାର ପ୍ରସଙ୍ଗ:ଏତଲା ଦେଲେ ଯୁବତୀ

ଅନୁଗୁଳ: ଫେସ୍‌ବୁକ୍‌ରେ ମା’ଙ୍କ ଚରିତ୍ର ସଂହାର ପ୍ରସଙ୍ଗ ନୂଆ ମୋଡ଼ ନେଇଛି। ଭିଡିଓ ଅପ୍‌ଲୋଡ୍‌ କରିଥିବା ତଥା ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବତୀ ମେଡିକାଲ ବେଡ୍‌ରୁ ଡାକ ଯୋଗେ ଅନୁଗୁଳ ଥାନାକୁ ଏତଲା ପଠାଇଛନ୍ତି। ଏହି ଏତଲାକୁ ଆଧାର କରି ପୁଲିସ୍‌ ଏକ ମାମଲା ରୁଜୁ କରିଛି। ଏଣେ ଯୁବତୀ ମେଡିକାଲରୁ ଡିସ୍‌ଚାର୍ଜ ହୋଇଛନ୍ତି।
ଏତଲା ମୁତାବକ ଯୁବତୀଙ୍କ ଜେଜେବାପା, ଭାଇ ଓ ଭଉଣୀ ମିଶି ତାଙ୍କୁ ନିର୍ଯାତନା ଦିଅନ୍ତି । ଏମାନଙ୍କ ଭିତରୁ ମା’ ସବୁଠାରୁ ଅଧିକ ନିର୍ଯାତନା ଦିଅନ୍ତି। ୨୦୧୦ ମସିହାରୁ ତାଙ୍କ ବାପା ଆତ୍ମହତ୍ୟା କରିଛନ୍ତି। ତାଙ୍କ ମା’ଙ୍କର ଅନ୍ୟ ପୁରୁଷଙ୍କ ସହ ସମ୍ପର୍କ ଦେଖି ପ୍ରତ୍ୟେକ ଦିନ ଝଗଡା ହେବା ସହ ମା ବାପାଙ୍କୁ ବିଷ ପିଇ ମରିଯା ବୋଲି କହିବାରୁ ସେ ଆତ୍ମହତ୍ୟା କରିଛନ୍ତି। ତାଙ୍କ ମୃତ୍ୟୁ ପାଇଁ ସେ ତାଙ୍କ ମା’ଙ୍କୁ ଦାୟୀ କରିଛନ୍ତି। ୨୦୧୬ ମସିହାରେ ଏମାନେ ଏକତ୍ରିତ ହୋଇ ତାଙ୍କୁ ପିଟିବା ସହ ଘରୁ ବାହାର କରିଦେଇଥିଲେ। ଏଣୁ ସେ ଭୟଭୀତ ହୋଇ ସାଙ୍ଗ ଘରେ ଆଶ୍ରୟ ନେଇଥିବା ଏତଲାରେ ଦର୍ଶାଇଛନ୍ତି। ୧୦ ଦିନ ପରେ ଯେଉଁ ସାଙ୍ଗଙ୍କ ସହ ସେ ଆସିଥିଲେ ସେ ଆତ୍ମହତ୍ୟା କରିଥିଲେ। କିନ୍ତୁ ମୃତ ପୁରୁଷବନ୍ଧୁଙ୍କ ପରିବାର ତାଙ୍କୁ ଶାନ୍ତିରେ ରଖିଥିଲେ। ବିଭିନ୍ନ ସମୟରେ ସେ ତାଙ୍କ ଘରକୁ ଆସି ଶାନ୍ତିରେ ରହିବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ପ୍ରତିଥର ତାଙ୍କୁ ମାଡ଼ମାରି ତଡ଼ି ଦିଆଯାଇଥିଲା।

ଗତ ୧୧ତାରିଖ ଦିନ ଆସିଥିବା ବେଳେ ଭାଇ ମାଉଜର୍‌ରେ ଗୁଳି କରିଦେବାକୁ ଧମକ ଦେବା ସହ ବେକରୁ ଦେଢ଼ ଭରିର ସୁନା ଚେନ୍‌ ଟାଣି ନେଇଥିଲା। ନିଅାଁ ଲଗେଇ ମାରିବା ଯୋଜନା କରିଥିଲେ। କୌଣସି ଉପାୟ ନପାଇ ସୋସିଆଲ୍‌ ମିଡିଆରେ ଏକ ଭିଡିଓ କ୍ଲିପ୍‌ ଅପ୍‌ଲୋଡ୍‌ କରି ସାହାଯ୍ୟ ମାଗିଥିଲେ। ଏଥିରେ ୩ଜଣ ମନଗଢ଼ା କଥା କମେଣ୍ଟରେ ଲେଖିବାରୁ ସେ ମାନସିକସ୍ତରରେ ଦୁର୍ବଳ ହୋଇ ଆତ୍ମହତ୍ୟା ପାଇଁ ନିଷ୍ପତ୍ତି ନେଇଥିଲେ। ଏହି ୩ଜଣ ଭୁଲ ମନ୍ତବ୍ୟ ଦେଇ ତାଙ୍କୁ ମାରିବା ପାଇଁ ବାଧ୍ୟ କଲେ। ଅପା ଘର ନନ୍ଦିରାକୁ ଯିବା ବାଟରେ ସେ ଆତ୍ମହତ୍ୟା କରିବା ପାଇଁ ଅତ୍ୟଧିକ ଟାବ୍‌ଲେଟ୍‌ ଖାଇ ଦେଇଥିଲେ। ଆତ୍ମହତ୍ୟା କରିବାକୁ ବାଧ୍ୟ କରିବା ପଛରେ ସେ ୪ ପରିବାର ସଦସ୍ୟଙ୍କ ସମେତ ୭ ଜଣଙ୍କୁ ଦାୟୀ କରିଛନ୍ତି। ଏହାର ତଦନ୍ତ କରି ପୈତୃକ ଘରେ ରହିବା ପାଇଁ ସୁଯୋଗ ଦେବାକୁ ସେ ଅନୁରୋଧ କରିଛନ୍ତି। ଏ ନେଇ ମୁଖ୍ୟମନ୍ତ୍ରୀ, ପୁଲିସ ଡି.ଜି. ମାନବାଧିକାର କମିସନ, ମହିଳା କମିସନ, ଅନୁଗୁଳ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଲେଖିଛନ୍ତି।
ଗତ ୨୦୧୬ ଅପ୍ରେଲ ୧୨ ତାରିଖ ଦିନ ସମ୍ପୃକ୍ତ ଯୁବତୀ କେତେକ ଯୁବକଙ୍କ ସହାୟତାରେ ମା’, ଜେଜେ ଓ ଭାଇକୁ ମାଡ଼ ମାରିଥିବା ନେଇ ଅନୁଗୁଳ ଥାନାରେ ଏକ ମାମଲା ରହିଛି। ତାଙ୍କ ମା’ଙ୍କ ଅଭିଯୋଗ ମୁତାବକ, ଆମର ଇଚ୍ଛା ବିରୋଧରେ ସେ ବିବାହ କରିଥିଲା। ଏଣୁ ଆମେ କୌଣସି ସମ୍ପର୍କ ରଖିବା ପାଇଁ ମନା କରି ଦେଇଥିଲୁ। ସେ ମଧ୍ୟ ସମ୍ପର୍କ ରଖିବ ନାହିଁ ବୋଲି କହି ଚାଲି ଯାଇଥିଲା। ହେଲେ ୨୦୧୬ ଅପ୍ରେଲ ୧୨ ତାରିଖରେ ହଠାତ୍‌ ଆସି ୧୦ ଲକ୍ଷ ଟଙ୍କା ଦାବି କରିଥିଲା। ଆମେ ରାଜି ନ ହେବାରୁ ଆମକୁ ମାଡ଼ ମାରିଥିଲା।

ସମ୍ବନ୍ଧିତ ଖବର