ରାଜନୈତିକ ଶତ୍ରୁତାରୁ ଶୋଇଥିବା ଯୁବକକୁ ଟାଙ୍ଗିଆରେ ହତ୍ୟା: ଅଭିଯୁକ୍ତ ଗିରଫ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଜରପଡା ଥାନା ଦୁର୍ଗାପୁର ଗ୍ରାମରେ ରାଜନୈତିକ ଶତ୍ରୁତାରୁ ଜଣେ ଶୋଇଥିବା ଯୁବକଙ୍କୁ ଅତି ନୃଶଂସ ଭାବେ ପଡୋଶୀ ଯୁବକ ଟାଙ୍ଗିଆରେ ହାଣି ହତ୍ୟା କରିଛି। ରକ୍ତରଞ୍ଜିତ ଗାଁ ଦାଣ୍ଡ ପିଣ୍ଡିକୁ ଦେଖି ଗ୍ରାମବାସୀଙ୍କୁ ସ୍ତବ୍ଧ କରିଦେଇଛି। ରକ୍ତଭିଜା ଟାଙ୍ଗିଆ ଘରେ ରଖି ଫେରାର ହେଉଥିବା ବେଳେ ଜରପଡା ପୁଲିସ ବକଳା ଜଙ୍ଗଲରୁ ହତ୍ୟାକାରୀକୁ ଧରି ତଦନ୍ତ ଚଳାଇଛି।

ପୁଲିସ ସୂତ୍ରରୁ ପ୍ରକାଶ ଗତକାଲି ରାତିରେ ଗ୍ରାମରେ ଦଣ୍ଡନୃତ୍ୟ ଚାଲିଥିଲା। ଗ୍ରାମର ସାଗର ପ୍ରଧାନ(୪୨) ଘର ସମ୍ମୁଖ ରାସ୍ତାକୁ ଲାଗି ଜାମୁଗଛ ପିଣ୍ଡିରେ ଶୋଇଥିଲେ। ରାତି ପ୍ରାୟ ସାଢ଼େ ୪ ଟାରେ ଗୋବିନ୍ଦ ସାହୁ(୩୭) ନାମକ ପଡୋଶୀ ଯୁବକ ଟାଙ୍ଗିଆ ଧରି ପିଣ୍ଡି ନିକଟରେ ପହଞ୍ଚି ସାଗର ବେକରେ ଚୋଟ ପକେଇ ହତ୍ୟା କରିଥିଲା। ହତ୍ୟାକାଣ୍ଡ ପରେ ରକ୍ତଭିଜା ଟାଙ୍ଗିଆ ଘରେ ଥୋଇ ଗୋବିନ୍ଦ ଘଟଣାସ୍ଥଳରୁ ଫେରାର ହୋଇଥିଲା।

ପରିବାର ଲୋକଙ୍କ ଠାରୁ ଖବରପାଇ ପୁଲିସ ଘଟଣାସ୍ଥଳରୁ ଫେରାର ହତ୍ୟାକାରୀ ଗୋବିନ୍ଦର ପିଛାକରି ୩ ଘଣ୍ଟା ପରେ ବକଳା ଜଙ୍ଗଲରୁ ଉଦ୍ଧାର କରିଛି। ଗୋବିନ୍ଦକୁ ଥାନାରେ ଅଟକ ରଖି ପୋଲିସ ଘଟଣାର ଛାନଭିନ ଚଳେଇଛି। ଉଭୟଙ୍କ ମଧ୍ୟରେ ଗତ ପଞ୍ଚାୟତ ନିର୍ବାଚନରୁ ରାଜନୈତିକ ଶତ୍ରୁତା ରହିଥିଲା। ସାଗର କଂଗ୍ରେସ ସମର୍ଥିତ ଥିବାବେଳେ ଗୋବିନ୍ଦ ବିଜେଡି ସମର୍ଥିତ ଥିଲେ। ନିର୍ବାଚନ ଦିନ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ବଚସା ପୋଲିସ ପର୍ଯ୍ୟନ୍ତ କଥା ଯାଇଥିଲା। ସେହିଦିନଠାରୁ ଉଭୟଙ୍କ ମଧ୍ୟରେ ରାଜନୈତିକ ଶତ୍ରୁତା ରହିଥିଲା। ସୁଯୋଗ ଅପେକ୍ଷାରେ ଥିବା ଗୋବିନ୍ଦ ଦଣ୍ଡନୃତ୍ୟ ଓ ଗାଁ ଦାଣ୍ଡ ପିଣ୍ଡିରେ ସାଗର ଶୋଇଥିବା ଦେଖି ହତ୍ୟାକାଣ୍ଡ ଭିଆଇଥିଲା। ହତ୍ୟାକାଣ୍ଡ ପାଇଁ କିଛି ଅସାମାଜିକ ବ୍ୟକ୍ତି ଉସୁକାଇଥିବା ନେଇ ଗ୍ରାମବାସୀମାନଙ୍କର ସନ୍ଦେହ ରହିଛି।

ସମ୍ବନ୍ଧିତ ଖବର