ସାମାନ୍ୟ କଥାକୁ ନେଇ ଯୁବକଙ୍କୁ ହତ୍ୟା: ଅଭିଯୁକ୍ତ ଅଟକ

ଛେଣ୍ଡିପଦା: ସାମାନ୍ୟ କଥାକୁ ନେଇ ଜଣେ ଯୁବକ ତାଙ୍କ ସହଯୋଗୀଙ୍କୁ ରାସ୍ତାରେ ଗୋଡେଇ ଗୋଡେଇ ହାଣିଛନ୍ତି। ଅଧରାତିରେ ଅତି ନୃଶଂସ ଭାବେ ତା’କୁ ଗାଁ ଦାଣ୍ଡରେ ହତ୍ୟା କରି ଆତଙ୍କ ରଚାଇଛନ୍ତି। ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ପାତ୍ରପଡା ଗାଁରେ ମଙ୍ଗଳବାର ରାତିରେ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଥିଲାବେଳେ ପୁଲିସ ଅଭିଯୁକ୍ତକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁସାରେ, ପାତ୍ରପଡା ଗ୍ରାମର ଗଡଭିତରସାହିର ପୀତବାସ ସାହୁ(୩୦) ସେହି ଗ୍ରାମର ଜଣେ ଅପରାଧୀ ଜିତେନ୍ଦ୍ର ସାହୁ(୩୨)ଙ୍କ ଘନିଷ୍ଠ ସହଯୋଗୀ ଭାବେ ଦୀର୍ଘ ଦିନ ହେଲା କାମ କରି ଆସୁଥିଲେ। ଜିତେନ୍ଦ୍ରଙ୍କ ନାମରେ ଆଗରୁ ଅନେକ ମାମଲା ରହିଥିଲାବେଳେ ପୀତବାସ ତାଙ୍କୁ ସାହାଯ୍ୟ କରୁଥିଲେ। କିନ୍ତୁ ସେମାନଙ୍କର ଆଉ ଜଣେ ସହଯୋଗୀଙ୍କ ବିବାହକୁ କେନ୍ଦ୍ର କରି ସେମାନଙ୍କ ଭିତରେ ବିବାଦ ଆରମ୍ଭ ହୋଇଥିଲା। ଗତ ରଥଯାତ୍ରା ଦିନ ଆଠମଲ୍ଲିକ ଅଞ୍ଚଳରୁ ଜଣେ ନାବାଳିକାଙ୍କ ସାହିତ ସେମାନଙ୍କ ଜଣେ ସହଯୋଗୀର ବିବାହ ଯୋଜନା କରିଥିଲେ। କୌଣସି କାରଣରୁ ବିବାହ ହୋଇପାରିନଥିଲା। ବିବାହ ପାଇଁ ନିଆଯାଇଥିବା ଶାଢ଼ୀ ଦୋକାନୀକୁ ଫେରେଇବା ପାଇଁ ଖୋଜିବା ବେଳକୁ ଶାଢ଼ୀ ମିଳିନଥିଲା।

ଶାଢ଼ୀକୁ ନେଇ ଗତକାଲି ସକାଳେ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏପରିକି ଦୁହେଁ ହାତାହାତି ହୋଇଥିଲେ। ଏହାକୁ ନେଇ ଗତକାଲି ସନ୍ଧ୍ୟାରେ ଜିତେନ୍ଦ୍ର ରାଗି ପୀତବାସଙ୍କ ଘରକୁ ଯାଇ ଆଜବେଷ୍ଟସ, ଚୁଲି ଭଙ୍ଗାରୁଜା ସହିତ ପାଣିପମ୍ପ ଫୋପାଡ଼ି ଦେଇଥିଲେ। ସେତେବେଳେ ପୀତବାସ ଘରେ ନ ଥିଲେ। ସେ ଘରକୁ ଫେରି ଏ କଥା ଜାଣିବା ପରେ ରାଗି ପାଚି ଲାଲ ହୋଇ ଯାଇଥିଲେ। ଜିତେନ୍ଦ୍ରଙ୍କୁ ରାସ୍ତାରୁ ହଟାଇବା ପାଇଁ ନିଷ୍ପତ୍ତି ନେଇ ଘରୁ ଟାଙ୍ଗିଆ ନେଇ ବାହାରିଥିଲେ। ସେତେବେଳକୁ ଜିତେନ୍ଦ୍ର ଘରପାଖ ହିଙ୍ଗୁଳା ମନ୍ଦିର ନିକଟରେ କିଛି ଲୋକଙ୍କ ସହ କଥା ହେଉଥିଲାବେଳେ ପୀତବାସ ପହଂଚି ଟାଙ୍ଗିଆରେ ତାଙ୍କୁ ଆକ୍ରମଣ କରିଥିଲେ। ଆତ୍ମରକ୍ଷା ପାଇଁ ଜିତେନ୍ଦ୍ର ୩ଟି ଘରକୁ ଦୌଡ଼ି ଲୁଚିବାକୁ ଚେଷ୍ଟା କରିଥିଲେ। କିନ୍ତୁ ପୀତବାସ ଅତି ନିର୍ମମ ଭାବେ ଗୋଡେଇ ଗୋଡେଇ ତାଙ୍କୁ ହାଣି ରାସ୍ତାରେ ଗଡେଇ ଦେଇଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।

ରାତି ୧୨ଟାରେ ଭାରପ୍ରାପ୍ତ ଥାନା ଅଧିକାରୀ ଡିଏସପି ସୁଶାନ୍ତ କୁମାର ସିଂ, ଏସଡିପିଓ ଭବାନୀ ଶଙ୍କର ଉଦଗାତା, ବାଗେଡ଼ିଆ ଫାଣ୍ଡି ଅଧିକାରୀ ଆଶିଷ କୁମାର ଦାସ ଓ ଏସଆଇ ଅଜୟ କୁମାର ସାହୁଙ୍କ ସହିତ ଏକ ଟିମ୍ ଘଟଣାସ୍ଥଳରେ ପହଂଚି ଜିତେନ୍ଦ୍ରଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଜବତ ଜରିଥିଲେ। ଜିତେନ୍ଦ୍ରଙ୍କ ବାପା ଧରଣଧର ସାହୁ ଏଥିନେଇ ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ୩୩୦/୨୧ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତଙ୍କ ବିରୋଧରେ ଆଇପିସିର ୨୯୪/୩୦୨/୫୦୬/୩୪ ଅନୁଯାୟୀ ମାମଲା ହୋଇଛି। ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ ଚଳେଇବା ସହିତ ପୁଲିସ ହତ୍ୟାକାରୀ ପୀତବାସ ସମେତ ଆଉ କିଛି ସହଯୋଗୀଙ୍କୁ ଅଟକ ରଖି ପଚରାଉଚୁରା କରୁଛି।
ସୂଚନାଯୋଗ୍ୟ, ଗଞ୍ଜେଇ କାରବାର ଓ ଗାଁ ରାସ୍ତାରେ ଗୁଳି ଚାଳନା ଯୋଗୁଁ ଜିତେନ୍ଦ୍ରଙ୍କ ବାପା ଧରଣୀ ସାହୁଙ୍କ ଓ ପରିବାର ଅଞ୍ଚଳରେ ଚର୍ଚ୍ଚାରେ ଥିଲେ। ନିଜେ ଧରଣୀ ମଧ୍ୟ ଗୁଳିକାଣ୍ଡରେ ଗୁରୁତର ଆହତ ହୋଇଥିଲେ। ଅଢେଇ ବର୍ଷ ପୂର୍ବରୁ ଗାଁ ଦାଣ୍ଡରେ ତାଙ୍କୁ ନେଇ ସପକ୍ଷ ଓ ବିପକ୍ଷ ଗୋଷ୍ଠୀଙ୍କ ଭିତରେ ଫାଙ୍କା ଗୁଳିଚାଳନା ହୋଇଥିଲା। ବିଭିନ୍ନ ଥାନାରେ ଧରଣୀଙ୍କ ନାମରେ ଏକାଧିକ ମାମଲା ରହିଛି।

ସମ୍ବନ୍ଧିତ ଖବର