ଛେଣ୍ଡିପଦା: ରାତି ଅଧରେ ଯୁବକଙ୍କୁ ଗୋଡେଇ ଗୋଡେଇ ହତ୍ୟା

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ପାତ୍ରପଡ଼ା ଗ୍ରାମରେ ଜଣେ ଯୁବକକୁ ଅନ୍ୟ ଜଣେ ଯୁବକ ଟାଙ୍ଗିଆରେ ଗୋଡେଇ ଗୋଡେଇ ହତ୍ୟା କରିଥିବା ଅଭିଯୋଗ ହୋଇଛି। ହତ୍ୟା ଘଟଣାରେ ପୁଲିସ ତିନି ଜଣଙ୍କୁ ଅଟକ ରଖି ପଚରା ଉଚରା ଚଳେଇଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ ଗ୍ରାମର ଧରଣୀ ଧଳଙ୍କ ପୁଅ ଜିତେନ୍ଦ୍ର(୨୮) ପୂର୍ବଶତ୍ରୁତାକୁ ନେଇ ଗତକାଲି ରାତି ୧୦ ଟାରେ ଗ୍ରାମର ପୀତବାସ ସାହୁ(୩୬)ଙ୍କ ଅନୁପସ୍ଥିତିରେ ଘରେ ପଶି ଗାଳିଗୁଲଜ କରିବା ସହିତ ତାଙ୍କ ଘର ଅଜବେଷ୍ଟସ, ଚୁଲି ଭଙ୍ଗାରୁଜା କରି ପାଣିପମ୍ପ କୂଅରେ ପକେଇ ଦେଇଥିଲେ। ରାତି ୧୨ଟାରେ ଜିତେନ୍ଦ୍ର ଗ୍ରାମର ଗଡଭିତରସାହି ହିଙ୍ଗୁଳା ମନ୍ଦିର ନିକଟରେ ତିନିଜଣ ସହଯୋଗୀଙ୍କ ସହିତ ଗଞ୍ଜେଇ ଟାଣୁଥିଲେ। ସେହି ସମୟରେ ଟାଙ୍ଗିଆ ଧରି ଗଞ୍ଜେଇ ଟାଣୁଥିବା ଜିତେନ୍ଦ୍ର ଓ ତାଙ୍କ ତିନି ସହଯୋଗୀଙ୍କୁ ପୀତବାସ ଆକ୍ରମଣ କରିଥିଲେ। ଆତ୍ମରକ୍ଷା ପାଇଁ ରକ୍ତ ଜୁଡୁବୁଡୁ ହୋଇ ତିନି ଜଣ ଘରକୁ ଦୌଡିଥିଲେ ମଧ୍ୟ ଉତ୍ତେଜିତ ପୀତବାସ ଜିତେନ୍ଦ୍ରଙ୍କୁ ଗୋଡେଇ ଗୋଡେଇ ହତ୍ୟା କରିଥିଲେ।

ଆକ୍ରମଣରେ ଜିତେନ୍ଦ୍ର ମୃତ୍ୟୁବରଣ କରିଥିଲେ। ଖବରପାଇ ଛେଣ୍ଡିପଦା ପୁଲିସ ରକ୍ତ ଜୁଡୁବୁଡୁ ମୃତଦେହ ଜବତ କରି ୩ ଜଣଙ୍କୁ ଅଟକ ରଖି ପଚରା ଉଚରା ଚଳେଇଛି।

ସୂଚନାଯୋଗ୍ୟ, ଗଞ୍ଜେଇ କାରବାର ଓ ଗାଁ ରାସ୍ତାରେ ଗୁଳି ଚାଳନା ଯୋଗୁ ଧରଣୀ ଧଳଙ୍କ ପରିବାର ଅଞ୍ଚଳରେ ଚର୍ଚ୍ଚିତ ଥିଲେ। ନିଜେ ଧରଣୀ ମଧ୍ୟ ଗୁଳିକାଣ୍ଡରେ ଗୁରୁତର ଆହତ ହୋଇଥିଲେ। ଅଢେଇ ବର୍ଷ ପୂର୍ବରୁ ଗାଁ ଦାଣ୍ଡରେ ତାଙ୍କୁ ନେଇ ସପକ୍ଷ ଓ ବିପକ୍ଷ ଗୋଷ୍ଠୀ ଫାଙ୍କା ଗୁଳିଚାଳନା ହୋଇଥିଲା। ଘଟଣାରେ ଥାନାରେ ଧରାଣୀଙ୍କ ନାମରେ ବିଭିନ୍ନ ଥାନାରେ ଏକାଧିକ ମାମଲା ମଧ୍ୟ ରହିଛି। ହତ୍ୟାକାଣ୍ଡର ସମ୍ପୃକ୍ତ ଅଭିଯୁକ୍ତ ପୀତବାସ ଫେରାର ଅଛି।

ସମ୍ବନ୍ଧିତ ଖବର