ବଅଁରପାଳ: ଅନୁଗୁଳଜିଲ୍ଲା ବଅଁରପାଳରେ ଗରିବ ନିରୀହ ଲୋକଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ବିଭିନ୍ନ ଯୋଜନା ପ୍ରଣୟନ କରାଯାଉଛି l ମାତ୍ର ପ୍ରକୃତ ହିତାଧିକାରୀ ଉକ୍ତ ଯୋଜନା ପାଇବାରୁ ବଞ୍ଚିତ ହେଉଥିବା ଦେଖିବାକୁ ମିଳିଛି। ଏହାର ଜ୍ଵଳନ୍ତ ଉଦାହରଣ ବଅଁରପାଳ ବ୍ଲକ୍ ତୁଳସୀପାଳ ପଞ୍ଚାୟତର ୧୩ ୱାର୍ଡ କଙ୍କିନୀଳ ସାହିରେ ଦେଖିବାକୁ ମିଳିଛି। ଗତ ଦୁଇଦିନ ଧରି ହୋଇଥିବା ଲଗାଣ ବର୍ଷାରେ ପ୍ରମିଳା ନାଏକଙ୍କ ବରଡ଼ା ଛପର ଝାଟିମାଟି ଘରଟି ବର୍ଷା ପାଣିରେ ଓଦା ହୋଇ ମାଟିକାନ୍ଥଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି l
ଯାହାକି ସେମାନେ ପିଣ୍ଡାରେ ଲୁଗା ଢାଙ୍କି ଆଶ୍ରୟ ନେଇ ଜୀବନ ବିତାଉଛନ୍ତି l ନୂଆହତା ରାଜସ୍ୱ ନିରୀକ୍ଷକ ଘର ପରିଦର୍ଶନ କରି ଫେରିଥିବାବେଳେ ପ୍ରମିଳାଙ୍କୁ ପଲିଥିନ ଖଣ୍ଡିଏ ମିଳିପାରି ନାହିଁ l ପ୍ରମିଳାଙ୍କ ବୟସ ୩୫ ଓ ସ୍ୱାମୀ ସୁଶୀଲ ନାଏକ ଜଣେ ଦିନ ମଜୁରିଆ ଭାବେ କାମ କରି ଘର ଚଳାନ୍ତି l ଘର ଖଣ୍ଡିଏ କରିବାକୁ ସାହସ ଜୁଟାଇ ପାରୁନାହାନ୍ତି ସୁଶୀଲ l ସରକାରଙ୍କ ପାଖରୁ କେବଳ ରାସନ ଚାଉଳ ମିଳିବା ଛଡା ଆଉ କୌଣସି ସୁବିଧା ମିଳୁନାହିଁ l ଘରେ ଗୋଟିଏ ପୁଅ ଓ ୩ ଜଣ ଝିଅ ସେହି ରୋଜଗାର ଚଳନ୍ତି l ନିଜ ନାମରେ ପଟ୍ଟା ଖଣ୍ଡିଏ ନାହିଁ | ସରକାରଙ୍କ ତରଫରୁ ଭୂମିହୀନଙ୍କୁ ପଟ୍ଟା ମିଳୁଥିବାବେଳେ ତାଙ୍କୁ ଆଜି ପର୍ଯ୍ୟନ୍ତ ପଟ୍ଟା ଖଣ୍ଡିଏ ମିଳିପାରି ନାହିଁ l ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରି ଘର ଖଣ୍ଡିଏ ଦେବା ପାଇଁ ପ୍ରମିଳା ନିବେଦନ କରିଛନ୍ତି l