ଅନୁଗୁଳ: ଲୋକେ ଜୀବନ ବଞ୍ଚାଇବା ପାଇଁ ଡାକ୍ତରଖାନାକୁ ଆସିଥାନ୍ତି। ହେଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଡାକ୍ତର ଓ କର୍ମଚାରୀଙ୍କ ଅବହେଳା ଯୋଗୁଁ ଡାକ୍ତରଖାନା ମୁଖ୍ୟ ଫାଟକ ସମ୍ମୁଖରେ ଦେଢ଼ ଘଣ୍ଟା ପର୍ଯ୍ୟନ୍ତ ଛଟପଟ ହୋଇ ଜଣେ ଜିଆର୍ଏସ୍ଙ୍କ ଜୀବନ ଚାଲିଯାଇଛି। ତେବେ ଡାକ୍ତରଖାନା କତ୍ତୃର୍ପକ୍ଷ ନିଜ ମୁଣ୍ଡରୁ ଦାୟିତ୍ବ ଖସାଇବା ପାଇଁ ଡାକ୍ତରଖାନା ଭର୍ତି ହୋଇଥିବା ବଅଁରପାଳ ବ୍ଲକ ତଳମୂଳ ପଞ୍ଚାୟତର ଗ୍ରାମ ରୋଜଗାର ସେବକ(ଜିଆରଏସ) ଜ୍ୟୋତିପ୍ରକାଶ ଦ୍ବିବେଦୀ(୫୦)ଙ୍କୁ ଅପରିଚିତ ଦର୍ଶାଇ ତାଙ୍କ ମୃତଦେହକୁ ଶବ ସଂରକ୍ଷଣ ଗୃହରେ ରଖି ଦେଇ ଅନୁଗୁଳ ଥାନାକୁ ସୂଚନା ଦେଇଛନ୍ତି। କେବଳ ସେତିକି ନୁହେଁ, ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସଂପର୍କିତ କାଗଜପତ୍ର ବି କୁଅାଡ଼େ ଗାଏବ କରି ଦିଆଯାଇଥିବା ଭଳି ସାଂଘାତିକ ଅଭିଯୋଗ ହସ୍ତଗତ ହୋଇଛି।
ବଅଁରପାଳ ବ୍ଲକ ତଳମୂଳ ଗାଁ ନିବାସୀ ଜ୍ୟୋତିପ୍ରକାଶ ଦ୍ବିବେଦୀ ହାତରେ ଘା’ ହୋଇଯାଇଥିଲା। ଜ୍ୟୋତିପ୍ରକାଶ ପିତାମାତାଙ୍କ ବହୁ ପୂର୍ବରୁ ହରାଇଥିବା ବେଳେ ତାଙ୍କ ପତ୍ନୀ ପିଲାଛୁଆକୁ ଧରି ଅନ୍ୟତ୍ର ରହୁଛନ୍ତି। ଗାଁରେ ଏକାକୀ ରହୁଥିବା ଜ୍ୟୋତିପ୍ରକାଶଙ୍କୁ କିଛିଦିନ ତଳେ ଜଣେ ସାମ୍ବାଦିକଙ୍କ ସହାୟତାରେ ସ୍ବେଚ୍ଛାସେବୀମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଇଥିଲେ। ତାଙ୍କୁ ସର୍ଜରୀ-ଅର୍ଥୋପେଡ଼ିକ୍ ବିଭାଗ ରଖି ଚିକିତ୍ସା କରାଯାଉଥିଲା। ଆଜି ସକାଳେ ଜ୍ୟୋତିପ୍ରକାଶ ଅଚାନକ ଡାକ୍ତରାଖାନାରୁ ଉଠି ଚାଲି ଆସିଥିଲେ। ଡାକ୍ତରଖାନା ପରିସରରେ ବୁଲାବୁଲି କରୁଥିଲେ। ସେ ନିଜ ଶଯ୍ୟାରେ ବହୁ ସମୟ ଧରି ନଥିଲେହେଁ ଏଥିପ୍ରତି ଡାକ୍ତରଖାନା କର୍ମଚାରୀଙ୍କ ନଜର ପଡ଼ିନଥିଲା। ପ୍ରାୟ ସାଢ଼େ ୧୨ଟା ବେଳେ ଡାକ୍ତରଖାନା ଗେଟ୍ ସମ୍ମୁଖରେ ଅଚାନକ ପଡ଼ି ଯାଇ ଛଟପଟ ହୋଇଥିଲେ। ଡାକ୍ତରଙ୍କଠାରୁ ଆରମ୍ଭ କରି କର୍ମଚାରୀମାନଙ୍କ ପର୍ଯ୍ୟନ୍ତ ସମସ୍ତେ ସେହି ବାଟ ଦେଇ ଯା’ଆସ କରୁଥିଲେହେଁ ତାଙ୍କ ପ୍ରତି କାହାରି ନଜର ପଡ଼ିନଥିଲା। ତେବେ ଜ୍ୟୋତିପ୍ରକାଶଙ୍କୁ ଏଭଳି ଅବସ୍ଥାରେ ଦେଖି ଦିନ ୧ଟା ପାଖାପାଖି କେତେକ ଲୋକ ଡାକ୍ତରଖାନା କର୍ମଚାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଡାକ୍ତରଖାନାର ଜଣେ ସଫେଇ କର୍ମଚାରୀ ଆସି ତାଙ୍କୁ ଦେଖି ଦେଇ ଚାଲି ଯାଇଗଲେ। ଘଟଣା ସଂକ୍ରାନ୍ତରେ ଖବର ପାଇ ସ୍ବେଚ୍ଛାସେବୀ ପ୍ରତାପ ମହାପାତ୍ର ଫୋନ୍ ଯୋଗେ ହସ୍ପିଟାଲ ମ୍ୟାନେଜରଙ୍କୁ ଜଣାଇବା ପରେ ତତ୍ପରତା ପ୍ରକାଶ ପାଇଥିଲା। ହେଲ୍ପଡେକ୍ସ କର୍ମଚାରୀମାନେ ତାଙ୍କୁ ଉଦ୍ଧାର କରି ପୁଣି ଡାକ୍ତରଖାନାକୁ ନେଇଥିଲେ। ହେଲେ ସେତେବେଳକୁ ଜ୍ୟୋତିପ୍ରକାଶଙ୍କର ଜୀବନ ଆଉ ନଥିଲା। ଡାକ୍ତରଖାନାର ଡାକ୍ତର ଓ କର୍ମଚାରୀଙ୍କ ଅବହେଳା ଓ ଦାୟିତ୍ବହୀନତା ଯୋଗୁଁ ଅକାରଣରେ ଜଣକ ଜୀବନ ଚାଲି ଯାଇଥିଲା। ତେବେ ଏହି ଘଟଣା ପରେ ଡାକ୍ତରଖାନାରୁ ଶଯ୍ୟା ଟିକେଟ୍ କୁଆଡ଼େ ଗାଏବ ହୋଇଯାଇଛି। ଜ୍ୟୋତିପ୍ରକାଶଙ୍କୁ ଜଣେ ଅପରିଚିତ ବ୍ୟକ୍ତିର ଆଖ୍ୟା ଦେବା ପାଇଁ ଯୋଜନାବଦ୍ଧ ଭାବେ ଏଭଳି କରାଯାଇଥିବା ଅଭିଯୋଗ ହୋଇଛି। ଅନୁଗୁଳ ଥାନାକୁ ଏହି ମର୍ମରେ ସୂଚନା ବି ଦିଆଯାଇଛି। ‘ଅପରାହଣ ପ୍ରାୟ ୧ଟା ୫୦ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଫାଟକ ସମ୍ମୁଖରେ ପଡ଼ିଥିବା ଜଣେ ଅପରିଚିତ ବ୍ୟକ୍ତିଙ୍କୁ ଡାକ୍ତରଖାନା କର୍ମଚାରୀ ଚିକିତ୍ସା ପାଇଁ ଅାଣିଥିଲେ। ତାଙ୍କ ମୃତଦେହକୁ ଶବ ସଂରକ୍ଷଣ ଗୃହରେ ରଖାଯାଇଛି। ଆପଣଙ୍କ ଅବଗତି ଓ ଆବଶ୍ୟକ ପଦକ୍ଷେପ ନିମନ୍ତେ ଏହି ସୂଚନା ଦିଆଯାଉଛି’ ବୋଲି ଯୁଗ୍ମ ନିର୍ଦ୍ଦେଶକ ଡାକ୍ତର ଏସ୍. ତ୍ରିପାଠୀ ଅନୁଗୁଳ ଥାନା ଅଧିକାରୀଙ୍କୁ ଦେଇଥିବା ପତ୍ରରେ ଉଲ୍ଲେଖ କରିଛନ୍ତି। ଏ ସଂକ୍ରାନ୍ତରେ ସିଡିଏମ୍ଓ ଡାକ୍ତର ଅମରେନ୍ଦ୍ରନାଥ ମହାନ୍ତିଙ୍କୁ ପଚାରିବାରୁ ସେ କହିଲେ, ଉକ୍ତ ରୋଗୀ ଆଜି ସକାଳୁ ଚିକତ୍ସାଳୟରୁ ଚାଲି ଯାଇଥିଲେ। ତାଙ୍କ ସମସ୍ତ ବିବିରଣୀ ମୋ ପାଖକୁ ଆସି ନାହିଁ। ଉକ୍ତ ଘଟଣାର ତଦନ୍ତ ଚାଲିଛି। ତଦନ୍ତ ସରିଲା ପରେ ସମସ୍ତ ତଥ୍ୟ ପ୍ରଦାନ କରାଯିବ ବୋଲି ଡାକ୍ତର ମହାନ୍ତି କହିଛନ୍ତି।
ମରିଗଲା ମାନବିକତା...:ଡାକ୍ତରଖାନା ସମ୍ମୁଖରେ ଛଟପଟ ହୋଇ ଚାଲିଗଲା ଜିଆରଏସ୍ଙ୍କ ଜୀବନ
/sambad/media/post_attachments/wp-content/uploads/2019/02/ang21.jpg)