କେରଳରେ ଓଡ଼ିଆ ଠିକାଦାରଙ୍କୁ ହତ୍ୟା

ପର୍ଜଙ୍ଗ/ତାଳଚେର : ସୁଦୂର କେରଳରେ ଓଡ଼ିଆ ଠିକାଦାରଙ୍କୁ କରାଯାଇଛି ନୃଶଂସ ହତ୍ୟା। ଆଉ କେହି ନୁହେଁ, ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ଅଞ୍ଚଳର ୫ଜଣ ଯୁବକ ଏହିି ବର୍ବରକାଣ୍ଡ ଘଟାଇ ଠିକାଦାରଙ୍କ ଘରୁ ୫ଲକ୍ଷ ଟଙ୍କା ଓ ୨୦ଭରି ସୁନା ଗହଣା ଲୁଟି ନେଇଛନ୍ତି। ଶୁକ୍ରବାର ରାତିରେ ପର୍ଜଙ୍ଗ ଓ ତାଳଚେର ଇଲାକାରେ କେରଳ ପୁଲିସର ଛାନ୍‌ଭିନ୍‌ ପରେ ଏକଥା ପଦାକୁ ଆସିଛି। ପର୍ଜଙ୍ଗ ଥାନା ସାନ୍ଦା ପଞ୍ଚାୟତର ଅଭିଯୁକ୍ତ ତୋଫାନ ପ୍ରଧାନ, ପ୍ରଶାନ୍ତ ସେଠୀ, ରାଜେଶ ବେହେରା ଓ ଜଟିଆ ଗାଁର ଗଣେଶ ନାଏକ ଗିରଫ ହୋଇଛନ୍ତି। ତାଳଚେର କୋର୍ଟରେ ଅଭିଯୁକ୍ତମାନଙ୍କୁ ହାଜିର୍‌ କରାଯିବା ପରେ କେରଳ ପୁଲିସ ସେମାନଙ୍କୁ ସାଥୀରେ ନେଇଯାଇଛି। ଅନ୍ୟ ଜଣେ ଅଭିଯୁକ୍ତ ଫେରାର୍‌ ଥିବା ଜଣାପଡ଼ିଛି।

ହତ୍ୟାର ଶିକାର ଠିକାଦାର ଜଣକ ହେଉଛନ୍ତି ପ୍ରଭାକର ଦାସ। ଘର କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଅଞ୍ଚଳରେ। ପ୍ରଭାକର କେରଳ ରାଜ୍ୟ କନ୍ନୁର ଜିଲ୍ଲା ବାଲିଆପାଟନମ୍‌ ଅଞ୍ଚଳରେ ସପରିବାର ରହୁଥିଲେ। ସେଠାରେ ସେ ଏକ ପ୍ଲାଏ ଉଡ଼୍‍ କମ୍ପାନିରେ ଠିକାଦାର ଭାବେ କାମ କରୁଥିଲେ। ଅଭିଯୁକ୍ତ ଯୁବକମାନେ କେରଳକୁ କାମ କରିବାକୁ ଯାଇଥିଲେ। ଗତ ୨୦ତାରିଖ ଦିନ ଅଭିଯୁକ୍ତମାନେ ପ୍ରଭାକରଙ୍କୁ ତାଙ୍କ ସ୍ତ୍ରୀ ସାମ୍ନାରେ ଭୁଜାଲିରେ ହାଣି ହତ୍ୟା କରିବା ପରେ ଘରୁ ଟଙ୍କା ଓ ସୁନାଗହଣା ନେଇ ଫେରାର୍‌ ହୋଇଯାଇଥିଲେ। ଛାନ୍‌ଭିନ୍‌ ପରେ କେରଳ ପୁଲିସ ଅଭିଯୁକ୍ତଙ୍କ ପତ୍ତା ପାଇଥିଲା।

ସମ୍ବନ୍ଧିତ ଖବର