କଣିହାଁ: କଣିହାଁ ବ୍ଲକ ସମଲ ଥାନା ବଲାଙ୍ଗି ଲେବୁଲକ୍ରସିଂ ନିକଟରେ ଆଜି ସକାଳେ ବଲାଙ୍ଗି ଗାଁ ପୁରୁଣାସାହିର କୌଶଲ୍ୟା ଭୋଇ ନାମକ ଜଣେ ବିଧବା ମହିଳା ( ୬୨) ଟ୍ରେନରେ କଟି ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି।
ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ ଆଜି ସକାଳ ପ୍ରାୟ ସାଢେ଼ ୭ଟା ବେଳେ କୌଶଲ୍ୟା ଭୋଇ ଗାଁ ନିକଟରେ ଥିବା ଏକ ପୋଖରୀକୁ ଶୌଚ ହେବାପାଇଁ ରେଳଲାଇନ ପାରହୋଇ ଯିବାବେଳେ ଏନଟିପିସିରୁ ତାଳଚେର ଅଞ୍ଚଳକୁ ଯାଉଥିବା ଏକ ରେଳଇଂଜିନ ତାଙ୍କୁ ଧକ୍କା ଦେଇଥିଲା।ଫଳରେ ମହିଳା ଜଣକ ରେଳଲାଇନ ଉପରେ ଖସିପଡିଥିଲେ। ମହିଳାଙ୍କ ବେକ ଉପରେ ଟ୍ରେନଟି ଚଢିଯିବାରୁ ତାଙ୍କର ମୁଣ୍ଡ ଗଣ୍ଡି ଅଲଗା ହୋଇଥିଲା।
ମୃତ୍ୟୁବରଣ କରିଥିବା ମହିଳାଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଆଜି ସକାଳ ସାଢେ ୭ଟାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଲୋକେ ରାସ୍ତା ଅବରୋଦ କରିବାରୁ ତାଳଚେରରୁ ଏନଟିପିସିକୁ ରେଳଯୋଗେ କୋଇଲା ପରିବହନରେ ବାଧାପ୍ରାପ୍ତ ହୋଇଥିଲା। ଖବରପାଇ ସ୍ଥାନୀୟ ବଲାଙ୍ଗି ଗ୍ରାମବାସୀ, ସ୍ଥାନୀୟ ହରିହରପୁର ପଞ୍ଚାୟତର ସରପଞ୍ଚ ବିଜୟ ପ୍ରଧାନ, କମରେଇ ପଂଚାୟତର ସରପଞ୍ଚ ଦୁଃଖ ବନ୍ଧୁ ଭୁତିଆ, ଏନଟିପିସି କର୍ତ୍ତୃପକ୍ଷ, ସମଲଥାନା ପୁଲିସ, ପାଲଲହଡ଼ା ବିଧାୟକଙ୍କ ପ୍ରତିନିଧି କୈଳାସ ଚନ୍ଦ୍ର ସାହୁ, ତାଳଚେର ବିଧାୟକଙ୍କ ପ୍ରତିନିଧି ସୁନିଲ ପ୍ରଧାନ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କ ପରିବାରକୁ କ୍ଷତିପୂରଣ ସମ୍ପର୍କରେ ଆଲୋଚନା କରିଥିଲେ। ପରେ ଏ ନେଇ ସମଲ ଥାନାରେ ଏକ ବୈଠକ ବସି ମୃତକ ପରିବାରକୁ ୩ ଲକ୍ଷ ୫୦ ହଜାର ଟଙ୍କା ଏନଟିପିସି ପକ୍ଷରୁ କ୍ଷତିପୂରଣ ଦେବାପାଇଁ ରାଜି ହୋଇଥିଲେ। ମୃତକଙ୍କ ଅନ୍ତେଷ୍ଠିକ୍ରିୟା ପାଇଁ ଆଜି ୩୦ହଜାର ଟଙ୍କା ଦିଆଯାଇଥିଲା ଵେଳେ ଅବଶିଷ୍ଟ ଟଙ୍କା ପରେ ଦିଆଯିବ ବୋଲି କୁହାଯିବା ପରେ ଶବ ବ୍ୟବଚ୍ଛେଦ ପାଇଁ ତାଳଚେର ଡାକ୍ତରଖାନାକୁ ପଠାଇ ଦିଆଯାଇଥିଲା।