ବନ୍ତଳା: ଅନୁଗୁଳ ବ୍ଲକ ବନ୍ତଳା ବନାଞ୍ଚଳ ପୋକତୁଙ୍ଗା ଗ୍ରାମରେ ହାତୀ ଆକ୍ରମଣରେ ଆଜି ଜଣେ ବୃଦ୍ଧ ଗୁରୁତର ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ପ୍ରଥମେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
ପ୍ରାପ୍ତ ସୂଚନା ଅନୁଯାୟୀ ବନ୍ତଳା ବନାଞ୍ଚଳ ଅନ୍ତର୍ଗତ ପୋକତୁଙ୍ଗା ଗ୍ରାମର ରାଖାଲ ପ୍ରଧାନ(୬୫) ଆଜି ସକାଳ ୬ଟା ବେଳେ ପ୍ରାତଃ ଭ୍ରମଣରେ ଶିବ ମନ୍ଦିର ଆଡ଼କୁ ଚାଲିଚାଲି ଯାଉଥିବା ବେଳେ ହାତୀ ହାବୁଡ଼ରେ ପଡ଼ିଥିଲେ। ଫଳରେ ହାତୀ ତାଙ୍କୁ ଆକ୍ରମଣ କରିଥିଲା। ସେ ଗୁରୁତର ଅବସ୍ଥାରେ ସେଠାରେ ପଡ଼ିଥିବା ବେଳେ ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରିଥିଲେ। ବନ ବିଭାଗର କର୍ମଚାରୀମାନେ ସେଠାରେ ପହଞ୍ଚି ଆମ୍ବୁଲାନ୍ସ ଯୋଗେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡ଼ିଛି।