ଇଟାରେ ଛେଚି ଛେଚି ବୃଦ୍ଧାଙ୍କୁ ହତ୍ୟା; ସନ୍ଦେହ ଘେରରେ ପରିବାରବର୍ଗ

ଅନୁଗୁଳ: ଅନୁଗୁଳ ଜିଲ୍ଲାର କଣିହା ବ୍ଲକ ଅନ୍ତର୍ଗତ ଗୁଣ୍ଡୁରି ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ଗ୍ରାମର ହେମଲତା ମିଶ୍ର ନାମ୍ନୀ ଜଣେ ୮୦ ବର୍ଷୀୟା ବୃଦ୍ଧାଙ୍କ ମୁଣ୍ଡରେ ଇଟାରେ ଛେଚି ଛେଚି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ବୃଦ୍ଧାଙ୍କ ମୃତଦେହ ଘର ସାମ୍ନାରେ ଥିବା ଏକ ବୁଣା ଖଟିଆ ଉପରେ ପଡ଼ି ରହିଥିବା ଦେଖିବାକୁ ମିଳିଥିଲା। ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏପରି ବର୍ବର କାଣ୍ଡ ବୃଦ୍ଧାଙ୍କ ନିଜ ଘର ଲୋକ କରିଛନ୍ତି ବୋଲି ପୁଲିସ୍‌ ସନ୍ଦେହ କରୁଛି। ମହିଳାଙ୍କ ମୁଣ୍ଡରେ ଛେଚା ଦାଗ ଓ ପାଖରେ ପଡ଼ିଥିବା ରକ୍ତ ଜର୍ଜରିତ ଇଟା ଦେଖିବା ପରେ ଏହି ହତ୍ୟା ସଂପର୍କରେ ପୁଲିସ୍‌ର ସନ୍ଦେହ ଆହୁରି ଦୃଢ଼ୀଭୂତ ହୋଇଛି। ବୃଦ୍ଧାଙ୍କ ଶରୀର ବ୍ୟବଚ୍ଛେଦ ପାଇଁ ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଛି।

ସେହିପରି ଜିଲ୍ଲାର ଛେଣ୍ଡିପଦାଠାରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇ ଭୟଙ୍କର ରୂପ ନେଇଛି। ଗ୍ରାମରେ ଏକ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ୍‌ ଆୟୋଜିତ ହୋଇଥିଲା। ଟୁର୍ଣ୍ଣାମେଣ୍ଟ୍‌ ସଂପର୍କିତ ସମସ୍ତ ଖର୍ଚ୍ଚବାର୍ଚ୍ଚ ହିସାବ ରଖୁଥିବା ଜଣେ ପିଲା ସହ ଆଉ ଜଣେ ପିଲାର ଯୁକ୍ତି ତର୍କ ଆରମ୍ଭ ହୋଇଥିଲା। କ୍ରମେ ଏହି ଯୁକ୍ତି ବଢ଼ିବାରୁ ଜଣେ ଅନ୍ୟ ଜଣକୁ ଭୁଜାଲୀ ଭୁଷି ଦେଇଥିବା ଅଭିଯୋଗ ହୋଇଛି। ପୀଡ଼ିତ ଏବେ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି।

ସମ୍ବନ୍ଧିତ ଖବର