ସୋସିଆଲ ମିଡିଆରେ କରୋନା ଭୂତାଣୁ ସଂକ୍ରମଣ ସଂକ୍ରାନ୍ତରେ ମିଥ୍ୟା ପ୍ରଚାର କରି ପୁଣି ଜଣେ ଗିରଫ

ଅନୁଗୁଳ : ସୋସିଆଲ ମିଡିଆରେ କରୋନା ଭୂତାଣୁ ସଂକ୍ରମଣ ସଂକ୍ରାନ୍ତରେ ମିଥ୍ୟା ପ୍ରଚାର କରି ଅନୁଗୁଳ ଜିଲ୍ଲାର ଆଉ ଜଣେ ବ୍ୟକ୍ତି ଗିରଫ ହୋଇଛନ୍ତିି। ଗିରଫ ବ୍ୟକ୍ତିଙ୍କ ନାମ ବିଜୟ କୁମାର ସୋନି(୫୨)। ତାଙ୍କ ଘର ଅନୁଗୁଳ ପୌର ପରିଷଦର ୬ ନମ୍ବର ୱାର୍ଡ ଅନ୍ତର୍ଗତ ଶଙ୍କର ସିନେମା ରୋଡ଼ରେ ବୋଲି ଜଣାପଡ଼ିଛି। ବିଜୟ ନିଜ ଫେସ୍‌ବୁକ୍‌ ଆକାଉଣ୍ଟରେ ‘ଅନୁଗୁଳ, ଓଡ଼ିଶା ମେ କରୋନା କା ଏକ ଔର ମରିଜ୍ ମିଲା’ ଲେଖି ମିଥ୍ୟା ପ୍ରଚାର କରୁଥିଲେ। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା। ଏ ସଂକ୍ରାନ୍ତରେ ସୂଚନା ପାଇ ଅନୁଗୁଳ ଆଦର୍ଶ ଥାନା ପୁଲିସ ବଜାର ଛକରୁ ବିଜୟକୁ ଗିରଫ କରିବା ସହିତ ତାଙ୍କ ମୋବାଇଲ ଫୋନ୍‌ ଜବତ କରିଥିଲା। ଆଇପିସିର ଧାରା ୧୫୩(ଏ), ୧୮୮/୫୦୪/୫୦୫(୧)(ବି)/୫୦୭ ଦଫାରେ ଗିରଫ କରି ଆଜି ତାଙ୍କୁ କୋର୍ଟଚାଲାଣ କରିଛନ୍ତି। ଗତ ୧୭ ତାରିଖ ଦିନ ଅନୁଗୁଳ ଜିଲ୍ଲା କଲିୟରି ଥାନା ପୁଲିସ ବିକ୍ରମପୁର ଥାନା ବଡ଼ସିଂଗଡ଼ା ଗାଁର ରିଙ୍କୁ କୁମାର ଓରଫ ଜୟକୃଷ୍ଣ ସାହୁ(୨୫)ଙ୍କୁ ନିଜ ଫେସ୍‌ବୁକ୍‌ ଆକାଉଣ୍ଟରେ ନୂଆହତା ଗାଁର ଜଣେ ଯୁବକଙ୍କ କରୋନା ଭୂତାଣୁ ସଂକ୍ରମଣରେ ନୂଆଦିଲ୍ଲୀରେ ମୃତ୍ୟୁ ଘଟିଥିବା ନେଇ ମିଥ୍ୟା ଖବର ପୋଷ୍ଟ କରି ଗିରଫ ହୋଇଥିଲେ।

ସମ୍ବନ୍ଧିତ ଖବର