ଚାଷୀଙ୍କ କୋଟିଏ ଟଙ୍କା ବାକି

ଅନୁଗୁଳ: ଚାଷୀ ନୁହେଁ, ମିଲର୍ସଙ୍କ ସ୍ବାର୍ଥକୁ ଅଧିକ ଗୁରୁତ୍ବ ଜଗୁଛି ଯୋଗାଣ ବିଭାଗ। ଚାଷୀ ନିଜ ‌କଷ୍ଟୋପାର୍ଜିତ ଧାନକୁ ବିକି ପ୍ରାପ୍ୟ ପାଇଁ ଚାତକ ପରି ଚାହିଁ ବସିଛି। ଅନୁଗୁଳ ଜିଲ୍ଲାର ଚାଷୀମାନେ କୋଟିଏରୁ ଅଧିକ ଟଙ୍କାର ଧାନ ବିକ୍ରି ବାବଦ ପ୍ରାପ୍ୟ ପାଇବା ବାକି ରହିଛି। ‌ହେଲେ ପ୍ରଶାସନ କିନ୍ତୁ ‌େବଫିକର ରହିଛି। ଚାଷୀଙ୍କୁ ହତାଶ କରି ଧାନର ଅଭାବୀ ବିକ୍ରି ସ୍ଥିତି ସୃଷ୍ଟି କରିବା ପାଇଁ ‌ପେକ୍ସ, ଯୋଗାଣ ବିଭାଗ ଆଉ ଆର୍ଏମ୍‌ସିର କେତେକ ଅସାଧୁ ଅଧିକାରୀ ମିଲର୍ସଙ୍କ ସହିତ ହାତ ମିଳାଇଥିବା ଅଭିଯୋଗ ହୋଇଛି।
ଅନୁଗୁଳ ଜିଲ୍ଲାରେ ୧୫ ତାରିଖ ସୁଦ୍ଧା ୨ ଲକ୍ଷ ୨୩ ହଜାର କୁଇଣ୍ଟାଲ ଧାନ କିଣାଯାଇଛି। ଯୋଗାଣ ବିଭାଗ ପକ୍ଷରୁ ଚା‌ଷୀମାନଙ୍କ ଧାନ ବିକ୍ରି ପ୍ରାପ୍ୟ ବାବଦକୁ ୪ କୋଟି ଟଙ୍କା ପ୍ରଦାନ କରିବା ପାଇଁ ସରକାରଙ୍କ ଚିଠି ଲେଖାଯାଇଥିଲା। ହେଲେ ଏଥିରୁ ପ୍ରାୟ ୩ କୋଟି ଟଙ୍କା ଆସିଛି। ୧ କୋଟିରୁ ଅଧିକ ଟଙ୍କା ଏପର୍ଯ୍ୟନ୍ତ ପ୍ରଦାନ କରାଯାଇ ନାହିଁ। ତେେବ ଯେତିକି ଟଙ୍କା ଆସିଛି, ସେ‌େତକ ବି ଚାଷୀମାନଙ୍କୁ ମିଳି ପାରି ନାହିଁ। ବିଭାଗୀୟ ଅବହେଳା ଯୋଗୁଁ ୬ ଜଣ ଚାଷୀଙ୍କୁ ଧାନ ବିକିବାର ବହୁଦିନ ପରେ ବି ସେମାନଙ୍କ ପ୍ରାପ୍ୟ ମିଳି ନାହିଁ। ଧାନ ବିକ୍ରି ପାଇଁ ପଂଜୀକରଣ ସମୟରେ ଚାଷୀମାନଙ୍କ ବ୍ୟାଙ୍କ ଆକାଉଣ୍ଟ ନମ୍ବର ନିଆଯାଇଥାଏ। ବ୍ୟାଙ୍କ ଆକାଉଣ୍ଟ ନମ୍ବର ଲିପିବଦ୍ଧ ସମୟରେ ତ୍ରୁଟି ଯୋଗୁଁ ଚାଷୀମାନଙ୍କୁ ଏହାର ପରିଣାମ ଭୋଗିବାକୁ ପଡ଼ୁଛି। ଚାଷୀ ଧାର କରଜ କରି ଚାଷ କାମ କରିଥାଏ । ସମବାୟ ବ୍ୟାଙ୍କ କିମ୍ବା ଅନ୍ୟ ବ୍ୟାଙ୍କରୁ ଦରକାର ମୁତାବକ ଋଣ ମିଳିପାରୁ ନଥିବାରୁ ବାଧ୍ୟ ହୋଇ ଚାଷୀ ହାତ ଉଧାରି କରୁଛି। କେବଳ ସେତିକି ନୁହେଁ, ନିଜ ପାରିବାରିକ ତଥା ସାମାଜିକ ଦାୟିତ୍ବବୋଧ ନିମନ୍ତେ ବି ଚାଷୀମାନଙ୍କୁ ଧାର କରଜ କରିବାକୁ ପଡ଼ିଥାଏ। ଧାନ ବିକିଲେ ସେ ଋଣ ପରିଶୋଧ କରିବା ସହିତ ପରିବାର ଖର୍ଚ୍ଚ ତୁଳାଇବା ପାଇଁ ମନରେ ଆଶା ବାନ୍ଧିଥାଏ। ସରକାର ଏଥର ୩ ଦିନ ମଧ୍ୟରେ ଚାଷୀମାନଙ୍କୁ ପ୍ରାପ୍ୟ ପ୍ରଦାନ ଉପରେ ଗୁରୁତ୍ବ ‌ଦେଇଛନ୍ତି। ମାତ୍ର ଏକ ସପ୍ତାହ ଅତିକ୍ରାନ୍ତ ହେବା ପରେ ବହୁ ଚାଷୀ ସେମାନଙ୍କ ପ୍ରାପ୍ୟ ପାଇନଥିବା ଅ‌ଭିଯୋଗ କରିଛନ୍ତି। ଅପରପକ୍ଷରେ ଜିଲ୍ଲାର କେତେକ ଅଂଚଳରେ ନିୟମିତ ମଣ୍ଡି ଖୋଲୁ ନାହିଁ।

ଚାଷୀମାନେ ମଣ୍ଡିରୁ ଧାନ ଫେରାଇ ନେଉଛନ୍ତି। ଧାନ ବିକିଲେ ବି ମଣ୍ଡରୁ ଦିନ ଦିନ ଧରି ଧାନ ଉଠୁନଥିବାରୁ ପ୍ରବଳ ଥଣ୍ଡା ସତ୍ତ୍ବେ ଚାଷୀମାନଙ୍କୁ ନିଜ ଧାନ ଜଗିବାକୁ ପଡ଼ୁଛି। ଉଦ୍ଦେଶ୍ୟମୂଳକ ଭାବେ ଏଭଳି ସ୍ଥିତି ସୃଷ୍ଟି କରାଯାଉଛି। ଚାଷୀମାନେ ହଇରାଣ ହେଲେ ଅଣ୍ଡରରେଟ୍‌ରେ ଧାନ ବିକିବାକୁ ବାଧ୍ୟ ହେବେ ବୋଲି ଏଭଳି ଷଡ଼ଯନ୍ତ୍ର କରାଯାଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ‌ଷଡ଼ଯନ୍ତ୍ରରେ ସେମାନେ ଅନେକ ଜାଗାରେ ସଫଳ ବି ହେଉଛନ୍ତି। ପେକ୍ସ, ଯୋଗାଣ ବିଭାଗ ଓ ଆର୍ଏମ୍‌ସିର ଅକୁଣ୍ଠ ସହଯୋଗ ଯୋଗୁଁ ଜିଲ୍ଲାରେ କଟ୍‌ନି ଛଟ୍‌ନି କରାଯିବା ସହ ଚାଷୀଙ୍କଠାରୁ ଲେବର ଚାର୍ଜ ନିଆଯିବା ସହ ସେମାନଙ୍କ ବସ୍ତା ବି ଫେରସ୍ତ କରାଯାଉ ନାହିଁ। ଯୋଗାଣ ବିଭାଗ ଏହା ବିରୋଧରେ କାର୍ଯ୍ୟାନୁ‌ଷ୍ଠାନ ନେବା ପରିବର୍ତ୍ତେ ଏଫ୍ଏକ୍ୟୁ ମାନର ଧାନ ଆସୁନଥିବାରୁ ମିଲର୍ସ କଟ୍‌ନି ଛଟ୍‌ନି କରିବାକୁ ବାଧ୍ୟ ହେଉଥିବା ଯୁକ୍ତି ବାଢ଼ୁଛି। ଏଭଳି ସ୍ଥିତି ଦେଖି ଚାଷୀମାନଙ୍କ ମନରେ ଅସନ୍ତୋ‌ଷ ଜମାଟ ବାନ୍ଧିବାରେ ଲାଗିଛି। ମଂଗଳବାର କି‌େଶାର ନଗର ବ୍ଲକ ଧଉରାପାଲି ସେବା ସମବାୟ ସମିତି ଅଂଚଳର ଚାଷୀମାନେ ଯୋଗାଣ ମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ଅନ୍ୟ ଅଂଚଳର ଚାଷୀମାନେ ମଧ୍ୟ ଆନ୍ଦୋଳନ ପାଇଁ ସଜବାଜ ହେଉଥିବା ଖବର ମିଳିଛି।

ସମ୍ବନ୍ଧିତ ଖବର