ବଅଁରପାଳ: ବଅଁରପାଳ ଥାନା ମହିଧରପୁର ଫାଣ୍ଡି ଅନ୍ତର୍ଗତ ଭଗାମୁଣ୍ଡା ପୋଲ ନିକଟରେ ଏକ ଓଆରଏସ ବୋଝେଇ ମିନିଟ୍ରକ ଓଲଟି ପଡ଼ିଥିବା ବେଳେ ଲୋକେ ଏହାକୁ ବୋହି ନେଇଛନ୍ତି। ଖବର ପାଇ ମହିଧରପୁର ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ତେବେ ଗାଡ଼ି ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଗାଡ଼ି ନମ୍ବର ଟ୍ରାକ କରି ପୁଲିସ ଗାଡ଼ି ମାଲିକ ସହ ଯୋଗାଯୋଗ କରିଛି।

Advertisment

ସେହିପରି ଓଲଟି ପଡ଼ିଥିବା ଗାଡ଼ିକୁ ଉଦ୍ଧାର କରିବା ପାଇଁ ପୁଲିସ କ୍ରେନ୍ ବ୍ୟବସ୍ଥା କରିଛି। ଖବର ନେବାରୁ ଜଣାପଡିଛି ଏହି ଗାଡ଼ି(ନଂ ଓଡ଼ି ୦୫ ବି.କେ ୦୬୪୩)ଟି  ଅନୁଗୁଳରୁ ମହିଧରପୁର ଅଭିମୁଖେ ବୁଧବାର ସକାଳ ୯ଟାରେ ଯାଉଥିଲା। ଗାଡ଼ି ଚାଳକ ଭାରସାମ୍ୟ ହରାଇବାରୁ ଗାଡ଼ିଟି ଫୁଲପଡାଠାରୁ ଦୁଇ କିଲୋମିଟର ଦୂର ଭଗାମୁଣ୍ଡା ପୋଲ ନିକଟରେ ଓଲଟି ପଡିଥିଲା। ଗାଡ଼ି ଓଲଟି ପଡ଼ିବାରୁ ଓଆରଏସ ବୋତଲ୍‌ ତଳେ ଖେଳେଇ ହୋଇ ପଡ଼ିଯାଇଥିଲା।

ଫଳରେ ରାସ୍ତାରେ ଯାଉଥିବା ଲୋକ ଏବଂ କେତେକ ମେଡିସିନ ରିପ୍ରେଜିଂଟିଭ ନିଜ ବ୍ୟାଗରେ ପେଟି ପେଟି ଓଆରଏସ  ବୋହି ନେଇଥିବା ଭାଇରାଲ୍‌ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି।

ସୂଚନା ଥାଉ କି, ଗତ ଦୁଇମାସ ତଳେ ହିନ୍ଦୋଳ ଉପଖଣ୍ଡ ଗୁଳେହି ପୋଲ ନିକଟରେ ଏକ ବିଅର୍ ଟ୍ରକ୍ ଓଲଟି ପଡ଼ିଥିଲା। ଲୋକେ ବିଅରକୁ ମଧ୍ୟ ବୋହି ନେଇଥିଲେ। ବୋହି ନେଇଥିବା ବିଅରକୁ ଗ୍ରାମରେ ଭୋଜିଭାତ କରି ପିଇଥିଲେ। ଏହି ରାସ୍ତାରେ ବିଭିନ୍ନ ସ୍ଥାନରେ ହମ୍ପସ୍‌ ନିର୍ମାଣର ଆବଶ୍ୟକତା ରହିଛି। ଯାହାଫଳରେ ଦୁର୍ଘଟଣା ନିୟନ୍ତ୍ରଣକୁ ଆସିପାରିବ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି।