ଅନୁଗୁଳ: ଖରିଫ ଧାନ ସଂଗ୍ରହ ଆରମ୍ଭରୁ ଅନୁଗୁଳ ଜିଲ୍ଲାରେ ଅବ୍ୟବସ୍ଥା ପରିଲକ୍ଷିତ ହୋଇଛି। ଏବେ କିନ୍ତୁ ଚମକାଇ ଦେଲା ଭଳି ତଥ୍ୟ ମିଳିଛି। ଗତ ବର୍ଷ ଖରିଫ ଋତୁରେ ସରକାର ଦେଇଥିବା ବେଳେ ଟାର୍ଗେଟ ପୂରଣ ହୋଇପାରିନଥିବା ବେଳେ ଚଳିତ ବର୍ଷ କିନ୍ତୁ ଢେର ଅଧିକ ଧାନ କିଣାଗଲାଣି। ଗତ ବର୍ଷ ସର୍ବମୋଟ ଯେତିକି ଧାନ କିଣାଯାଇଥିଲା, ଏପର୍ଯ୍ୟନ୍ତ ତା’ଠାରୁ ୧ ଲକ୍ଷ ୭୫ ହଜାର କୁଇଣ୍ଟାଲ ଧାନ ସଂଗ୍ରହ ହୋଇସାରିଲାଣି। ମଣ୍ଡି ବନ୍ଦ ହେବା ବେଳକୁ ଗତ ବର୍ଷ ତୁଳନାରେ ୩ ଲକ୍ଷ କୁଇଣ୍ଟାଲ ଅଧିକ ହୋଇଯିବ ବୋଲି ଆକଳନ କରାଯାଇଛି। ଗୋଟିଏ ପଟେ ଜିଲ୍ଲାରେ ଅନେକ ଅଂଚଳର ଚାଷୀ ଧାନର ଅଭାବୀ ବିକ୍ରିର ସମ୍ମୁଖୀନ ହେଉଥିବା ବେଳେ ଅନ୍ୟ ପକ୍ଷରେ କାଗଜପତ୍ରରେ ବି ଧାନ ସଂଗ୍ରହ ଚାଲିଥିବା ସନ୍ଦେହ ପ୍ରକାଶ ପାଇଛି।
ରାଜ୍ୟ ସରକାର ୨୦୧୮ ଖରିଫ ଋତୁରେ ଅନୁଗୁଳ ଜିଲ୍ଲାରେ ୫ ଲକ୍ଷ ୮୮ ହଜାର କୁଇଣ୍ଟାଲ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ। ହେଲେ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହୋଇପାରିନଥିଲା। ରାଜ୍ୟ ଯୋଗାଣ ନିଗମ ପେକ୍ସ ଜରିଆରେ ଅନୁଗୁଳ ଜିଲ୍ଲାରୁ ମାତ୍ର ୪ ଲକ୍ଷ ୮୮ ହଜାର କୁଇଣ୍ଟାଲ ଧାନ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲା। ଧାର୍ଯ୍ୟ ଲକ୍ଷ୍ୟଠାରୁ ୧ ଲକ୍ଷ କୁଇଣ୍ଟାଲ କମ୍ ଧାନ ସଂଗ୍ରହ ହୋଇଥିଲା। ଚଳିତ ବର୍ଷ କିନ୍ତୁ ଅନୁଗୁଳ ଜିଲ୍ଲାରୁ ୩ଟି ପର୍ଯ୍ୟାୟରେ ଧାର୍ଯ୍ୟ ଲକ୍ଷ ବୃଦ୍ଧି କରାଯାଇଛି। ସରକାରଙ୍କ ପକ୍ଷରୁ ୨୮ ହଜାର ୭୦୦ ମେଟ୍ରିକ ଟନ୍ ଚାଉଳ ସଂଗ୍ରହ ପାଇଁ ଟାର୍ଗେଟ ଦିଆଯାଇଥିଲା। ଧାନ ସଂଗ୍ରହ ଟାର୍ଗେଟ ପୂୂରଣ ହେବା ପରେ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ଅଧିକ ଟାର୍ଗେଟ ମଗାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ୨୦ ହଜାର ମେଟ୍ରିକ ଟନ୍ ଓ ଦ୍ବିତୀୟ ପର୍ଯ୍ୟାୟରେ ପୁଣି ୧୦ ହଜାର ମେଟ୍ରିକ୍ ଚାଉଳ କିଣିବା ପାଇଁ ସରକାରଙ୍କ ଅନୁମତି ଲୋଡ଼ାଯାଇଥିଲା। ଏଭଳି ୫୮ ହଜାର ୭୦୦ େମଟ୍ରିକ ଟନ୍ ଚାଉଳ ସଂଗ୍ରହ ଅର୍ଥାତ ୮ ଲକ୍ଷ ୬୦ ହଜାର କୁଇଣ୍ଟାଲ ଧାନ ସଂଗ୍ରହ ପାଇଁ ସରକାରଙ୍କଠାରୁ ଟାର୍ଗେଟ ଅଣାଯାଇଛି। ଏପର୍ଯ୍ୟନ୍ତ ୬ ଲକ୍ଷ ୬୩ ହଜାର କୁଇଣ୍ଟାଲ ଧାନ ସଂଗ୍ରହ ହୋଇସାରିଲାଣି। ଆସନ୍ତା ୨୮ ଫେବ୍ରୁଆରି ପର୍ଯ୍ୟନ୍ତ ଧାନ ସଂଗ୍ରହ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ତେବେ କେତେକ ମହଲରେ ଦାବିକୁ ଦୃଷ୍ଟିରେ ରଖି ଧାନ ସଂଗ୍ରହ ଅବଧି ପୁଣି ବଢ଼ାଯିବାର ଯଥେଷ୍ଟ ସମ୍ଭାବନା ରହିଥିବା ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି। ଧାନ ସଂଗ୍ରହ ବୃଦ୍ଧି ପାଇବା କାରଣ ସଂପର୍କରେ ପଚାରିବାରୁ ଜିଲ୍ଲା ଯୋଗାଣ ଅଧିକାରୀ କହନ୍ତି, ଗତ ବର୍ଷ ସରକାର ପରିବାର ସଦସ୍ୟ ସଂଖ୍ୟା ଅନୁଯାୟୀ ମୁଣ୍ଡ ପିଛା ୩ କୁଇଣ୍ଟାଲ ଲେଖାଏଁ କାଟି ଉତ୍ପାଦିତ ଧାନ ବିକ୍ରି କରିବା ନେଇ କଟକଣା ଲାଗୁ କରିଥିଲେ। ଚଳିତ ବର୍ଷ କିନ୍ତୁ ଏହି କଟକଣାକୁ ଉଠାଇ ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଏହା ବାଦ୍ ଗତ ବର୍ଷ ଅନୁଗୁଳ ଜିଲ୍ଲାରୁ ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଂଗକୁ ଧାନ ଚାଲାଣ ହେଉଥିଲା। ଚଳିତ ବର୍ଷ ଏଥିରେ ଅଂକୁଶ ଲାଗିଥିବାରୁ ଧାନ ସଂଗ୍ରହ ଅଧିକ ହେଉଛି ବୋଲି କହିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଚାଷୀ ପ୍ରଥମେ ନିଜ ପରିବାର ଚଳିବା ପାଇଁ ଆବଶ୍ୟକ ଚାଉଳ ନିମନ୍ତେ ଧାନ ସଂରକ୍ଷିତ ରଖିବା ପରେ ବଳକା ଧାନକୁ ବିକ୍ରି କରିଥାଏ। ଧାନ ବିକି ଋଣ ପରିଶୋଧ କରିବା ସହିତ ପରିବାରର ବିଭିନ୍ନ ଖର୍ଚ୍ଚ ତୁଳାଇବା ପାଇଁ ଅର୍ଥ ସଂଚୟ କରିଥାଏ। ସରକାର ଲଗାଇଥିବା କଟକଣା ଉଠାଇଛନ୍ତି ସତ, ଚାଷୀ କିନ୍ତୁ ନିଜ ପରିବାର ନିମନ୍ତେ ଆବଶ୍ୟକ ଚାଉଳ ପାଇଁ ଧାନ ରଖିବା ପରେ ହିଁ ବଳକା ଧାନ ବିକ୍ରି କରୁଛି। ଅପରପକ୍ଷରେ ଗତ ବର୍ଷ ଭଳି ଏଥର ମଧ୍ୟ ଜିଲ୍ଲାରେ ବେପାରୀମାନେ ସକ୍ରିୟ ରହିଛନ୍ତି। ମଣ୍ଡି/କ୍ରୟକେନ୍ଦ୍ରରେ ଭିତ୍ତିଭୂମିର ଅଭାବ ଥିବା ବେଳେ ପେକ୍ସକୁ ଆସିଲେ ଚାଷୀମାନେ ହଇରାଣ ହରକତ ହେଉଛନ୍ତି। ଧାର୍ଯ୍ୟ ତାରିଖ ଅନୁଯାୟୀ ଜିଲ୍ଲାର ଅନେକ ଧାନ କିଣାଯାଉନଥିବାରୁ ଚାଷୀମାନେ ବାଧ୍ୟ ହୋଇ ଫେରି ଯାଉଛନ୍ତି। ଏଭଳି ସ୍ଥିତିରେ କମ୍ ଟଙ୍କା ହେଉ ପଛେ ବେପାରୀମାନଙ୍କଠାରୁ ନଗଦ ଅର୍ଥ ନେଇ ଧାନ ବିକିବାକୁ ଉଚିତ ମଣୁଛନ୍ତି। ଆଠମଲ୍ଲିକ ବ୍ଲକ ମଇମୁରା ପଞ୍ଚାୟତ ଅନ୍ତର୍ଗତ ବିପ୍ରଡ଼ିହ, ତରଣ୍ଡା ଆଦି ଗ୍ରାମର ଚାଷୀମାନଙ୍କୁ ଧାନର ଅଭାବୀ ବିକ୍ରି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। କେନ୍ଦ୍ର ସରକାର ‘ଗ୍ରେଡ୍-ଏ’ ଧାନର ଏମ୍ଏସ୍ପି କୁଇଣ୍ଟାଲ ପ୍ରତି ୧୭୫୦ ଟଙ୍କା ଏବଂ ସାଧାରଣ ମାନର ଧାନ କୁଇଣ୍ଟାଲ ପ୍ରତି ୧୫୫୦ ଟଙ୍କା ଧାର୍ଯ୍ୟ କରିଛନ୍ତି। କିନ୍ତୁ ବିପ୍ରଡ଼ିହ, ତରଣ୍ଡା ଓ ଆଖପାଖ ଗ୍ରାମର ଚାଷୀମାନେ କୁଇଣ୍ଟାଲ ପ୍ରତି ୧୩୦୦ରୁ ୧୩୫୦ ଟଙ୍କା ଦରରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ଗାଁ ପାଖରେ କ୍ରୟକେନ୍ଦ୍ର/ମଣ୍ଡି ନଥିବାରୁ ଏଭଳି ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ୁଛି। ମଇମୁରା ପଞ୍ଚାୟତ ମୁଖ୍ୟାଳୟଠାରୁ ୧୫ କିଲୋମିଟର ଦୂରରେ ରହିଛି। ଠାକୁରଗଡ଼ ପେକ୍ସକୁ ଧାନ ଆଣିବାକୁ ହେଲେ ପ୍ରାୟ ୨୨ କିଲୋମିଟର ବାଟ ଆସିବାକୁ ପଡ଼ୁଛି। ଜିଲ୍ଲାର ଆଭ୍ୟନ୍ତରୀଣ ଅଂଚଳରେ ଥିବା ଏଭଳି ଅନେକ ଗାଁର ଚାଷୀମାନଙ୍କୁ ଏଭଳି ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ୁଛି।