ମଣ୍ଟୁ, ବ୍ରଜ ଓ ସୁଶାନ୍ତଙ୍କ ଉପରେ ଭରସା:ଝୁଲିଲା ପାଳଲହଡ଼ା, ଆଠମଲ୍ଲିକ ବିଧାନସଭା ଆସନ

ଆଜିଠୁ ନାମାଙ୍କନପତ୍ର ଦାଖଲ

ଅନୁଗୁଳ: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପୁଣି ଥରେ ଅନୁଗୁଳ ଜିଲ୍ଲାର ତିନି ବିଧାୟକଙ୍କ ଉପରେ ଭରସା କରିଛନ୍ତି। ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ(ମଣ୍ଟୁ), ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଓ ଛେଣ୍ଡିପଦା ବିଧାୟକ ସୁଶାନ୍ତ ପ୍ରଧାନଙ୍କୁ ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ବିଜେଡି ଟିକେଟ ଦେଇଛନ୍ତି। ଟିକେଟ ଘୋଷଣା ପରେ ଏହି ତିନି ବିଧାୟକଙ୍କ ସମର୍ଥକଙ୍କ ମଧ୍ୟରେ ବେଶ୍ ଉତ୍ସାହ ପ୍ରକାଶ ପାଇଛି। କେଉଁଠି ଆତସବାଜୀ ହୋଇଛି ତ ଆଉ କେଉଁଠି ମିଠା ବଣ୍ଟନ ସହ ବାଜାଗାଜା ସହିତ ନାଚଗୀତ କରାଯାଇଥିବା ଜଣାପଡ଼ିଛି। ତେ‌େବ ପାଳଲହଡ଼ା, ଆଠମଲ୍ଲିକ ବିଧାନସଭା ଆସନ ଉପରେ କୌଣସି ନିଷ୍ପତ୍ତି ହୋଇପାରି ନାହିଁ। ବିଜେଡିର ଦୁର୍ଗ କୁହାଯାଉଥିବା ଅନୁଗୁଳ ଜିଲ୍ଲାରେ ନିର୍ବାଚନ ପାଇଁ କଂଗ୍ରେସ ଓ ବିଜେପି ଆଗୁଆ ପ୍ରାର୍ଥୀ ଘୋଷଣା କରିଥିଲେ। କଂଗ୍ରେସ ଜିଲ୍ଲାର ୫ଟି ଯାକ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରି ଏ କ୍ଷେତ୍ରରେ ଅନ୍ୟ ଦୁଇ ପ୍ରମୁଖ ଦଳଠାରୁ ଆଗୁଆ ରହିଛି। ବିଜେପି ଜିଲ୍ଲାର ୪ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରି ସାରିିଥିବା ବେଳେ କେବଳ ଆଠମଲ୍ଲିକ ଆସନ ପାଇଁ ଟିକେଟ ବଣ୍ଟନ ବାକି ରହିଛି।
ଅନୁଗୁଳ ଜିଲ୍ଲାର ୫ଟି ଯାକ ବିଧାନସଭା କ୍ଷେତ୍ରରେ ବିଜେଡିର ବିଧାୟକ ରହିଛନ୍ତି। ଅନୁଗୁଳ ବିଧାନସଭା କ୍ଷେତ୍ରରୁ ହାଟ୍ରିକ ମାରିଥିବା ରଜନୀକାନ୍ତ ବିଜେଡିର ଜିଲ୍ଲା ସଭାପତି ଦାୟିତ୍ବ ମଧ୍ୟ ତୁଳାଉଛନ୍ତି। ୨୦୧୪ ବିଧାନସଭା ନିର୍ବାଚନରେ ଶ୍ରୀ ସିଂହଙ୍କ ଭୋଟ ହାର ପୂର୍ବ ନିର୍ବାଚନ ତୁଳନାରେ ହ୍ରାସ ପାଇଥିବାରୁ ତାଙ୍କ ବିରୋଧୀମାନେ ଏହାକୁ ପ୍ରସଂଗ କରିଥିଲେ। କିନ୍ତୁ ସେମାନଙ୍କ ସବୁ ଯୋଜନା ଫେଲ୍ ମାରିଛି। ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରାଙ୍କ ବିରୋଧରେ ମଧ୍ୟ କେତେକ ଗୋଷ୍ଠୀ ଲାଗି ଥିଲେ। ହେଲେ ସୁଶାନ୍ତଙ୍କ ବିରୋଧୀଙ୍କୁ ମଧ୍ୟ ନିରାଶ ହେବାକୁ ପଡ଼ିଛି। ତାଳଚେର ବିଧାୟକ ବ୍ରଜକି‌େଶାର ପ୍ରଧାନଙ୍କ ବିରୋଧୀଙ୍କୁ ବି ନିରାଶ ହେବାକୁ ପଡ଼ିଛି। ଆଠମଲ୍ଲିକ ବିଧାନସଭା ‌େକ୍ଷତ୍ରରେ ପୂର୍ବଭଳି ବିଜେଡିର ସ୍ଥିତି ସେତେଟା ଭଲ ନଥିବା କୁହାଯାଉଛି। କଟକ ମହାନଗର ନିଗମର ଅତିରିକ୍ତ କମିସନର ପଦରୁ ଇସ୍ତଫା ଦେଇ ବିଜେଡିରେ ଯୋଗ ଦେଇଥିବା ରମେଶ ଚନ୍ଦ୍ର ସାଏ ଲୋକଙ୍କ ନିକଟତର ହେବା ପାଇଁ ଜୋରଦାର ପ୍ରୟାସ ଚଳାଇଛନ୍ତି। ବିଧାୟକ ସଂଜୀବ ସାହୁ ବି ଟିକେଟ ପାଇଁ ଦୃଢ଼ ଆଶାବାଦୀ ରହିଛନ୍ତି। ଏଥର ସମ୍ବଲପୁର ସାଂସଦ ନଗେନ୍ଦ୍ର ପ୍ରଧାନଙ୍କ ଟିକେଟ କଟାଯାଇ ତାଙ୍କ ସ୍ଥାନରେ ନଳିନୀକାନ୍ତ ପ୍ରଧାନଙ୍କୁ ବିଜେଡି ପ୍ରାର୍ଥୀ ‌େଦଇଛି। ଏଭଳି ସ୍ଥିତିରେ ରମେଶ, ସଂଜୀବ ଓ ନଗେନ୍ଦ୍ରଙ୍କ ମଧ୍ୟରୁ କାହାକୁ ପ୍ରାର୍ଥୀ କରାଯିବ, ‌େସ ନେଇ ବିଜେଡି ନେତୃତ୍ବ ଦ୍ବନ୍ଦ୍ବରେ ରହିଛନ୍ତି। ସଂଜୀବଙ୍କୁ ଟିକେଟରୁ ବଂଚିତ କରାଗ‌େଲ ସେ ବିଜେପିରେ ଯୋଗଦାନ କରିପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ଅପରପକ୍ଷରେ ନଗେନ୍ଦ୍ରଙ୍କୁ ଢେଙ୍କାନାଳ ଲୋକସଭା ପାଇଁ ପ୍ରାର୍ଥୀ କରାଯାଇପାରେ ବୋଲି ମଧ୍ୟ ବିଜେଡି କର୍ମୀ ମହଲରେ ଆଲୋଚନା ହେଉଛି। ପାଳଲହଡ଼ା ହେଉଛି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଘରୋଇ ନିର୍ବାଚନମଣ୍ଡଳୀ। ତେଣୁ ବିଜେପିର ଅସନ୍ତୁଷ୍ଟ ନେତା ମୁକେଶ ପାଲଙ୍କୁ ବିଜେଡିରେ ସାମିଲ କରି ଧ‌ର୍ମେନ୍ଦ୍ରଙ୍କୁ ଝଟ୍‌କା ‌ଯୋଜନାରେ ବିଜେଡି ରହିଥିବା କୁହାଯାଉଛି। ଉ‌ଲ୍ଲେଖଯୋଗ୍ୟ କି ଆସନ୍ତା ୨୮ ତାରିଖରୁ ୪ ଏପ୍ରିଲ୍‌ ପର୍ଯ୍ୟନ୍ତ ନାମାଙ୍କନପତ୍ର ଦାଖଲ କରାଯିବ। ଆସନ୍ତା ୨୩ ଏପ୍ରିଲ୍‌ ଦିନ ମତଦାନ ହେବ।

ସମ୍ବନ୍ଧିତ ଖବର