ପାଲଲହଡ଼ା: ମୋଟର ସାଇକେଲ ଦୁର୍ଘଟଣାରେ ଆହତ ହୋଇ କଟକସ୍ଥିତ ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିବା ଯୁବକଙ୍କର ମୃତ୍ୟୁ ଘଟିବା ପରେ ପାଲଲହଡ଼ା ଥାନା ଆଇଆଇସି ଯୁବକଙ୍କୁ ଧକ୍କା ଦେଇଥିବା କାର୍‌ ଚାଳକଙ୍କ ନାମରେ ଏକ ମାମଲା ରୁଜୁ କରିଥିବା ସୂଚନା ରହିଛି।

Advertisment

ଅକ୍ଟୋବର ୨୮ ତାରିଖ ଦିନ ପାଲଲହଡ଼ା ବ୍ଲକ୍ ସଂଖମୁର୍ ଗାଁର ଭବାନୀ ଶଙ୍କର ମହାନ୍ତି (୨୫) ତାଙ୍କ ନିଜ ମୋଟରସାଇକେଲରେ ଖମାରରୁ ପାଲଲହଡ଼ା ଆସୁଥିବା ବେଳେ ପାଲଲହଡ଼ା ପଟୁ ଯାଉଥିବା ଏକ ଇଣ୍ଡିକା କାର୍ ଧକ୍କା ଦେଇଥିଲା। ପାଲଲହଡ଼ାଠାରୁ ୮ କିମି ଦୂର ଗୋଠ ଭୂଇଁ ଗାଁ ଛକ ଠାରେ ଧକ୍କା ଦେଇ କାର୍‌ଟି ତାଳଚେର ଆଡ଼କୁ ପଳାଇଥିଲା। ଫଳରେ ଭବାନୀ ଗୁରୁତର ଆହତ ହୋଇଥିଲେ।

ତାଙ୍କୁ ଉଦ୍ଧାର କରି ପ୍ରଥମେ ୧୦୮ ଆମ୍ବୁଲାନ୍ସ ଯୋଗେ ପାଲଲହଡ଼ା ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠା ଯାଇଥିଲା। ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଅନୁଗୁଳ ଏବଂ କଟକ ଡାକ୍ତରଖାନାକୁ ପଠାଯାଇଥିଲା। କଟକର ଏକ ଘରୋଇ ହସ୍ପିଟାଲରେ ସେ ଚିକିତ୍ସାଧୀନ ଥିବା ବେଳେ ସାତ ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା।