ପାଠକଙ୍କ ଅନୁଗୁଳ ଲିଙ୍କ୍‌ରୁ ବାହାରିଲାଣି ଦୁର୍ନୀତି ଚେର, ‘ସିଲଟ’ ଟଙ୍କା ଖାଇଛନ୍ତି ପାଠକ !

ଅନୁଗୁଳ: ଆଇଏଫ୍ଏସ୍‌ ଅଫିସର ଅଭୟକାନ୍ତ ପାଠକଙ୍କ ଅନୁଗୁଳ ଲିଙ୍କ୍‌ରୁ ବାହାରିଲାଣି ଦୁର୍ନୀତି ଚେର। ୧୯୯୩-୯୪ମସିହାରେ ସେ ଯେତେବେଳେ ଅନୁଗୁଳ ବନଖଣ୍ଡ ଅଧିକାରୀ ଭାବେ ଚାକିରି କରୁଥିଲେ, ସେତେବେଳେ ସିଲଟ କିଣା ଅନିୟମିତତାରେ ତାଙ୍କର ସମ୍ପୃକ୍ତି ଖୋଜି ପାଇଛି ଭିଜିଲାନ୍‌ସ। ଅନୁଗୁଳରେ ଏହି କୁବେର ଅଫିସର ବେଶି ଟଙ୍କାର ଦୁର୍ନୀତି ନ ହେଲେ ବି ୨୭ବର୍ଷ ତଳେ ପ୍ରାୟ ଦୁଇ ଲକ୍ଷ ଟଙ୍କାର ଅନିୟମିତତା କରିଥିବା ଭିଜିଲାନ୍‌ସ ଜାଣିବାକୁ ପାଇଛି। ଯାହାକୁ ସେତେବେଳେ ଏଜି ଅଡିଟ୍‌ ଧରିଥିଲା ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏ ଅନିୟମିତତା ବନ ବିଭାଗରୁ ହୋଇନାହିଁ। ଶିକ୍ଷା ବିଭାଗର ‘ସିଲଟ’ କିଣା ଦାୟିତ୍ବରେ ଥିବା ବେଳେ ଶ୍ରୀ ପାଠକ ସେଥିରୁ ଅନିୟମିତତା କରିଥିବା ଜଣାପଡ଼ିଛି।

ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି ଯେ ପ୍ରୌଢ଼ ଶିକ୍ଷା ଥିଲା ଜିଲ୍ଲା ସାକ୍ଷରତା ସମିତିର ମୌଳିକ ଲକ୍ଷ। ବୁଢ଼ାବୁଢ଼ୀଙ୍କୁ ଶିକ୍ଷିତ କରାଇବା ପାଇଁ ସେତେବେଳେ ସରକାର ଏ ଯୋଜନାର ଶୁଭାରମ୍ଭ କରିଥିଲେ। ୧୯୯୩-୯୪ ମସିହାରେ ଶ୍ରୀ ପାଠକ ଯେତେବେଳେ ଅନୁଗୁଳ ବନଖଣ୍ଡ ଅଧିକାରୀ ଥିଲେ, ସେତେବେଳେ ଜିଲ୍ଲା ସାକ୍ଷରତା ସମିତିର ତାଙ୍କୁ ଆବାହକ ଦାୟିତ୍ବ ଦିଆଯାଇଥିଲା। ଜଣେ ବନ ଅଧିକାରୀ ହୋଇଥିଲେ ହେଁ ସମ୍ଭବତଃ ଜିଲ୍ଲା ପ୍ରଶାସନ ସେତେବେଳେ ଶିକ୍ଷା ବିଭାଗର ଦାୟିତ୍ବ ତାଙ୍କୁ ଦେଇଥି‌ଲା।

ବୃଦ୍ଧବୃଦ୍ଧାଙ୍କ ପାଇଁ ପ୍ରାୟ ୧୦ଲକ୍ଷ ଟଙ୍କାର ସିଲଟ ସେତେବେଳେ କିଣାଯାଇଥିଲା। ୨୭ବର୍ଷ ତଳେ ୧୦ଲକ୍ଷର ମୂଲ୍ୟ କିଛି କମ୍‌ ନଥିଲା। ଅନୁଗୁଳରୁ ଶ୍ରୀ ପାଠକ ବଦଳି ହେବା ପରେ ୧୯୯୩-୯୪ମସିହାର ଅନିୟମିତତାକୁ ୧୯୯୭-୯୮ମସିହାରେ ଧରିଥିଲେ ଏଜି। ପ୍ରାୟ ଦୁଇ ଲକ୍ଷରୁ ଅଧିକ ଟଙ୍କାର ଅନିୟମିତତା ହୋଇଛି ବୋଲି ଏଜି ନିଜ ରିପୋର୍ଟରେ ଦର୍ଶାଇଥିଲେ ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ପୁରୁଣା ଫାଇଲରେ ଏ ସବୁ କାରନାମା କଥା ଲୁଚି ରହିଥିଲା। ଚଳିତମାସ ପହିଲାରେ ଭିଜିଲାନ୍‌ସ ଟିମ୍‌ ଅନୁଗୁଳ ବନଖଣ୍ଡ କାର୍ଯ୍ୟାଳୟରେ ପହଞ୍ଚି ପାଠକଙ୍କ ଅନୁଗୁଳ ଲିଙ୍କ୍‌ ଖୋଜିଲା ବେଳେ ପୁରୁଣା ଫାଇଲରୁ ଏ ସବୁ କାରନାମା ଖୋଜି ପାଇଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ଭିଜିଲାନ୍‌ସ ଟିମ୍‌ ସବୁ କାଗଜପତ୍ର ଜବତ କରି ଘଣ୍ଟାଚକଟା ଆରମ୍ଭ କରିଛି।

ସମ୍ବନ୍ଧିତ ଖବର