ପଥରକ୍ୱାରୀରେ ଅଘଟଣ :ଜିଅନ୍ତା ଜଳିଗଲେ ୨ ଶ୍ରମିକ:ମୃତକଙ୍କ ମଧ୍ୟରୁ ଜଣେ ମହିଳା

ଅନୁଗୁଳ: ନିଛାଟିଆ ଜାଗାରେ କୁଡ଼ିଆରେ ରହୁଥିବା ଦୁଇ ଶ୍ରମିକ ଜିଅନ୍ତା ଜଳି ଯାଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଅନୁଗୁଳ ଥାନା ଜରାସିଂହା ଗାଁ ମୁଣ୍ଡ ପଥର କ୍ୱାରୀରେ ଘଟିଥିବା ଏହି ଅଘଟଣ ଅଂଚଳବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ଜଣେ ପୁରୁଷ ଥିବା ବେଳେ ଉଭୟେ ସଂପର୍କରେ ମା-ପୁଅ ବୋଲି କୁହାଯାଉଛି। ସନ୍ଧ୍ୟାରେ ଖବର ପାଇ ଅନୁଗୁଳ ପୁଲିସ୍‌ ଦରପୋଡ଼ା ଶବ ଦୁଇଟି ଜବତ କରି ଘଟଣାର ତଦନ୍ତ ଚଳାଇଛି। ମୃତକଙ୍କ ପରିଚୟ ସ୍ପଷ୍ଟ ହେବା ପରେ ଏହା ଦୁର୍ଘଟଣା ନା ଆଉ କିଛି ତାହା ଜଣାପଡ଼ିବ ବୋଲି ପୁଲିସ କହିଛି।
ସୂଚନା ଅନୁସାରେ ଜରାସିଂହା ଗାଁ ମୁଣ୍ଡରେ ଏକ ପଥର କ୍ୱାରୀ ରହିଛି। ଏଠାରେ କାମ କରୁଥିବା ଶ୍ରମିକମାନେ ନିକଟରେ କୁଡ଼ିଆ କରି ରହୁଛନ୍ତି। ଅନ୍ୟଦିନ ଭଳି ଶ୍ରମିକମାନେ ଗତ ରାତିରେ ଖାଇପିଇ ଶୋଇ ଯାଇଥିଲେ। ହଠାତ୍‌ ବିଳମ୍ବିତ ରାତିରେ ଏହି କୁଡ଼ିଆରେ ନିଆଁ ଲାଗି ଯାଇଥିଲା। ଭିତରୁ କବାଟ ବନ୍ଦ ଥିବାରୁ ଶୋଇଥିବା ମହିଳା ପୁରୁଷ ପଦାକୁ ବାହାରି ପାରିନଥିଲେ। ଫଳରେ ଉଭୟେ ଜିଅନ୍ତା ଜଳି ଯାଇଥିଲେ। ମୃତ ମହିଳାଜଣକ ନିରାଶ ସୁରି ବୋଲି ଜଣାପଡ଼ିଥିବା ବେଳେ ପୁରୁଷଙ୍କ ନାମ ଜଣାପଡ଼ିନାହିଁ। ତେବେ ପୁରୁଷଜଣକ ମୃତ ନିରାଶଙ୍କ ପୁଅ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଉଭୟେ ବାହାର ଅଂଚଳରୁ ଆସି ଏଠାରେ ଶ୍ରମିକଭାବେ କାମ କରୁଥିଲେ। ନିଛାଟିଆ ଜାଗାରେ ହୋଇଥିବାରୁ ଏମାନଙ୍କ ସହ କାହାର ବିଶେଷ ସମ୍ପର୍କ ନଥିଲା। ଏଣୁ ରାତିରେ ଘଟିଥିବା ଏହି ଅଘଟଣ ସଂପର୍କରେ ଅନ୍ୟମାନେ ଜାଣି ପାରିନଥିଲେ।ସନ୍ଧ୍ୟାରେ ଶୌଚ ପାଇଁ ଯାଇଥିବା କେତେକ ଲୋକ କୁଡ଼ିଆ ପୋଡ଼ି ଯାଇଥିବା ଦେଖି ଥାନାକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘରୁ ଉଭୟଙ୍କ ଦରପୋଡ଼ା ଶରୀରକୁ ବାହାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଅନୁଗୁଳ ଥାନା ଇନ୍‌ସ୍‌ପେକ୍ଟର ରମେଶ ବିଶୋଇ ଘଟଣାର ତଦନ୍ତ କରୁଛନ୍ତି। ବିଦ୍ୟୁତ ସର୍ଟସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ସଂଦହେ କରାଯାଉଛି। ତେବେ ଅଗ୍ନିକାଣ୍ଡର ଅସଲ କାରଣ ସହ ଦୁଇ ମୃତକଙ୍କ ପରିଚୟ ଖୁବଶୀଘ୍ର ସ୍ପଷ୍ଟ ହୋଇଯିବ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର