ଅନୁଗୁଳ ମେଡିକାଲ:ରୋଗୀ ଖରାରେ ସିଝିଲେ ଘଣ୍ଟା ଘଣ୍ଟା

ଅନୁଗୁଳ: ଅନୁୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆରମ୍ଭ ହୋଇଥିବା ଧାଡ଼ି ବ୍ୟବସ୍ଥା ଆଜି ରୋଗୀଙ୍କୁ ଖରାରେ ସିଝାଇଛି। ଚିକିତ୍ସା ସେବା ପାଇଁ ଘଣ୍ଟା ଘଣ୍ଟା ଖରାରେ ଠିଆ ହୋଇ ରୋଗୀମାନେ ବଡ଼ ଦହଗଞ୍ଜ ହୋଇଛନ୍ତି। ଡାକ୍ତରଖାନା ଆଉଟ୍‌ ଡୋରରେ ରୋଗୀଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲ। ଆଉଟ୍‌ ଡୋର ଓ କାଜୁଆଲଟି ଗୋଟିଏ ସ୍ଥାନରେ ହୋଇ ଥିବାରୁ ପ୍ରବଳ ଭିଡ଼ ଜମିଥିଲା। ଏଠି ୪ଜଣ ଡାକ୍ତର ଆବଶ୍ୟକ ଥିବା ବେଳେ ଦୁଇ ଜଣ ରୋଗୀ ଦେଖୁଥିଲେ। ଡା. ବର୍ଷା ନାଏକ ଓ ଡା. କୁମୁଦ ଚନ୍ଦ୍ର ପ୍ରଧାନ ଆଉଟ୍‌ ଡୋରରେ ରୋଗୀ ଦେଖୁଥି‌େଲ। ଡାକ୍ତର ସୌମ୍ୟକାନ୍ତ ବିଶୋଇ, ଡାକ୍ତର ଧନଞ୍ଜୟ ବେହେରା ୱାର୍ଡ଼ ପରିକ୍ରମା କରିଥିଲେ। ଆଉଟ୍‌ ଡୋରରେ ଡାକ୍ତର ଅଭାବରୁ ଚିକିତ୍ସା ଅପେକ୍ଷାକୃତ ବିଳମ୍ବ ହୋଇଥିଲା। ପ୍ରାୟ ୪ଶହ ରୋଗୀ ଧାଡ଼ିରେ ଠିଆ ହୋଇଥିଲେ। ସେହିପରି ଟିକେଟ୍‌ କାଉଣ୍ଟରରେ ମଧ୍ୟ ଭିଡ଼ ଦେଖିବାକୁ ମିଳିଥିଲା। ଟିକେଟ୍‌ କାଉଣ୍ଟର ନିକଟସ୍ଥ ଗେଟ୍‌, ଆଉଟ୍‌ ଡୋରକୁ ଯିବାକୁ ଥିବା ୩ଟି ରାସ୍ତା ମଧ୍ୟରୁ ୨ଟି ରାସ୍ତାକୁ ତାଲା ପକାଯାଇଥିଲା। କେବଳ ଆଉଟ୍‌ ଡୋରର ମୁଖ୍ୟ ରାସ୍ତାଟିକୁ ମେଡିକାଲ୍‌ କତୃର୍ପକ୍ଷ ଖୋଲା ରଖିଥିଲେ। ସେହି ରାସ୍ତାରେ ରୋଗୀ ଧାଡି ବାନ୍ଧି ଠିଆ ହୋଇଥିବା ବେଳେ ମଝିରେ ଆମ୍ବୁଲାନ୍ସ ଯାତାୟତ ପାଇଁ ରାସ୍ତା ଛଡ଼ା ଯାଇଥିବା ଦେଖିବାକୁ ମିଳିଥିଲା। ଏ ପ୍ରସଙ୍ଗରେ ସିଡିଏମ୍‌ଓ ଡାକ୍ତର ଶିବପ୍ରସାଦ ପାଢ଼ୀ କହିଛନ୍ତି, ରୋଗୀଙ୍କ ଚିକିତ୍ସା ସୁବିଧା ପାଇଁ ଧାଡ଼ି ବ୍ୟବସ୍ଥା କରାଯାଇଛି। ଡାକ୍ତର ସମସ୍ୟା ଯୋଗୁ ଚିକିତ୍ସା କିଛିଟା ବିଳମ୍ବ ‌େହଉଛି। ତେଣୁ ଚିକିତ୍ସା ତ୍ବରାନ୍ବିତ କରିବା ପାଇଁ ଚଳିତ ସପ୍ତାହରେ ୪ଜଣ ଡାକ୍ତର ଡେପୁଟେସନରେ ଆସିବାକୁ ଅଛନ୍ତି ବୋଲି ସିଡିଏମ୍ଓ ଡାକ୍ତର ପାଢ଼ୀ କହିଛନ୍ତି।

ସମ୍ବନ୍ଧିତ ଖବର