ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ପାତ୍ରପଡା ପଞ୍ଚାୟତ ଗଡମଣ୍ଡଳ ସ୍ୱାସ୍ଥ୍ୟକେନ୍ଦ୍ର ଫାର୍ମାସିଷ୍ଟ କୈଳାସ ଚନ୍ଦ୍ର ମାଝୀ(୩୮)ଙ୍କ କରୋନାରେ ସଂକ୍ରମିତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି।
ପରିବାର ସୂତ୍ରରୁ ପ୍ରକାଶ ଶ୍ରୀ ମାଝୀ ଗତ ୧୮ ଦିନ ପୁର୍ବରୁ ରୋଗୀସେବାରୁ ସଂକ୍ରମିତ ହୋଇ କରୋନାରେ ଆକ୍ରାନ୍ତ ଭାବେ ଚିହ୍ନଟ ହୋଇଥିଲେ। ଚିହ୍ନଟର ତିନିଦିନ ପରେ ସ୍ୱାସ୍ଥ୍ୟ ସମସ୍ୟା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ବିଏମସି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଗତକାଲି ରାତି ସାଢ଼େ ୧୧ ଟାରେ ତାଙ୍କର ପରଲୋକ ଘଟିଛି। ତାଙ୍କର ବିୟୋଗରେ ୩ ବର୍ଷର ଶିଶୁପୁତ୍ର ସହିତ ପତ୍ନୀ ବେସାହାରା ହୋଇଯାଇଛନ୍ତି। ଏହାବ୍ୟତୀତ ଶ୍ରୀ ମାଝୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କ ଅଭାବ ସତ୍ତ୍ୱେ ଅଞ୍ଚଳର ରୋଗୀସେବା ଯୋଗାଇ ଆସୁଥିଲେ। ସଂଘର ଜଣେ ସକ୍ରିୟ ଭୂମିକା ସହିତ ତାଙ୍କର ଅବଦାନ ଯୋଗୁଁ ଗଡମଣ୍ଡଳ ସ୍ୱାସ୍ଥ୍ୟକେନ୍ଦ୍ରକୁ କାୟାକଳ୍ପ ପୁରସ୍କାର ଘୋଷଣା କରାଯାଇଛି। ତାଙ୍କର ବିୟୋଗରେ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Advertisment

publive-image

ଅପରପକ୍ଷେ ସ୍ୱାସ୍ଥ୍ୟ ବିଭାଗର ନିୟମିତ କର୍ମଚାରୀ ହୋଇଥିଲେ ମଧ୍ୟ ସରକାରଙ୍କ ଘୋଷଣା ଅନୁଯାୟୀ କରୋନା ଯୋଦ୍ଧା ଭାବେ ଗ୍ରହଣ କରାଯାଉନଥିବାରୁ ସରକାରଙ୍କ କରୋନା ଯୋଦ୍ଧା ଅନୁକମ୍ପା ରାଶିରୁ ବଞ୍ଚିତ ହୋଇଛନ୍ତି। ରାଜ୍ୟର କାର୍ଯ୍ୟରତ ଫାର୍ମାସିଷ୍ଟ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରୁଥିଲେ ମଧ୍ୟ ସରକାର ପାତରଅନ୍ତର କରୁଛନ୍ତି। ଏହାକୁ ନେଇ ଫାର୍ମାସିଷ୍ଟ ସଂଘ ପକ୍ଷରୁ ଅସନ୍ତୋଷ ଦେଖାଦେଇଛି। ରାଜ୍ୟର ସମସ୍ତ ଫାର୍ମାସିଷ୍ଟମାନଙ୍କୁ କରୋନା ଯୋଦ୍ଧାର ମାନ୍ୟତା ପ୍ରଦାନ ସହିତ ଶ୍ରୀ ମାଝୀଙ୍କ ପରିବାରକୁ ଅନୁକମ୍ପା ରାଶି ପ୍ରଦାନ ପାଇଁ ଫର୍ମାସିଷ୍ଟ ସଂଘ ଜିଲ୍ଲା ସଭାପତି ରାଜେନ୍ଦ୍ର କୁମାର ସାହୁ, ସମ୍ପାଦକ ସଞ୍ଜୟ କୁମାର ପ୍ରଧାନ ଓ ପୂର୍ବତନ ରାଜ୍ୟ କମିଟି ସଭାପତି ଜଳଧର ସେଠୀ ସଂଘ ପକ୍ଷରୁ ଦାବି କରିଛନ୍ତି।