ବିଷାକ୍ତ ମଦ ପିଇ ୨ ମହିଳାଙ୍କ ମୃତ୍ୟୁ ପ୍ରସଂଗ : ମାମଲା ଚାପିବାକୁ ଉଦ୍ୟମ

ଅନୁଗୁଳ:ବନ୍ତଳା ଥାନା ପୁରୁଣାଗଡ଼ ପାଖ ଚନ୍ଦନପୁରରେ ବିଷାକ୍ତ ମଦ ପିଇ ଦୁଇ ଜଣ ମହିଳା ଶ୍ରମିକ ବୁଦୁନି ନାଏକ (୪୦) ଓ ବିମଳା ନାଏକ(୫୦) ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ତେବେ ମାମଲାକୁ ଚାପି ଦେବାକୁ ଉଦ୍ୟମ ହୋଇଛି। ବାରଣ୍ଡାରେ ଶୋଇଥିବାରୁ ଥଣ୍ଡା ଯୋଗୁଁ ସେମାନଙ୍କ ମୃତ୍ୟୁ ଘଟିଥିବା ନେଇ ସନ୍ଦେହ କରାଯାଉଥିବା ନେଇ ସ୍ଥାନୀୟ ପୁଲିସ ଓ ପ୍ରଶାସନିକ ଅଧିକାରୀ କହୁଛନ୍ତି। ଜିଲ୍ଲା‌େର ବେଆଇନ ମଦ କାରବାର ବ୍ୟାପକ ମାତ୍ରାରେ ଚାଲିଥିବା ବେଳେ ଅବକାରୀ ବିଭାଗ ‌େବଫିକର ରହିଛି। ବନ୍ତଳା ଥାନା ଚନ୍ଦନପୁରର ଅରୁଣ ସିଂହ(ରାଜା)ଙ୍କ କୁକୁଡ଼ା ଫାର୍ମରେ ବୁଦୁନି ଓ ବିମଳା କାମ କରୁଥିଲେ। ସେମାନେ ଦୈନିକ ମାତ୍ର ୧୫୦ ଟଙ୍କା ମଜୁରି ପାଇଁ ସୂଦର ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଅଂଚଳରୁ ଏଠାକୁ କାମ କରିବାକୁ ଆସିଥିଲେ। ୨୦ ତାରିଖ ଅପରାହଣ ୪ଟାରେ ଛୁଟି ହେବା ପରେ ବୁଦୁନି ଓ ବିମଳା ନିକଟସ୍ଥ ରାଜନଗରରେ ଥିବା ଭାଟିକୁ ଯାଇ ମଦ ପିଇଥିଲେ। ରାତି ୧୧ଟାରେ ଦୋଳି ଗୀତ ଗାଇ ଗାଇ କୁକୁଡ଼ା ଫାର୍ମକୁ ଫେରିଥିଲେ। ‌ଆଉ ସେଠାରେ ଶୋଇବା ଅବସ୍ଥାରେ ସେମାନଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। ଏବେ ବଡ଼ ଘଟଣାକୁ ପୁଲିସ-ପ୍ରଶାସନ କିନ୍ତୁ ହାଳୁକା ଭାବେ ନେଉଛି। ଏହା ପଛରେ ରାଜ‌ନୈତିକ ଚାପ କାମ କରୁଥିବା ଚର୍ଚ୍ଚା ହେଉଛି। ପେଟ ପୋଷିବାକୁ ଆସି ଜୀବନ ହରାଇବାକୁ ପଡ଼ିଥିବା ଏହି ଦୁଇ ଗରିବ ମହିଳାଙ୍କ ପରିବାରବର୍ଗକୁ ନ୍ୟାୟ ମିଳିବା ଆଶା କ୍ଷୀଣ ହୋଇଯାଇଛି। ଗତ ୩/୪ ବର୍ଷ ତଳେ ବିଷାକ୍ତ ଦେଶୀ ମଦ ଅନୁଗୁଳ ତଳଗଡ଼ ଅଂଚଳର ୩ ଜଣ ଲୋକଙ୍କ ଜୀବନ ନେଇଥିଲା। ଅପରପକ୍ଷରେ ଅନେକ ଦିନ ଧରି ଡାକ୍ତରଖାନାରେ ଚିକିିତ୍ସିତ ହେବା ପରେ ଅନ୍ୟ କେତେକଙ୍କ ଜୀବନ ବଂଚି ଯାଇଥିଲ‌ା। ଏହି ଘଟଣାରୁ ଅବକାରୀ ବିଭାଗ କିଛି ଶିଖି ପାରିଲାନି। ଏବେ ଜିଲ୍ଲାର ଅନେକ ଅଂଚଳରେ ମହୁଲି ମଦ କାରବାର ଜୋରସୋରରେ ଚାଲିଛି। ବନ୍ତଳା ସମେତ ଅନ୍ୟ କେତେକ ଅଂଚଳ ମଦ ବେପାରିମାନେ ବେଶ୍ ସକ୍ରିୟ ରହିଛନ୍ତି। ମାତ୍ର ୬୦ ଟଙ୍କାରେ ଗୋଟିଏ କିଲୋଗ୍ରାମ ମହୁଲ ମିଳିଯାଉଛି। ବେଶୀ ମଦ ଉତ୍ପାଦନ ଓ ଅଧିକ ନିଶାଯୁକ୍ତ କରିବା ପାଇଁ ଅସନ ଗଛର ଚେର, ବଣଖଜୁରି ପତ୍ର, ବାଉଁଶ ପତ୍ର, ୟୁରିଆ ସାର ଆଦି ମହୁଲ ପୋଚରେ ମିଶା ଯାଉଛି। ଗୋଟିଏ କିଲୋଗ୍ରାମ ମହୁଲରୁ ୪/୫ ଲିଟର ମଦ ମିଳୁଥିବା କୁହାଯାଉଥିବା ବେଳେ ଲିଟର ପ୍ରତି ୧୨୦ ଟଙ୍କା ଦରରେ ତାହା ବିକ୍ରି କରାଯାଉଛି। ମହୁଲି ମଦ ବେପାରରେ ଖର୍ଚ କମ୍, ଲାଭ ଅଧିକ। ତେଣୁ ଅନେକ ଲୋକ ଏହି କାରବାରକୁ ଆପଣେଇ ନେଇଛନ୍ତି। ସେମାନଙ୍କ ଅର୍ଥ ବଳ ସାଂଗକୁ ବାହୁ ବଳ ଭୟ ସଚେତନ ଲୋକ ବି ବିରୋଧ କରିବାକୁ ଭୟ କରୁଛନ୍ତି। କେତେକ ବିଭାଗୀୟ ଅଧିକାରୀ ଏହି ମଦ ମାଫିଆମାନଙ୍କୁ ପ୍ରଶ୍ରୟ ଦେଉଛନ୍ତି। ପୁଲିସ-ପ୍ରଶ‌ାସନ ଠୋସ୍ ପଦକ୍ଷେପ ନନେଲେ ଆଗାମୀ ଦିନରେ ଏଭଳି ଘଟଣାର ପୁନରାବୃତ୍ତିକୁ ଏଡ଼େଇ ଦିଆଯାଇନପାରେ।

ସମ୍ବନ୍ଧିତ ଖବର