ପଦାକୁ ଆସିଲା ଟିଟିପିଏସ୍ ମିଛ, ବନ୍ଦର କାରଣ ପ୍ରଦୂଷଣ ବୋର୍ଡ ନୁହେଁ

ଅନୁଗୁଳ: ଅନୁଗୁଳର ଟିଟିପିଏସ୍‌ର ମିଛ ଏବେ ସାମ୍ନାକୁ ଆସିଛି। ତାଳଚେର ଥର୍ମାଲ୍ ପାୱାର ଷ୍ଟେସନ୍‌(ଟିଟିପିଏସ୍‌) ବନ୍ଦ ହେବାର ଅନ୍ୟତମ ପ୍ରମୁଖ କାରଣ ପ୍ରଦୂଷଣ ବୋଲି ଟିଟିପିଏସ୍‌ କର୍ତ୍ତୃପକ୍ଷ କହୁଥିବା ବେଳେ ଏହି କଥାର ସତ୍ୟାସତ୍ୟ ଉପରେ ସନ୍ଦେହ ସୃଷ୍ଟି ହୋଇଛି। ଟିଟିପିଏସ୍‌ ବନ୍ଦ ହେବାରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର କୌଣସି ଯେ ଭୂମିକା ନାହିଁ, ‘ସମ୍ବାଦ’କୁ ହସ୍ତଗତ ହୋଇଥିବା ଚିଠିରୁ ସ୍ପଷ୍ଟ ହୋଇଛି। ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ କାରଖାନା ଉପରେ ଅଙ୍କୁଶ ଲଗାଇବା ପରିବର୍ତ୍ତେ ସହଯୋଗ କରିବା ପାଇଁ ଥରକୁ ଥର ଟିଟିପିଏସ୍‌ କର୍ତୃପକ୍ଷଙ୍କୁ ନିଜ ଆଡ଼ୁ ଚିଠି ଲେଖିଛି। ଅନୁମତି ନେବାକୁ ଦୁଇ ଦୁଇ ଥର ଅନୁରୋଧ କରିଛି। କିନ୍ତୁ, ଟିଟିପିଏସ୍‌ କର୍ତ୍ତୃପକ୍ଷ କାରଖାନା ବନ୍ଦ କରିବା ଚକ୍କରରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ଚିଠିକୁ ଅଣଦେଖା କରି ଚିଠିର କୌଣସି ଉତ୍ତର ଦେଇ ନାହାନ୍ତି ନାହିଁ କି କାରଖାନା ଚଳାଇବାର ଅନୁମତି ପାଇଁ ଆବେଦନ ମଧ୍ୟ କରି ନାହାନ୍ତି। ଏଭଳି ସ୍ଥିତିରେ କାରଖାନା ବନ୍ଦ ହେବା ପାଇଁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର କେଉଁଠି ଦୋଷ ରହିଲା ବୋଲି ପ୍ରଶ୍ନ ଉଠୁଛି।

ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅନୁଗୁଳ ଆଞ୍ଚଳିକ କାର୍ଯ୍ୟାଳୟର ତଥ୍ୟ ମୁତାବକ, ପ୍ରତିବର୍ଷ ଟିଟିପିଏସ୍‌କୁ କାରଖାନା ଚଳାଇବା ପାଇଁ ବୋର୍ଡ ଅନୁମତି ଦିଏ। ମାର୍ଚ୍ଚ ୨୭, ୨୦୨୦ରେ ଶେଷ ଥର ପାଇଁ କାରଖାନା ବୋର୍ଡ଼ଠୁ ଅନୁମତି ନେଇଥିଲା। ଯାହାର ଅବଧି ମାର୍ଚ୍ଚ ୩୧, ୨୦୨୧ ଯାଏ ଥିଲା। ଅନୁମତି ଦେଲା ବେଳେ ନିର୍ଦ୍ଦିଷ୍ଟ କିଛି ପ୍ରଦୂଷଣ ନିୟମ ଅନୁପାଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଜୁନ, ୨୦୧୯ସୁଦ୍ଧା ମରକ୍ୟୁରି ଆନାଲାଇଜର ଖଞ୍ଜିବାଠାରୁ ଆରମ୍ଭ କରି କ୍ୟାମେରା ଖଞ୍ଜିବା, ଏଫ୍‌ଜିଡି ଆଦି ଅନେକ କାମ କରିବା ପାଇଁ କୁହାଯାଇଥିଲା। ସେଥିରୁ କିଛି କିଛି ନିର୍ଦ୍ଦେଶନାମାକୁ ଟିଟିପିଏସ୍‌ କର୍ତ୍ତୃପକ୍ଷ ପାଳନ କରିଥିବା ବେଳେ ଆହୁରି ଅନେକ କାମ କରି ନାହାଁନ୍ତି। ଏ ସବୁ ଖିଲାପି ସତ୍ତ୍ବେ କାରଖାନାକୁ ବୋର୍ଡ଼ ଅନୁମତି ଦେଉଥିଲା।

ଶେଷ ଅନୁମତି ମାର୍ଚ୍ଚ ୩୧ସୁଦ୍ଧା ସରିବାକୁ ଯାଉଥିବା ହେତୁ ନିଜ ଆଡ଼ୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ଟିଟିପିଏସ୍‌ କର୍ତ୍ତୃପକ୍ଷଙ୍କୁ ଦୁଇ ଦୁଇ ଥର ଚିଠି ଲେଖିଛନ୍ତି। ନଭେମ୍ବର ୧୮, ୨୦୨୦ରେ ପ୍ରଥମ ଚିଠି ଲେଖାଯାଇଥିଲା। ସେଥିରେ ଦର୍ଶାଯାଇଥିଲା, ମାର୍ଚ୍ଚ ୩୧, ୨୦୨୦ସୁଦ୍ଧା ଟିଟିପିଏସ୍‌ର ପ୍ରଦୂଷଣ ଅନୁମତି ସରିଯାଉଛି, ତେଣୁ ଅନୁମତିର ନବୀକରଣ ପାଇଁ ଆବେଦନ କର। ଗତ ମାର୍ଚ୍ଚ ୪ ତାରିଖ ଦିନ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ଟିଟିପିଏସ୍‌କୁ ଦ୍ବିତୀୟ ଚିଠି ଲେଖିଥିଲା। ଚିଠି ନମ୍ବର ୩୩୧୮ରେ ସମାନ ଅନୁରୋଧ କରାଯାଇଥିଲା ବୋଲି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼, ଅନୁଗୁଳର ଆଞ୍ଚଳିକ ଅଧିକାରୀ ଡ. ଅନୁପ କୁମାର ମଲ୍ଲିକ ‘ସମ୍ବାଦ’କୁ କହିଛନ୍ତି। ବୋର୍ଡ଼ର ଏ ପ୍ରକାର ଦୁଇ ଦୁଇଟା ଚିଠି ଏହା ସ୍ପଷ୍ଟ କରୁଛି ଯେ, କାରଖାନା ବନ୍ଦ ହେବା ପଛରେ ପ୍ରଦୂଷଣ ବୋର୍ଡ଼ର କୌଣସି ଅଙ୍କୁଶ ନାହିଁ, ବରଂ କାରଖାନା ଚଲେଇବା ପାଇଁ ଟିଟିପିଏସର‌ ହିଁ ଆଗ୍ରହ ନ ଥିବା ଏଥିରୁ ସ୍ପଷ୍ଟ ହେଉଛି। ଏ ସମ୍ପର୍କରେ ଟିଟିପିଏସ୍ ଗ୍ରୁପ୍ ଜେନେରାଲ୍ ମ୍ୟାନେଜର ଦେବେନ୍ଦ୍ରନାଥ ତିୱାରୀ କହିଛନ୍ତି, ବୋର୍ଡ଼ର ସର୍ତ୍ତ ମୁତାବକ ଆମେ ବିଭିନ୍ନ କାରଣରୁ ଯନ୍ତ୍ରପାତି ଖଞ୍ଜି ପାରିଲୁ ନାହିଁ। ତେଣୁ, ବୋର୍ଡ଼କୁ କାରଖାନା ଚଳାଇବା ପାଇଁ ଅନୁମତି ଆବେଦନ କଲୁ ନାହିଁ। ସର୍ତ୍ତବିହୀନ ଅନୁମତି କ’ଣ ବୋର୍ଡ଼ ଆମକୁ ଦେଇଥାନ୍ତା କି ବୋଲି ଶ୍ରୀ ତିୱାରୀ ପାଲଟା ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର