ନାଲକୋନଗର : ୩୩ବର୍ଷ ବୟସ୍କ ଓଡ଼ିଆ ପୁଅ ପ୍ରମୋଦ ଭଗତ ଦେଶ ପାଇଁ ଆଣିଛନ୍ତି ନୂଆ ଗୌରବ। ପାରା ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଆଣି କେବଳ ଓଡ଼ିଶାକୁ ନୁହେଁ, ବରଂ ସମଗ୍ର ଭାରତକୁ ଗର୍ବିତ କରିଛନ୍ତି। ଗାଁରୁ ଟୋକିଓ ଯାତ୍ରା ପ୍ରମୋଦଙ୍କ ପାଇଁ ଏତେ ସହଜ ବି ନ ଥିଲା। ବ୍ୟାଡ୍‌ମିଣ୍ଟନ ପ୍ରତି ପ୍ରମୋଦଙ୍କ ଏ ପ୍ରକାର ଖେଳୁଆଡ଼ ମନୋବୃତ୍ତି ଚିହ୍ନଟ ହୋଇଥିଲା ପିଲାଟି ବେଳୁ। ପ୍ରମୋଦଙ୍କଠାରେ ସନ୍ନିହିତ ଏ ଯାଜ୍ଜୁଲ୍ୟମାନ ପ୍ରତିଭାକୁ ତାଙ୍କ କୋଚ୍‌ ଶିବପ୍ରସାଦ ଦାସ ଆଗୁଆ ବାରି ନେଇଥିଲେ। ଏ ପ୍ରତିଭା ବିକଶିତ ହେବା ପାଇଁ ଯୋଗାଇ ଦେଇଥିଲେ ବିଭିନ୍ନ ପ୍ରକାରର ଖୋରାକ୍‌। ଖେଳ ଅଭ୍ୟାସ ପାଇଁ ଡାକି ଆଣିଥିଲେ ନାଲ୍‌କୋ ବ୍ୟାଡମିଣ୍ଟ୍‌ନ କୋର୍ଟକୁ। ୨୦୦୬ ମସିହାରୁ ନାଲ୍‌କୋ ସହଯୋଗରେ ପ୍ରମୋଦ ଏଠି ଜୋର୍‌ଦାର୍‌ ଅଭ୍ୟାସ ଆରମ୍ଭ କରି ଦେଇଥିଲେ। ସତେ ଯେମିତି ନାଲ୍‌କୋ ବ୍ୟାଡ୍‌ମିଣ୍ଟନ କୋର୍ଟରୁ ପ୍ରମୋଦ ଅଲିମ୍ପିକ୍ସ ଯାତ୍ରାର ଶୁଭାରମ୍ଭ ହୋଇଥିଲା। କହିବାକୁ ଗଲେ, ନାଲ୍‌କୋ ମାଟିରୁ ହିଁ ପ୍ରମୋଦ ବ୍ୟାଡ୍‌ମିଣ୍ଟନର ଖଡ଼ି ଛୁଇଁଥିଲେ।

Advertisment

ନିକଟରେ ବିଜୁ ପଟ୍ଟନାୟକ ସ୍ପୋର୍ଟସ୍‌ ଆୱାର୍ଡ ପାଇଥିବା ପ୍ରମୋଦଙ୍କ ଗୁରୁ ଶିବପ୍ରସାଦଙ୍କ କହିବା ମୁତାବକ, ସ୍ବଳ୍ପ ବୟସରେ ପ୍ରମୋଦ ପୋଲିଓ ଆକ୍ରାନ୍ତ ହୋଇ ଭିନ୍ନକ୍ଷମ ପାଲଟିଥିଲେ। ପିଲାଟି ବେଳୁ ଖେଳ ପ୍ରତି ତାଙ୍କର ଅହେତୁକ ଦୁର୍ବଳତା ରହିଥିଲା। ଭିନ୍ନକ୍ଷମ ସତ୍ତ୍ବେ ସାଧାରଣ ଖେଳାଳିଙ୍କ ସହିତ ବେଶ୍ ଜିତାପଟ ନେଉଥିଲେ ପ୍ରମୋଦ। ଜିଲ୍ଲାସ୍ତରୀୟ ସେ ଅନେକ ମ୍ୟାଚ୍‌ ଖେଳିଛନ୍ତି। ଏ ପ୍ରତିଭାକୁ ଦେଖି ୨୦୦୬ ମସିହାରେ ଅନଗୁଳ ନାଲ୍‌କୋନଗରରେ ଥିବା ତାଙ୍କ ପ୍ରଶିକ୍ଷକ ଶିବପ୍ରସାଦ ଦାସ ପ୍ରମୋଦଙ୍କୁ ନାଲ୍‌କୋ ଡକାଇ ବ୍ୟାଡ଼ମିଣ୍ଟନ ସମ୍ପର୍କରେ ପ୍ରଶିକ୍ଷଣ ଦେଇଥିଲେ।

ନାଲ୍‌କୋ ଦ୍ବାରା ଆୟୋଜିତ ସୁପର ସିକ୍ସ ସର୍ବଭାରତୀୟ ଟୁର୍ନାମେଣ୍ଟରେ ଖେଳି ବିଜେତା ହୋଇଥିଲେ। ଧୀ‌ରେ ଧୀରେ ତାଙ୍କର ପ୍ରତିଭା ଜାତୀୟରୁ ଅନ୍ତର୍ଜାତୀୟସ୍ତରକୁ ଯାଇଥିଲା। ଆଜି ପାରା ଅଲିମ୍ପିକ୍ସରେ ସେ ଦେଶ ପାଇଁ ଏକ ନୂଆ କୀର୍ତ୍ତିମାନ ରଚିଛନ୍ତି। ପ୍ରମୋଦଙ୍କ ଏହି ସଫଳତାରେ ବେଶ୍ ଆତ୍ମ ବିଭୋର ହୋଇଛନ୍ତି କୋଚ୍‌ ଶିବପ୍ରସାଦ। କହିଛନ୍ତି, ଆସନ୍ତାକାଲି ପବିତ୍ର ଗୁରୁ ଦିବସ। ତା ପୂର୍ବରୁ ପ୍ରମୋଦ ଏ ମେଡାଲ୍ ଜିତି ଗୁରୁ ଦିବସର ଦକ୍ଷିଣା ଦେଇଛନ୍ତି।