ସମସ୍ୟାରେ ଘାଣ୍ଟି ହେଉଛିି ବୁଢ଼ାପଙ୍କ:୩ କିଲୋମିଟର ଗ୍ରାମ୍ୟ ରାସ୍ତା ଖାଲଖମା ଫାଟକ ବିହୀନ ରେଳଲାଇନ ଦେଇ ସ୍କୁଲ୍ ଯାଉଛନ୍ତି ଛାତ୍ରଛାତ୍ରୀ

ଚମକ ହରାଉଛି ଅନୁଗୁଳର ଐତିହାସିକ ଗଡ଼

ବଅଁରପାଳ: ଇତିହାସରେ ବହୁ କୀର୍ତ୍ତି ଅର୍ଜନ କରିଥିବା ଗଡ଼ବୁଢ଼ାପଙ୍କ ଗ୍ରାମ ସଂପ୍ରତି ନିଜର କୀର୍ତ୍ତି ହରାଇବା ସହିତ ବିଭିନ୍ନ ସମସ୍ୟା ମଧ୍ୟରେ ବୁଡ଼ି ରହିଛି। ଯେଉଁ ଗ୍ରାମର ପାଇକ ପୁଅମାନେ ଅନୁଗୁଳଗଡ଼ବାସୀଙ୍କୁ ସୁରକ୍ଷା ଦେଉଥିଲେ ଏବେ ସେହି ଗ୍ରାମ ସାହାଯ୍ୟ ଅପେକ୍ଷାରେ ରହିଛି। ୫୫ ନମ୍ବର ରାଜପଥଠାରୁ ୩ କିଲୋମିଟର ଦୂର ଗଡ଼ବୁଢ଼ାପଙ୍କ ଗ୍ରାମକୁ ଯାଇଥିବା ରାସ୍ତାରେ ଆଣ୍ଠୁଏ ଖାଲ ଭର୍ତ୍ତି ହୋଇରହିଛି। ଏହି ରାସ୍ତା ଦେଇ ସ୍କୁଲ ପିଲାଙ୍କ ଠାରୁ ଆରମ୍ଭ କରି ଗ୍ରାମବାସୀ ଯାତାୟାତ ବେଳେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗ୍ରାମବାସୀ ଏହି ରାସ୍ତା ନିର୍ମାଣ ପାଇଁ ବହୁବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନାହିଁ। ସେହିପରି ଗ୍ରାମରେ ଡ୍ରେନେଜ୍ ବ୍ୟବସ୍ଥା ନଥିବାରୁ ରାସ୍ତାରେ ନର୍ଦମା ପାଣି ଜମି ରହୁଛି। ଫଳରେ ଗ୍ରାମବାସୀ ବହୁ ସଂକ୍ରାମକ ରୋଗର ଶିକାର ହେଉଛନ୍ତି। ସ୍କୁଲର ଛାତ୍ରଛାତ୍ରୀ ଓ ଗ୍ରାମବାସୀ ପ୍ରତିଦିନ ବିପଦସଂକୁଳ ଅବସ୍ଥାରେ ଗ୍ରାମ ଆରମ୍ଭରେ ଥିବା ନାଲକୋ କମ୍ପାନିର ଫାଟକ ବିହୀନ ରେଳଲାଇନ ପାର ହୋଇ ଯାଉଛନ୍ତି। ଏହି ରେଳ ଲାଇନରେ ନା ଅଛି ରେଳ ଫାଟକ ନା ଅଛନ୍ତି ଜଗୁଆଳି। ଏହି ନାଲକୋ ରେଳ ଲାଇନରେ ପୂର୍ବରୁ ଦୁର୍ଘଟଣା ଘଟିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ରେଳ ଫାଟକ ସ୍ଥାପନ ବା ଜଗୁଆଳି ନିୟୋଜିତ ହୋଇ ପାରି ନାହିଁ। ଗ୍ରାମରେ ପିଇବା ପାଣି ସମସ୍ୟା ମଧ୍ୟ ଲାଗି ରହିଛି। ଗ୍ରାମରେ ଥିବା ପୁରାତନ ଉଚ୍ଚ ବିଦ୍ୟାଳୟରେ ଗ୍ରାମ ଓ ଆଖପାଖ ଗ୍ରାମର ପିଲାମାନେ ପାଠ ପଢୁଛନ୍ତି। କିନ୍ତୁ ଏହି ସ୍କୁଲର ଛାତ୍ରଛାତ୍ରୀମାନେ ରାଷ୍ଟ୍ରଭାଷା ହିନ୍ଦୀ ପଢ଼ିବାରୁ ବଞ୍ଚିତ ହେଉଛନ୍ତି। କାରଣ ଏଠି ହିନ୍ଦୀ ଶିକ୍ଷକ ପଦ ଖାଲି ପଡ଼ିଛି। ଗ୍ରାମ ନିକଟରେ ବହୁ ପ୍ରତିଷ୍ଠିତ କମ୍ପାନି ଥିଲେ ମଧ୍ୟ ଯୋଗ୍ୟତାଭିତ୍ତିକ ନିଯୁକ୍ତି ନ ମିଳିବାରୁ ଗ୍ରାମର ଶିକ୍ଷିତ ବେକାର ଯୁବକଙ୍କ ସଂଖ୍ୟା ବୃଦ୍ଧି ପାଉଛି ବୋଲି ପୂର୍ବତନ ଛାତ୍ର ନେତା ଦିବ୍ୟରଞ୍ଜନ ସାମଲ କହିଛନ୍ତି। ଗ୍ରାମରେ ଚୋରା ଦେଶୀ ମଦ କାରବାର ବୃଦ୍ଧି ପାଉଥିବା ବେଳେ ଯୁବ ପିଢ଼ି ଏହା ଦ୍ବାରା ଆକୃଷ୍ଟ ହୋଇ ନିଶାଗ୍ରସ୍ତ ହେଉଛନ୍ତି। ଏହାକୁ ରୋକିବା ପାଇଁ ପୁଲିସ ପ୍ରଶାସନ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। ଗ୍ରାମର ସାଧୁଚରଣ ମହାନ୍ତି କହିଛନ୍ତି ଯେ ଗ୍ରାମକୁ ଘେରି ରହିଛି ରାଜା ମହାରାଜା ସମୟର ଗଡ଼ଖାଇ। ଯାହାକି ଗଡ଼ ବୁଢ଼ାପଙ୍କର ଇତିହାସ ଓ ପାଇକ ପୁଅମାନଙ୍କର କୀର୍ତ୍ତିମାନକୁ ପରିଚୟ ଦେଉଥିଲା ତାହା ଏବେ ସଂକୀର୍ଣ୍ଣ ହୋଇଗଲାଣି। ଗ୍ରାମର ଇତିହାସର ମୂକସାକ୍ଷୀ ଥିବା ଏହି ଗଡ଼ଖାଇର ପୁନରୁଦ୍ଧାର ସହିତ ସ୍କୁଲରେ ହିନ୍ଦୀ ଭାଷାର ଶିକ୍ଷକ ନିଯୁକ୍ତି , ରେଳ ଲାଇନରେ ଫାଟକ ନିର୍ମାଣ, ଗ୍ରାମ ମୁଖ୍ୟ ରାସ୍ତା , ଡ୍ରେନ୍ ନିର୍ମାଣ ଓ ପାନୀୟ ଜଳ ଯୋଗାଣ ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର