ବନ୍ତଳା/ବଡ଼କେରା: ପୁରୁଣାଗଡ଼ ରଥଯାତ୍ରା ବେଳେ ମୁଣ୍ଡନ ହେବାର ନିଆଁରା ପରମ୍ପରା ରହିଛି। ଏହି ପରମ୍ପରା ଆଜିର ନୁହେଁ, ଶହ ଶହ ବର୍ଷ ହେଲା ଚାଲି ଆସିଛି। ନିର୍ଦ୍ଦିଷ୍ଟ ଭାବେ କେଉଁ ମସିହାରୁ ଏହାର ଆରମ୍ଭ ହୋଇଛି, ସେ ନେଇ କାହାରି ପାଖରେ ଠୋସ୍ ତଥ୍ୟ ନାହିଁ। ତେବେ ଏହି ମୁଣ୍ଡନ ପରମ୍ପରାକୁ ୪୦୦ ବର୍ଷରୁ ବେଶୀ ସମୟ ହେବ ବୋଲି ଗାଁଲୋକେ କହିଥାନ୍ତି। ରଥଯାତ୍ରା ଦିନ ମୁଣ୍ଡନ ହେଲେ ପ୍ରଭୁ ଜୀବନର ସବୁ ଦୁଃଖ ହରଣ କରିନିଅନ୍ତି ବୋଲି ବିଶ୍ବାସ ରହି ଆସିଥିବା ମନ୍ଦିର ପରିଚାଳକ ରବି ନାରାୟଣ ନନ୍ଦ ପ୍ରକାଶ କରିଛନ୍ତି। ପୁରୁଣାଗଡ଼ ଜଗନ୍ନାଥ ମନ୍ଦିରକୁ ଶହ ଶହ ଲୋକ ଆସି ମାନସିକ କରିଥାନ୍ତି। ପ୍ରତିବର୍ଷ ୪୫୦ରୁ ୫୦୦ ଶିଶୁ ଓ ମାନସିକଧାରୀ ଭକ୍ତମାନେ ଠାକୁରଙ୍କ ନିକଟରେ ସମର୍ପଣ ହୋଇ ମୁଣ୍ଡନ ହୋଇଥାନ୍ତି। ରଥଯାତ୍ରା ଅବସରରେ ମୁଣ୍ଡନ ପାଇଁ ଆଜି ଶହ ଶହ ଲୋକ ପୁରୁଣାଗଡ଼ ଆସିଥିଲେ ଆଉ ଜଗନ୍ନାଥ ମନ୍ଦିର ନିକଟରେ ମୁଣ୍ଡନ ହୋଇଥିଲେ। ଦୂର ଦୁରାନ୍ତରୁ ବହୁ ଲୋକ ପୁଣି ନିଜ କୁନି ପିଲାଙ୍କୁ ଆଣି ଏଠାରେ ମୁଣ୍ଡନ କରାଇଥିଲେ। ପ୍ରାୟ ୨୦ ଜଣ ବାରିକ ମୁଣ୍ଡନ କାମରେ ନିୟୋଜିତ ରହିଥିଲେ। ସକାଳ ସାଢ଼େ ୭ ଟାରୁ ଦିନ ସାଢ଼େ ୧୧ଟା ପର୍ଯ୍ୟନ୍ତ ମୁଣ୍ଡନ ପାଇଁ ମନ୍ଦିର ନିକଟରେ ଭିଡ଼ ଲାଗି ରହିଥିବା ଦେଖିବାକୁ ମିଳିଥିଲା। ଅପରପକ୍ଷରେ ରଥଯାତ୍ରା ପାଇଁ ପୁରୁଣାଗଡ଼ରେ ପ୍ରବଳ ଭକ୍ତଙ୍କ ସମାଗମ ହୋଇଥିଲା।
ପୁରୁଣାଗଡ଼ ରଥଯାତ୍ରାରେ ମୁଣ୍ଡନ ପରମ୍ପରା
ଶହ ଶହ ମାନସିକଧାରୀ ମୁଣ୍ଡନ ହେଲେ
/sambad/media/post_attachments/wp-content/uploads/2019/07/ang5.jpg)