ବ୍ୟାଙ୍କର ଷ୍ଟ୍ରଙ୍ଗରୁମ୍‌ କାଟି ନେଇଗଲେ ୭ ଲକ୍ଷ ୮୩ ହଜାର ଟଙ୍କା ଓ ସୁନାଗହଣା

ପାଳଲହଡ଼ା : ପାଳଲହଡ଼ା ଭଳି ଶାନ୍ତିପ୍ରିୟ ଅଞ୍ଚଳରେ ବି ଲୁଟେରାଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଲାଣି। ଗତକାଲି ବିଳମ୍ବିତ ରାତିରେ ଅନୁଗୁଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ (ଏୟୁସିସି) ପାଳଲହଡ଼ା ଶାଖାରୁ ଦୁର୍ବୃତ୍ତମାନେ ୭ ଲକ୍ଷରୁ ଅଧିକ ଟଙ୍କା ଓ ସୁନାଗହଣା ଲୁଟି ନେବା ଘଟଣା ସାଧାରଣରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ସୂଚନା ଅନୁଯାୟୀ, ବ୍ୟାଙ୍କ ଶାଖା ପରିଚାଳକ ରଂଜିତ ପ୍ରସାଦ ନାୟକ ଓ କର୍ମଚାରୀମାନେ ଆଜି ସକାଳ ସାଢେ ୯ଟା ବେଳେ ବ୍ୟାଙ୍କରେ ପହଞ୍ଚି ପଛ ପାଖ ଝରକା ଖୋଲା ରହିଥିବା ଦେଖିଥିଲେ। ବ୍ୟାଙ୍କର ଷ୍ଟ୍ରଙ୍ଗ୍‌ରୁମ୍‌ ଆଇରନ୍‌ ଚେଷ୍ଟ କାଟି ଦୁର୍ବୃତ୍ତମାନେ ୭ ଲକ୍ଷ ୮୩ ହଜାର ୪୧୯ ଟଙ୍କା, ବନ୍ଧକ ରଖାଯାଇଥିବା ୨୭ ଗ୍ରାମ୍‌ର ସୁନାଗହଣା ଏବଂ ଦୁଇଟି କମ୍ପ୍ୟୁଟର ମୋଡେମ୍‌ ଚୋରି କରି ନେଇଥିବା ଜଣାପଡିଥିଲା। ଶାଖା ପରିଚାଳକଙ୍କଠାରୁ ଖବର ପାଇ ପାଳଲହଡ଼ା ଏସ୍‌ଡିପିଓ ଯଶୋବନ୍ତ ସାମଲ, ଥାନା ଅଧିକାରୀ ମଳୟ କିଶୋର ନାୟକ, ଏଏସ୍‌ଆଇ ଋଷିନ୍ଦ୍ର ପ୍ରଧାନ ପ୍ରମୁଖ ସଂଧାନୀ କୁକୁର ଓ ସାଇଣ୍ଟିଫିକ ଟିମ୍‌ ସହାୟତାରେ ଘଟଣାସ୍ଥଳକୁ ଆସି ଛାନ୍‌ଭିନ୍‌ ଚଳାଇଥିଲେ।

 

ବ୍ୟାଙ୍କ ସିସିଟିଭି ଫୁଟେଜ୍‌କୁ ଆଧାର କରି ପୁଲିସ ତଦନ୍ତ ଚଳାଇଥିବା ବେଳେ ଚୋରିରେ ୩ ଜଣ ସଂପୃକ୍ତ ଥିବା କୁହାଯାଉଛି। ଦୁର୍ବୃତ୍ତମାନେ ଆଇରନ୍‌ ଚେଷ୍ଟ କାଟିବା ପାଇଁ ଗ୍ୟାସ୍‌ କଟର ବ୍ୟବହାର କରିଥିବା ସନ୍ଦେହ ଘନୀଭୂତ ହୋଇଛି।

ସୂଚନାଯୋଗ୍ୟ, ନିକଟରେ ପାଳଲହଡ଼ାର ଏକ ଜନଗହଳିପୂର୍ଣ୍ଣ ସ୍ଥାନରୁ ଜଣେ ମହିଳାଙ୍କଠୁ ୫୦ ହଜାର ଟଙ୍କା ଲୁଟ୍‌ ହୋଇଥିବା ବେଳେ ଦୁର୍ବୃତ୍ତମାନେ ବିଦେଶୀ ମଦ ଦୋକାନରେ ବନ୍ଧୁକ, ଭୁଜାଲି ଦେଖାଇ ଟଙ୍କା ନେଇଯାଇଥିଲେ। ସ୍ଥାନୀୟ ଅଞ୍ଚଳରେ ବାରମ୍ବାର ଚୋରି, ଡକାୟତି ଯୋଗୁ ଲୋକମାନେ ନିଜ ଧନଜୀବନକୁ ସୁରକ୍ଷିତ ମଣୁନାହାନ୍ତି। ତୁରନ୍ତ ଅପରାଧୀମାନଙ୍କୁ ଗିରଫ କରାଯିବା ଲାଗି ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର