ଦିନ ଦି’ପହରେ ନାଲ୍‌କୋ କ୍ୱାର୍ଟର୍ସରୁ ଲୁଟ୍‌:ଘରେ ପଶି ମହିଳାଙ୍କଠାରୁ ଲୁଟି ନେଲେ ଟଙ୍କା, ଗହଣା

ବଅଁରପାଳ/ନାଲକୋନଗର: ବଅଁରପାଳ ବ୍ଲକ୍‌ ନାଲ୍‌କୋନଗର ଥାନା ଅନ୍ତର୍ଗତ ନାଲ୍‌କୋ କଲୋନିରେ ଗତ କିଛି ମାସ ଧରି ଚୋରି, ଲୁଟ୍‌ ଘଟଣା ବୃଦ୍ଧି ପାଇବାରେ ଲାଗିଛି। ଦୁର୍ବୃତ୍ତମାନେ ଦିନ ଦ୍ୱିପ୍ରହରରେ ମାରଣାସ୍ତ୍ର ଦେଖାଇ ସିରିଜ୍‌ ଚୋରି କରି ଆସୁଥିବା ବେଳେ ପୁଲିସ ନିରବଦ୍ରଷ୍ଟା ସାଜିଛି। ଆଜି ପୂର୍ବାହ୍ଣରେ ଦୁଇଜଣ ଦୁର୍ବୃତ୍ତ ଏକ କ୍ୱାର୍ଟର୍ସରେ ପଶି ଜଣେ ମହିଳାଙ୍କୁ ମାରଣାସ୍ତ୍ର ଦେଖାଇ ତାଙ୍କଠାରୁ ଟଙ୍କା ଓ ସୁନାଗହଣା ଲୁଟି ନେଇଛନ୍ତି।
ଦିନ ୧୦ଟା ବେଳେ ଦୁଇଜଣ ଦୁର୍ବୃତ୍ତ ନାଲକୋନଗରର ନାଲ୍‌କୋ ବି ଟାଇପ୍‌ ୧୦୯୮ କ୍ୱାର୍ଟରରେ ପହଞ୍ଚିଥିଲେ। ସେଠାରେ ରହୁଥିବା ଅଲୁମିନିୟମ ମଜଦୁର ସଂଘର କାର୍ଯ୍ୟକାରୀ ସଭାପତି ଗିରିଶ ଚନ୍ଦ୍ର ଲେଙ୍କା ତାଙ୍କ ଗ୍ରାମକୁ ଯାଇଥିବା ବେଳେ ସ୍ତ୍ରୀ ଗୋଲାପ ଲେଙ୍କା ଘରେ ଏକୁଟିଆ ଥିଲେ। ଏହାର ସୁଯୋଗ ନେଇ ଦୁଇଜଣ ଦୁର୍ବୃତ୍ତ ନିଜକୁ କୋରିୟରବାଲା ପରିଚୟ ଦେଇ ତାଙ୍କର ପାର୍ସଲ୍‌ ଆସିଛି ବୋଲି କହି ଘରେ ପଶିଥିଲେ। ପରେ ତାଙ୍କୁ ମାରଣାସ୍ତ୍ର ଦେଖାଇ ୨ଟି କାନଫୁଲ, ୨ଟି ସୁନା ଚୁଡ଼ିଏବଂ ୯୦୦୦ ଟଙ୍କା ଲୁଟି ନେଇ ପଳାଇଥିଲେ। ଲୁଟ୍‌ ସଂପର୍କରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ଏ ସଂପର୍କରେ ନାଲକୋ ଥାନା ଆଇଆଇସି ଗୀତାଞ୍ଜଳି ସାହୁଙ୍କୁ ପଚାରିବାରୁ ସେ କହିଥିଲେ ଶ୍ରୀ ଲେଙ୍କାଙ୍କ ଆଲମାରି ଭିତରେ ଥିବା ଛୋଟଲକରର ଚାବି ନ ମିଳିବାରୁ ଭିତରେ ଥିବା ସମସ୍ତ ସୁନା ଗହଣା ସୁରକ୍ଷିତ ଅଛି। ତେବେ ମହିଳା ଜଣକ ଭୟ ହୋଇପଡ଼ିବାରୁ ତାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପଡ଼ିଛି। ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତି କରାଯାଇଛି।
ସୂଚନାଯୋଗ୍ୟ, ନବରତ୍ନ ମାନ୍ୟତାପ୍ରାପ୍ତ କମ୍ପାନି ନିଜ କଲୋନିବାସୀଙ୍କ ସୁରକ୍ଷା ପାଇଁ ମାସକୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଛି। ନାଲ୍‌କୋ ଥାନାର ସମସ୍ତ କର୍ମଚାରୀମାନଙ୍କୁ ମାଗଣା କ୍ୱାର୍ଟର, ପାଟ୍ରୋଲିଂ ପାଇଁ ପେଟ୍ରୋଲ୍‌, ଡିଜେଲ୍‌ ସହ ପିଲାମାନଙ୍କ ପାଇଁ ମାଗଣା ଶିକ୍ଷା ଆଦି ସହାୟତା ଦେଉଛନ୍ତି। ଗତ କିଛି ମାସ ହେଲା ଏଠାରେ ଏକାଧିକ ଚୋରି ଘଟଣା ଘଟିଥିଲେ ମଧ୍ୟ ପୁଲିସ ଗୋଟିଏ ବି ହେଲେ ଚୋର କିମ୍ବା ଚୋରି ଜିନିଷ ଉଦ୍ଧାର କରିପାରିନାହିଁ। ଗତ ମାର୍ଚ ୩୧ ତାରିଖରେ ଗିରିଜା ଶଙ୍କର ପଣ୍ଡାଙ୍କ କ୍ୱାର୍ଟର ନମ୍ବର ସି-୬୫ରୁ ମାରଣାସ୍ତ୍ର ଦେଖାଇ ଦୁର୍ବୃତ୍ତମାନେ ୪ ଲକ୍ଷ ଟଙ୍କା ଓ ସୁନା ଗହଣା ଲୁଟି ନେଇଥିଲେ। ଗତ ମେ ଦୁଇ ତାରିଖରେ ସୁଧାଂଶୁ ଶେଖର ପଣ୍ଡାଙ୍କ ସି-୪୯ କ୍ୱାର୍ଟରଙ୍କୁ ୮ ଲକ୍ଷ ଟଙ୍କା ଓ ସୁନାଗହଣା, ମେ ୩ ତାରିଖରେ ସୁଶୀଲ କୁମାର ଯାଦବଙ୍କ ସି-୧୫୧ କ୍ୱାର୍ଟରରୁ ଲକ୍ଷାଧିକ ଟଙ୍କା ଗହଣା ଓ ଅଗଷ୍ଟ ୧୨ ତାରିଖରେ ସୁରେନ୍ଦ୍ର ମଲ୍ଲିକଙ୍କ କ୍ୱାର୍ଟର ବି-୯୭୧ରୁ ୩ଟି ମୋବାଇଲ୍‌ ଓ ଲକ୍ଷାଧିକ ଟଙ୍କା ବନ୍ଧୁକ ଦେଖାଇ ଲୁଟ୍‌ କରିଥିଲେ। ଏହିପରି ସିରିଜ୍‌ ଚୋରି ହେଉଥିଲେ ମଧ୍ୟ ଚୋରର ସନ୍ଧାନ ପୁଲିସ ପାଇପାରୁ ନାହିଁ। ଫଳରେ କଲୋନିବାସୀ ନିଜକୁ ଅସୁରକ୍ଷିତ ମଣୁଛନ୍ତି। ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ନାଲକୋ କଲୋନି ପରିସରରେ ୪ଟି ମୁକୁଳା ବାଟ ରହିଛି। ନାଲକୋ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନଥିବାରୁ ଏଠାରେ ବାରମ୍ବାର ଚୋରି ହେଉଛି। ନାଲକୋରେ ଲଗାଯାଇଥିବା ସିସିଟିଭି କୌଣସି କାମରେ ଲାଗୁ ନାହିଁ। କ୍ୱାର୍ଟର ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ସୁରକ୍ଷା କର୍ମୀଙ୍କ ସଂଖ୍ୟା ହ୍ରାସ ପାଇଛି। ଅନ୍ୟପକ୍ଷରେ ପୁଲିସ କେବଳ ମାମଲା ରୁଜୁ କରି ନିରବଦ୍ରଷ୍ଟା ସାଜିଛି ବୋଲି ସାଧାରଣରେ ଆଲୋଚନା ହେଉଛି।

ସମ୍ବନ୍ଧିତ ଖବର