ଡକାୟତି ଉଦ୍ୟମ ପଣ୍ଡ :୫ ଡକାୟତ ଗିରଫ :୫ ଫେରାର

ବଅଁରପାଳ: ବଅଁରପାଳ ଥାନା ଯୋରାଗାଡ଼ିଆ ୫୫ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଏକ ନିକାଞ୍ଚନ ସ୍ଥାନରେ ଲୁଟ୍‌ ପାଇଁ ଏକତ୍ରିତ ହୋଇଥିବା ଏକ ଡକାୟତ ଦଳର ୫ଜଣଙ୍କୁ ପୁଲିସ ଗିରଫ କରିଛି। ଆଉ ୫ଜଣ ଡକାୟତ ଖସି ପଳାଇଥିବା ଜଣାଯାଇଛି। ପୁଲିସ ସୂତ୍ରରୁ ପ୍ରକାଶ, ଗତକାଲି ବିଳମ୍ବିତ ରାତିରେ ୧୦ ଜଣ ଡକାୟତ ଯୋରାଗାଡ଼ିଆ ଅଞ୍ଚଳରୁ ଲୁଟ୍‌ କରିବା ପାଇଁ ୫୫ ନମ୍ବର ଜାତୀୟ ରାଜପଥ କଡ଼ରେ ଏକତ୍ରିତ ହୋଇଥିଲେ। ରାତି ପ୍ରାୟ ସାଢ଼େ ୨ଟା ବେଳେ ବଅଁରପାଳ ଥାନା ଅଧିକାରୀ କନକ କୁମାର ମାଝୀ ଓ ଏଏସ୍‌ଆଇ ନରେଶ ଚନ୍ଦ୍ର ସିଂ ସଦଳବଳ ବଅଁରପାଳରୁ ଯୋରାଗାଡିଆ ଅଭିମୁଖେ ପାଟ୍ରୋଲିଂ ପାଇଁ ଯାଉଥିବା ବେଳେ ସେମାନଙ୍କୁ ରାସ୍ତା କଡ଼ରେ ଦେଖି ସନ୍ଦେହ କରି ଅଟକାଇଥିଲେ।

ସେମାନଙ୍କ ମଧ୍ୟରୁ ୫ଜଣ ଖସିଯିବାକୁ ସକ୍ଷମ ହୋଇଥିବା ବେଳେ ଅନ୍ୟ ୫ ଜଣଙ୍କୁ ପୁଲିସ କାବୁ କରି ନେଇଥିଲା। ଗିରଫ ୫ଜଣ ଡକାୟତ ହେଲେ ମୋଟଙ୍ଗା ଥାନା ଖଡ୍‌ଗପ୍ରସାଦ ଗ୍ରାମର ଜିତେନ୍ଦ୍ର ବେହେରା(୩୨), ଜଗନ୍ନାଥ ନାଏକ (୧୯), କୁଶପଙ୍ଗା ଗ୍ରାମର ଦୈତାରୀ ନାଏକ (୩୬), ଅନୁଗୁଳ ଥାନା ହେମସୁରପଡ଼ାର ମନୁ ଜେନା (୨୬) ଓ ଟେଣ୍ଡୁଲୋଇର ଗ୍ରାମର ସୁବ୍ରତ ନାଏକ (୩୦)। ସେମାନଙ୍କୁ ଆଜି କୋର୍ଟଚାଲାଣ କରାଯାଇଥିବା ବେଳେ ଅନ୍ୟ ୫ଜଣ ଫେରାର ଡକାୟତଙ୍କୁ ଖୁବ୍‌ ଶୀଘ୍ର ଗିରଫ କରାଯିବ ବୋଲି ଥାନା ଅଧିକାରୀ ଶ୍ରୀ ମାଝୀ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର