‘ସବୁଜବାହିନୀ’ର ନେତ୍ରୀ ଗୁରଙ୍ଗ ଗାଁର ସାଧବାଣୀ, ନଣ୍ଡା ପାହାଡ଼ରେ ଭରିଲେ ସବୁଜିମା

ବନ୍ତଳା (ପ୍ରଭାତ ବେହେରା): ମାତ୍ର ତୃତୀୟ ଶ୍ରେଣୀ ଯାଏଁ ତାଙ୍କର ଶିକ୍ଷା। ପରିବେଶ ସଂପର୍କରେ ତାଙ୍କର ସଚେତନତା କିନ୍ତୁ କମ୍‌ ନୁହେଁ। ଜଙ୍ଗଲ ସୁରକ୍ଷିତ ରହିଲେ ପରିବେଶ ଓ ସମାଜ ସୁରକ୍ଷିତ ରହିବ। ଗାଁର ଲୋକମାନଙ୍କୁ ସେ ଏହା ବୁଝାଇବା ସହିତ ସ୍ଥାନୀୟ ଜଙ୍ଗଲକୁ ସୁରକ୍ଷା ଦେଇଆସୁଛନ୍ତି। ଦୀର୍ଘ ୪୦ ବର୍ଷ ଧରି ତାଙ୍କର ସଚେତନତା ଯୋଗୁଁ ଅନୁଗୁଳ ବ୍ଲକ୍‌ ଗୁରୁଙ୍ଗ ଗାଁର ଲଣ୍ଡା ପାହାଡ଼ ସବୁଜିମାରେ ପୂର୍ଣ୍ଣ ହୋଇଛି। ଏହି ମହିଳା ହେଉଛନ୍ତି ଗୁରଙ୍ଗ ଗାଁର ବୃଦ୍ଧା ସାଧବାଣୀ ନାଏକ(୬୨)।

ସୂଚନା ଅନୁଯାୟୀ, ସାଧବାଣୀଙ୍କ ବାପଘର ଅନୁଗୁଳ କରଡ଼ାଗାଡ଼ିଆ ଗାଁରେ। ‌ ସେ ୪୨ ବର୍ଷ ତଳେ ଗୁରଙ୍ଗର ତପନ ନାଏକଙ୍କୁ ବିବାହ କରିଛନ୍ତି। ପିଲାଟି ଦିନରୁ ଜଙ୍ଗଲ ପ୍ରତି ତାଙ୍କର ଭଲପାଇବା। ତୃତୀୟ ଶ୍ରେଣୀ ପାଠ ପଢିଥିବା ଏହି ବୃଦ୍ଧା ଘରକୁ ଘର ବୁଲି ଜଙ୍ଗଲ ସୁରକ୍ଷା ଦ୍ବାରା କ’ଣ ଲାଭ ମିଳିବ ଲୋକଙ୍କୁ ବୁଝାଉଛନ୍ତି। ତାଙ୍କ ପ୍ରେରଣାରେ ଗ୍ରାମବାସୀ ୪୦ ବର୍ଷ ହେଲା ଜଙ୍ଗଲ ସୁରକ୍ଷାକୁ ବ୍ରତ ଭାବରେ ଗ୍ରହଣ କରିଛନ୍ତି। ୪୦ ବର୍ଷ ତଳେ ଗୁରଙ୍ଗ ପାହାଡ଼ ଥିଲା ଲଣ୍ଡା, ଟାଙ୍ଗରା ଭୂଇଁ। ଏଥିରେ ଗଛ ଲଗାଇବା ପାଇଁ ସାଧବାଣୀ ଲୋକଙ୍କୁ ବୁଝାଇ ଏକ ସବୁଜ ବାହିନୀ ଗଢ଼ିଥିଲେ। ଗାଁରେ ୧୧୦ଟି ପରିବାର ଥିବାବେ‌ଳେ ସେଥିରୁ ୯୦ ପ୍ରତିଶତ ଲୋକ ହରିଜନ ସମ୍ପ୍ରଦାୟର। ଜଙ୍ଗଲ, ଗଛପତ୍ରର ମୂଲ୍ୟ ସାଧବାଣୀ ବେଶ୍ ଭଲଭାବରେ ବୁଝିପାରିଛନ୍ତି। ଲୋକଙ୍କୁ ବୁଝାଇ ଜଙ୍ଗଲ ସୁରକ୍ଷା ପାଇଁ ଗାଁରେ ‘ଠେଙ୍ଗା ପାଳି ବ୍ୟବସ୍ଥା କରିଛନ୍ତି। ଏହି ବ୍ୟବସ୍ଥା ଅନୁଯାୟୀ, ଗାଁର ୨ ଜଣ ବ୍ୟକ୍ତି ଦୈନିକ ଠେଙ୍ଗାଧରି ଜଙ୍ଗଲ ଜଗିବା ପାଇଁ ଯାଉଛନ୍ତି। ସାଧବାଣୀଙ୍କ ନେତୃତ୍ୱରେ ଗାଁର ମହିଳାମାନେ ସମୟ ବାହାରକରି ଜଙ୍ଗଲରେ ବୁଲିବା ସହ ପୁରୁଷମାନଙ୍କୁ ସହଯୋଗ କରୁଛନ୍ତି।

ଲଣ୍ଡା ପାହାଡ଼ଟି ଶାଳ, ଚନ୍ଦନ, ଶାଗୁଆନ ସମେତ ବିଭିନ୍ନ ଔଷଧୀୟ ଗଛରେ ପୂର୍ଣ୍ଣ ହୋଇଛି। କେବଳ ଗଛ ନୁହେଁ, ହରିଣ, କୁଟୁରା, ଠେକୁଆ ଆଦି ଅନେକ ବନ୍ୟଜୀବଙ୍କର ଆଶ୍ରୟସ୍ଥଳୀ ପାଲଟିଛି ଏହି ଜଙ୍ଗଲ। ବେଳେବେଳେ ଗାଁ ଭିତରକୁ ବନ୍ୟପ୍ରାଣୀ ଚାଲି ଆସିଲେ ସେମାନଙ୍କର କ୍ଷତିନକରି ପୁଣି ଜଙ୍ଗଲରେ ଛାଡ଼ିଦିଆଯାଉଛି ବୋଲି ସାଧବାଣୀ ଓ ଏବଂ ଗୁରଙ୍ଗ ବନସୁରକ୍ଷା ସମିତିର ଆନିମେଟର ଅରୁଣ ନାଏକ ପ୍ରକାଶ କରିଛନ୍ତି। ଏହି ସମିତିର ସଭାନେତ୍ରୀ ଅଛନ୍ତି ସାଧବାଣୀ। ତାଙ୍କ ମହତ କାର୍ଯ୍ୟ ଯୋଗୁଁ ଗୁରଙ୍ଗ ବନ ସୁରକ୍ଷା ସମିତି ରାଜ୍ୟ ସରକାରଙ୍କଠାରୁ ‘ପ୍ରକୃତି ମିତ୍ର ପୁରସ୍କାର ଲାଭ କରିଛି।

ସମ୍ବନ୍ଧିତ ଖବର