ଶୈଳଶ୍ରୀକ୍ଷେତ୍ରରେ ସ୍ନାନଯାତ୍ରା:ଗଜାନନ ବେଶରେ ଦାରୁବ୍ରହ୍ମ

ଅନୁଗୁଳ: ସୁରୁଖୁରୁରେ ଆଜି ଶେଷ ହୋଇଛି ମହାପ୍ରଭୁଙ୍କ ସ୍ନାନ ଯାତ୍ରା। ମଣିଷ ଲୀଳାରେ ଶହେ ଆଠ ଗରା ସୁବାସିତ ଜଳରେ ଦାରୁବ୍ରହ୍ମ ଗାଧୋଇଛନ୍ତି। କେବଳ ଗାଧୋଇ ନାହାନ୍ତି, ବରଂ ଗଜାନନ ବେଶରେ ଚତୁର୍ଧାମୂର୍ତ୍ତି ଆଜି ଅତି ପାଖରୁ ଶୈଳଶ୍ରୀକ୍ଷେତ୍ର ସ୍ନାନମଣ୍ଡପରେ ଅନୁଗୁଳ ଜିଲ୍ଲାର ଶ୍ରଦ୍ଧାଳୁଙ୍କୁ ଦିବ୍ୟଦର୍ଶନ ଦେଇଛନ୍ତି। ସେଥିପାଇଁ ଆଜି ଭୋର୍‌ରୁ ପାର୍ବଣ ନୀତିକାନ୍ତି ଆରମ୍ଭ ହୋଇଯାଇଥିଲା। ଭୋର୍‌ ସାଢ଼େ ୩ଟାରୁ ଦ୍ବାର ଫିଟା ନୀତି ପରେ ମଙ୍ଗଳ ଆଳତି ନୀତି ସମ୍ପନ୍ନ ହୋଇଥିଲା। ସକାଳ ସାଢ଼େ ୭ଟା ବେଳକୁ ଦଇତା ସେବକ ମହାପ୍ରଭୁଙ୍କୁ ରତ୍ନ ସିଂହାସନରୁ ପହଣ୍ଡି କରାଇ ସ୍ନାନମଣ୍ଡପକୁ ବିଜେ କରାଇଥିଲେ। ସେନା ପଟା ଉଲାଗି କରାଯିବା ପରେ ସ୍ନାନମଣ୍ଡପ ଧୋପଖାଳ ହୋଇ ମଙ୍ଗଳ ଆଳତି, ମଇଲମ, ତଡ଼ପ ଉତ୍ତରୀ ଲାଗି, ରୋଷ ହୋମ, ସୂର୍ଯ୍ୟ ପୂଜା, ଦ୍ବାରପାଳ ପୂଜା କରାଯାଇଥିଲା। ଜଳଛେକ ଆନୟନ ଓ ଜଳାଧିବାସ କର୍ମ ପରେ ଷୋଡ଼ଶୋପଚାର ପୂଜାରେ ସ୍ନାନ ଓ ରକ୍ତ ବସ୍ତ୍ର ଲାଗି ହୋଇଥିଲା। ପ୍ରାୟ ସାଢ଼େ ୧୧ଟା ବେଳେ ଜିଲ୍ଲାପାଳ ମନୋଜ ମହାନ୍ତି, ଏସପି ମିତ୍ରଭାନୁ ମହାପାତ୍ର ଉଭୟ ମନ୍ଦିର ପ୍ରବେଶ କରି ଛେରାପହଁରା ସେବା ଦେଇଥିଲେ। ସ୍ନାନବେଦିରେ ଏସ୍‌ପି ଶ୍ରୀ ମହାପାତ୍ର ଫୁଲ, ଚନ୍ଦନ ଅର୍ପଣ କରିଥିବା ବେଳେ ଖଡ଼ିକାରେ ଜିଲ୍ଲାପାଳ ଶ୍ରୀ ମହାନ୍ତି ଝାଡ଼ୁ ମାରି ମହାପ୍ରଭୁଙ୍କ ସେବା ସଂପନ୍ନ କରିଥିଲେ। ମହାପ୍ରଭୁଙ୍କ ଆଳତି କରି ଆଶିଷ ଭିକ୍ଷା କରିଥିଲେ। ତା’ ପରେ ମହାପ୍ରଭୁଙ୍କ ଅପୂର୍ବ ଗଜାନନ ବେଶ ପାଇଁ ପ୍ରସ୍ତୁତି ହୋଇଥିଲା। ମଧ୍ୟହ୍ନ ପହୁଡ଼ ପରେ ସନ୍ଧ୍ୟାରେ ଗଜାନନ ବେଶ ଦର୍ଶନ ପାଇଁ ସାହାଣମେଲା ହୋଇଥିଲା। ବହୁ ଶ୍ରଦ୍ଧାଳୁ ଅତି ପାଖରୁ ପ୍ରଭୁଙ୍କ ଦର୍ଶନ କରିବା ସହିତ ଚାରିପାଖ ଭେରା ଲଗାଇଥିଲେ। ଏ ବର୍ଷ ପ୍ରଥମ ଥର ପାଇଁ ସ୍ନାନମଣ୍ଡପ ସମ୍ମୁଖରେ ନୃତ୍ୟ ନିଳୟ ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେ‌ଷଣ କରାଯାଇଛି। ମହାପ୍ରଭୁଙ୍କ ସମ୍ମୁଖରେ ଗୀତଗୋବିନ୍ଦ, ଓଡ଼ିଶୀ, ମାହାରୀ ନୃତ୍ୟ ବେଶ ମନୋରମ ଏବଂ ମୁଗ୍‌ଧକର ହୋଇଥିଲା। ବହୁ ଶ୍ରଦ୍ଧାଳୁ ଏହାକୁ ଉପଭୋଗ କରିଥିଲେ। ଶେଷରେ ବନ୍ଦାପନା ପରେ ମହାପ୍ରଭୁ ଗୋଟି ପହଣ୍ଡିରେ ଅଣସର ପିଣ୍ଡିକୁ ଯାତ୍ରା କରିଛନ୍ତି।

ସମ୍ବନ୍ଧିତ ଖବର