ହାତୀ ଛୁଆ ଦେହରେ ଲାଗିଲା ସାଲାଇନ୍‌

ବଅଁରପାଳ: ବଅଁରପାଳ ବ୍ଲକ ମହୀଧରପୁର ପାଳବନ୍ଧ ନିକଟରେ ଗୋଠଛଡ଼ା ହୋଇଥିବା ପ୍ରାୟ ଦେଢ଼ ବର୍ଷର ହାତୀଛୁଆ ଦେହରେ ଆଜି ଲାଗିଛି ସଲାଇନ। ତାକୁ ଟ୍ରଙ୍କୁଲାଇଜ କରି ସଲାଇନ ସହ ଭିଟାମିନ ଦିଆଯାଇଛି।
ଉଲ୍ଲେଖଯୋଗ୍ୟ, ଗତ ୩ତାରିଖ ରାତିରେ ହାତୀପଲ ପାଳବନ୍ଧ ନିକଟକୁ ଆସିଥିବା ବେଳେ ସେଇଠି ହାତୀଛୁଆଟି ରହି ଯାଇଥିଲା। ହାତୀପଲଙ୍କ ସହିତ ଜଙ୍ଗଲକୁ ଫେରି ପାରିଲା ନାହିଁ। ଛୁଆ ହାତୀକୁ ଦେଖିବା ପାଇଁ ସ୍ଥାନୀୟ ଲୋକେ ସେଠାରେ ବେଶ୍ ଗହଳି ଲଗାଇଥିଲେ।
ଲୋକେ ଛୁଆ ହାତୀ ଦେହରେ ହାତ ଲଗାଇବା ପୂର୍ବରୁ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚିଥିଲା। ବନ୍ଧ ନିକଟରେ ହାତୀଛୁଆ ଦେହ ଅସୁସ୍ଥ ଥିବା ଜାଣିବାକୁ ପାଇଥିଲା ବନ ବିଭାଗ। ନିକଟରେ ହିନ୍ଦୋଳ ବନାଞ୍ଚଳରେ ଯେହେତୁ ଦୁଇଟି ହାତୀ କୃମି ପାଇଁ ମୃତ୍ୟୁବରଣ କରିଛନ୍ତି, ତେଣୁ ଛୁଆକୁ କୃମି କିମ୍ବା ହର୍ପିସ୍‌ ରୋଗ ହୋଇଥିବା ପ୍ରାଣୀ ଚିକିତ୍ସକ ଅନୁମାନ କରିଥିଲେ। ହାତୀ ଦେହରେ ହାତ ବାଜିଲେ ଛୁଆ କୁଆଡ଼େ ହାତୀଗୋଠ ସହ ମିଶି ପାରେ ନାହିଁ। ତେଣୁ, ଛୁଆ ଦେହରେ କୌଣସି ପ୍ରକାରେ ହାତ ନ ମାରି ହାତୀର ଚିକିତ୍ସା ପାଇଁ ଟ୍ରାଙ୍କୁଲାଇଜ୍‌ କରିଥିଲା ବନ ବିଭାଗ। ଉଭୟ ହର୍ପସ୍‌ ଏବଂ କୃମି ପରୀକ୍ଷା ପାଇଁ ନମୁନା ସଂଗ୍ରହ ହୋଇଥିଲା। ହାତୀ ଦେହରେ ପ୍ରବଳ କୃମି ଥିବା ପରୀକ୍ଷାରୁ ସ୍ପଷ୍ଟ ହୋଇଥିବା ବେଳେ ହର୍ପିସ୍‌ ରିପୋର୍ଟକୁ ବନ ବିଭାଗ ଅପେକ୍ଷା କରିଛି।
ଆଜି ଦ୍ୱିତୀୟ ଥର ପାଇଁ ପୁଣି ହାତୀଛୁଆକୁ ଟ୍ରାଙ୍କୁଲାଇଜ୍‌ କରି କୃମି ଚିକିତ୍ସା ସାଙ୍ଗକୁ ସାଲାଇନ୍‌ ସହ ଭିଟାମିନ ଦିଆଯାଇଛି।

ସମ୍ବନ୍ଧିତ ଖବର