କଣିହାଁ : ସାବତ ମା’କୁ ମାରିଲା ପୁଅ

କଣିହାଁ : କଣିହାଁ ଥାନା ଚିତଲପୁର ଗାଁରେ ଗତକାଲି ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଟଙ୍କା ଓ ସୁନାଗହଣା ନଦେବାରୁ ସାବତ ମାଆ ବେକରେ ଗାମୁଛା ଗୁଡ଼ାଇ ହତ୍ୟା କରିଛି ୧୦ମ ଶ୍ରେଣୀରେ ପଢ଼ୁଥିବା ପୁଅ। ମୃତ ମହିଳାଙ୍କ ଭାଇ ଏ ସଂପର୍କରେ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଶବ ଜବତ କରିଥିବାବେଳେ ଅଭିଯୁକ୍ତ ନାବାଳକ ପୁଅ ଫେରାର ହୋଇଯାଇଛି। ଏ ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ପୁଲିସ ସୂତ୍ରରୁ ପ୍ରକାଶ, ଚିତଲପୁରର ମନୁ ସାହୁଙ୍କର ୨ଜଣ ପତ୍ନୀ। ପ୍ରଥମ ପତ୍ନୀ ସୁମତି ସାହୁ (୪୬)ଙ୍କର ସନ୍ତାନ ସନ୍ତତି ନହେବାରୁ ମନୁ ଦ୍ବିତୀୟ ବିବାହ କରିଛନ୍ତି। ମନୁଙ୍କର ଦ୍ବିତୀୟ ପତ୍ନୀଙ୍କର ୧୫ ବର୍ଷ ବୟସ୍କ ପୁଅ ଗତକାଲି ରାତି ପ୍ରାୟ ସାଢ଼େ ୮ଟାବେଳେ ସୁମତିଙ୍କୁ ଟଙ୍କା ଓ ସୁନା ଗହଣା ମାଗିଥିଲା। ମନା କରିବାରୁ ନାବାଳକ ଜଣକ ଶୋଇଥିବା ଅବସ୍ଥାରେ ସୁମତିଙ୍କ ବେକରେ ଗାମୁଛା ଗୁଡ଼ାଇ ମାରିଦେଇ ଫେରାର ହୋଇଯାଇଛି। ସୁମତିଙ୍କ ଭାଇ ପରମାନନ୍ଦ ସାହୁ ଗତକାଲି ରାତି ପ୍ରାୟ ୧୦ଟାବେଳେ ଏ ସଂପର୍କରେ କଣିହାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। କଣିହାଁ ଥାନାଧିକାରୀ ପ୍ରଭାତ ତ୍ରିପାଠୀ, ପାଳଲହଡ଼ା ଏସ୍‌ଡିପିଓ ଯଶୋବନ୍ତ ସାମଲ ସାଇଣ୍ଟିଫିକ୍‌ ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି।

ସମ୍ବନ୍ଧିତ ଖବର