ବଅଁରପାଳ: ମାଟିରେ ଜୀବନ ସଞ୍ଚାରି ମାଟିକୁ ବିଭିନ୍ନ ରୂପ ଦେଇ ଭିନ୍ନ ଭିନ୍ନ ପାତ୍ର କିମ୍ବା ସାମଗ୍ରୀ ଗଢି ପାରନ୍ତି ଯିଏ ସିଏ କୁମ୍ଭକାର । ସେମାନେ ମାଟି ମନସ୍କ ହୁଅନ୍ତି, ମାଟି ସହ ମାଟି ହୁଅନ୍ତି, ମାଟିକୁ ଆପଣାପଣରେ ଆଙ୍କିବସନ୍ତି ଆଉ ଶେଷରେ ତାଙ୍କରି ହାତର ସ୍ପର୍ଶରେ ସାମାନ୍ୟ ମାଟି ହୋଇଯାଏ ଏ ଦାମୀ ଜିନିଷ… ଯାହାକୁ ସେମାନେ ବିକି ଗୁଜୁରାଣ ମେଣ୍ଟାନ୍ତି, ସମାଜର ବିଭିନ୍ନ କାମ ପାଇଁ ସାମଗ୍ରୀ ତିଆରନ୍ତି ଆଉ ଏହି ପାର୍ବଣ ଋତୁରେ ମାଟିରେ ତିଆରି ଅନେକ ସାମଗ୍ରୀ ପୂଜାରେ ଲାଗେ । ମାଟିର ସାମଗ୍ରୀ ଗଢିବାକୁ କୁମ୍ଭକାର ଖୋଜା ପଡୁଥିବା ବେଳେ ଏଠି ପ୍ରଶ୍ନ ଉଠେ- ପାର୍ବଣ ଋତୁ ଆସିଲେ କାହିଁକି ସେମାନଙ୍କର ଗୁରୁତ୍ବ ଜଣାପଡେ ? ବାକି ସମୟରେ କାହିଁକି ସେମାନଙ୍କୁ ଖୋଜା ପଡେନି କି ସେମାନେ ଲୋଡ଼ା ପଡନ୍ତିନି ? ପାର୍ବଣ ଋତୁ ଛାଡିଦେଲେ ଅନ୍ୟ ସମୟରେ କେମିତି ଚଳନ୍ତି ସେମାନେ ? ଏ ସବୁ ପ୍ରଶ୍ନ ମନକୁ ଆନ୍ଦୋଳିତ କରୁଥିବା ବେଳେ ଅନୁଗୁଳ ବଅଁରପାଳରୁ ଆସିଥିବା ରିପୋର୍ଟ ସାରା ରାଜ୍ୟର କୁମ୍ଭକାରଙ୍କ ସମସ୍ଯାର ଭାତହାଣ୍ଡିରୁ ଗୋଟିଏ ପରି…
ଜୀବନ ଜୀବିକା ଚିନ୍ତାରେ ବଅଁରପାଳର କୁମ୍ଭକାର ପରିବାର । ଛାଡ଼ିବାକୁ ବସିଲେଣି ସେମାନଙ୍କର କୌଳିକ ବୃତ୍ତି । ପ୍ରୋତ୍ସାହନ ଅଭାବ ସହ ପ୍ଲାଷ୍ଟିକର ବହୁଳ ବ୍ୟବହାର ସହ ଆଧୁନିକତାର ଚାକଚକ୍ୟ ତାଙ୍କ କୌଳିକ ବୃତ୍ତି ବଞ୍ଚାଇବା ପାଲିଟିଛି ଅନ୍ତରାୟ । ପେଟ ଚାଖଣ୍ଡକ ପାଇଁ ଦାନା ଯୋଗାଡ଼ କରିବା ସେମାନଙ୍କ ପାଖରେ ସମ୍ଭବ ହୋଇ ପାରୁନାହିଁ । ମିଳୁନି ସେମାନଙ୍କୁ ସରକାରୀ ପ୍ରୋତ୍ସାହନ । କଞ୍ଚାମାଲ ଏବେ ଅମୂଲମୂଲ । ହାଣ୍ଡି ଆଟିକା ବିକି ଯାହା କିଛି ମିଳୁଛି ସେଥିରେ କୁଟୁମ୍ବ ପୋଷିବା କାଠିକର ପାଠ ହେଲାଣି । ଝାଇଁଝାଟି ଓ ମାଟି ସହଜରେ ମିଳୁନଥିବାରୁ କୁମ୍ଭକାର ବେଉସା ହରାଇବାକୁ ବସଲେଣି।
ବଅଁରପାଳ ବ୍ଲକରେ ରହିଥିବା କୁମ୍ଭକାରମାନେ ମୁଖ୍ୟତଃ ପାର୍ବଣର ୠତୁ ଆସିଲେ ଦେବାଦେବୀଙ୍କ ବ୍ୟବହୃତ ମାଟିପାତ୍ରକୁ ପ୍ରସ୍ତୁତ କରିଥାଆନ୍ତି । ଦେବାଦେବୀଙ୍କର ମହାପ୍ରସାଦ ପ୍ରସ୍ତୁତିରେ ବ୍ୟବହୃତ ହାଣ୍ଡି କୁଡ଼ୁଆ ଦୈନିକ କୁମ୍ଭକାରମାନେ ପୂଜା କମିଟିକୁ ଯୋଗାଇ ଥାଆନ୍ତି । ଏଥିସହ ବଅଁରପାଳ ବଜାର, ସାପ୍ତାହିକ ହାଟ, ମଙ୍ଗଳବାର ଶନିବାର ସାପ୍ତାହିକ ତାଳଚେର, ସାପ୍ତାହିକ ହାଟ ରବିବାର ଅନୁଗୋଳ ଭଳି ଅନେକ ପୂଜା ଭଣ୍ଡାରକୁ ବାଇହାଣ୍ଡି, ଢଲାକୁଡୁଆ, ସମାଧି ହାଣ୍ଡି , ଦୀପ, ଓଳି, ସରା, ତାଡ, କୁମ୍ଭକାର ପରିବାର ପ୍ରସ୍ତୁତ କରି ଯୋଗାଇଥାନ୍ତି l ବିକ୍ରି ପାଇଁ ବିଭିନ୍ନ ପ୍ରକାର ଓଳି ଠାରୁ ଆରମ୍ଭ କରି କୁଡୁଆ ମଧ୍ୟ୍ୟ ସେମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଏ l
ବିବାହ, ବ୍ରତଘର, ଶୁଦ୍ଧିକ୍ରିୟା, ପର୍ବପର୍ବାଣି ସମେତ ବଅଁରପାଳ ଓ ଏହାର ଆଖପାଖ ଅଞ୍ଚଳରେ ରହିଥିବା ମିଠା ଦୋକାନରେ ମଧ୍ୟ କୁଡୁଆ ଏବଂ ଓଳିର ଯଥେଷ୍ଟ ଆବଶ୍ୟକତା ରହିଥିଲା । ଏବେ ଅଧିକାଂଶ ମିଠା ଦୋକାନରେ ମାଟି ଓଳିର ଚାହିଦା କମିବାରେ ଲାଗିଲାଣି । ପ୍ଲାଷ୍ଟିକ ଓ ପଲିଥିନି ବ୍ୟବହାର ଯୋଗୁ ମାଟିପାତ୍ରର ଚାହିବା ଦିନକୁ ଦିନ କମିବାକୁ ବସିଲାଣି । ବଅଁରପାଳ ବ୍ଲକ ବନ୍ଦା ପଞ୍ଚାୟତର ୪୦ରୁ ଅଧିକ କୁମ୍ଭକାର ପରିବାର ରହୁଛନ୍ତି ।
ସେମାନେ ଗଣେଶ, ସ୍ବରସ୍ୱତୀ, ଖୁଦୁରୁକୁଣୀ, କାର୍ତ୍ତିକେୟ ଡାଭିକେୟ ମୂର୍ତ୍ତି ତିଆରି କରିଥାନ୍ତି l ସେଥିରୁ ଦୁଇ ପଇସା ଭଲ ରୋଜଗାର ହୋଇଥାଏ l ହେଲେ ଏବେ କିଛି ବର୍ଷ ହେବ ପଶ୍ଚିମବଙ୍ଗ, ବେଙ୍ଗାଲୁରୁ, ରାଜସ୍ଥାନ ସମେତ ରାଜ୍ୟର ବିଭିନ୍ନ ଅନୁକୋଣରୁ ବିଭିନ୍ନ ଦେବଦେବୀଙ୍କ ମୂର୍ତ୍ତି ଆସି ବଅଁରପାଳର ବିଭିନ୍ନ ବଜାରରେ ବିକ୍ରି କରାଯାଉଛି l କୁମ୍ଭାରଶାଳରେ ନିର୍ମାଣ କରାଯାଇଥିବା ମୂର୍ତ୍ତି ଅପେକ୍ଷା କମ ଦରରେ ଏହି ସବୁ ମୂର୍ତ୍ତି ମିଳୁଛି । ଗ୍ରାହକଙ୍କ ଚାହିବା ସେହିସବୁ ମୂର୍ତ୍ତି ଉପରେ ଦିନକୁ ଦିନ ବଢ଼ିବାରେ ଲାଗିଛି । ମାଟି ଜିନିଷ ଗଢ଼ିବା ପାଇଁ ଆବଶ୍ୟକ ଝାଇଁଝାଟି, କାଠ, ନାଲ ଓ ବନମାଟି ସେତେବେଳେ ହାତ ପାଆନ୍ତାରେ ମିଳୁଥିଲା । ଏବେ ବନମାଟି ମିଳିବା କଷ୍ଟକର ହୋଇପଡ଼ିଛି । ମାଟି ପାଇଁ ବିଭିନ୍ନ ଗାଁ ଉପରେ ନିର୍ଭର କରିବାକୁ ପଡୁଛି
ପୂର୍ବରୁ ମାଟି ଟ୍ରାକ୍ଟର ପିଛା ୧୦୦୦ଟଙ୍କା ପଡୁଥିବା ବେଳେ ଏବେ ଦର ତିନିଗୁଣା ବଢ଼ିଯାଉଛି । ତାହାପୁଣି ପର୍ଯ୍ୟାପ୍ତ ଭାବେ ମିଳୁନାହିଁ । ମାଟି ବସ୍ତା ପିଛା ଏବେ ୧୦୦ ଟଙ୍କା ପଢୁଛି । କାଳକ୍ରମେ ଜଙ୍ଗଲ ନଷ୍ଟ ହୋଇଯାଇଥିବାରୁ ଅଇଁକାଠ ଓ ଝାଟି ମିଳିବା ମଧ୍ୟ ସମ୍ଭବ ହେଉନାହିଁ । ଫଳରେ କୁମ୍ଭକାର ପରିବାର ଏବେ ଦୁର୍ଦିନ ଦେଇ ଗତି କରୁଛନ୍ତି । ଗ୍ରାମ ମାନଙ୍କରେ ଝାଇଁ ଝାଟି ବିଡାକୁ ୫୦ରୁ ୬୦ଟଙ୍କାରେ କିଣିବାକୁ ପଡୁଛି । କଞ୍ଚାମାଲ ର ଦର ଅହେତୁକ ବୃଦ୍ଧି ପାଇଥିଲେ ମଧ୍ୟ ସେହି ଅନୁଯାୟୀ ମୂଲ୍ୟ ମିଳୁନାହିଁ । ଗ୍ରାହକମାନେ ମଧ୍ୟ ଅଧୁକ ଦର ଦେବାକୁ କୁଣ୍ଠାବୋଧ କରୁଛନ୍ତି । ଶବ୍ଦ ଶହ ବର୍ଷର ପରମ୍ପରା ଏବେ ଲୋପ ପାଇଯିବାକୁ ବସିଥିବା ବେଳେ ଜୀବିକା ନେଇ ପ୍ରମାଦ ଗଣୁଛନ୍ତି କୁମ୍ଭକାର ପରିବାର | ସରକାରଙ୍କ ପକ୍ଷରୁ କୌଣସି ପ୍ରୋତ୍ସାହନ ଯୋଗଇ ଦିଆଯାଉ ନାହିଁ । ଘରର ମୁରବି ଠାରୁ ଆରମ୍ଭ କରି ମହିଳାମାନେ ମଧ୍ୟ ଦୈନିକ ସେହି କାମରେ ନିୟୋଜିତ ହୋଇଥାଆନ୍ତି ।
କୁମ୍ଭାର ପରିବାର ଆଇ ମାଟିପାତ୍ରର ଅଧିକାଂଶ ସାମଗ୍ରୀ ତିଆରୁ କରୁନାହାନ୍ତି । ସେସବୁ ଦିନକୁ ଦିନ ଲୋପ ପାଇବାରେ ବସିଲାଣି । ଆଜିର ବଜାର ଦରକୁ ଦେଖି ଏତେ କମ୍ ଟଙ୍କାରେ ଚଳିବା କଷ୍ଟକର ହେଉଥିବାରୁ ଅନେକ କୁମ୍ଭକାର ପରିବାର ନିଜର ପାରମ୍ପରିକ ବ୍ୟବସାୟ ଛାଡ଼ି ଦେଲେଣି । ଆଉ କେତେକ ବାଧ୍ୟ ହୋଇ ଏହି କୌଳିକ ବ୍ୟବସାୟ ଜାବୁଡ଼ି ଧରିଛନ୍ତି । ଏପରି ଅବସ୍ଥା ଲାଗିରହିଲେ ସ୍ଥାନୀୟ ମାଟିପାତ୍ର ଲୋପ ପାଇ ଯିବାର ସମ୍ଭାବନା ରହିଛି । ସରକାର ଓ ସ୍ଥାନୀୟ ରାଜ ନେତା ଏ ଦିଗରେ ଦୃଷ୍ଟି ଦେବାକୁ କୁମ୍ଭାକାର ରୁନୁ ମୁଦୁଲି, ଦମୟନ୍ତୀ ମୁଦୁଲି, ସୁଲୋଚନା ରାଉଳ, ସୁପ୍ରିୟା ରାଉଳ, ସତ୍ୟ ଭାମା ରାଉଳ, ସୁକାନ୍ତି ରାଉଳ, ଶୈଳବାଳା ବେହେରା, ମାଗତା ମୁଦୁଲି, ଅର୍ଜୁନ ବେହେରା ପ୍ରମୁଖ ଦାବି କରିଛନ୍ତି ।