ପାଳଲହଡ଼ା: ଅନୁଗୁଳଜିଲ୍ଲା ପାଳଲହଡା ବ୍ଲକ ପବିତ୍ରପୁର ପଞ୍ଚାୟତର ସାନବାଗଦରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁବାର ଅପରାହ୍ନ ୩ଟାରେ ଏକ ଅଘଟଣ ଘଟିଛି। ସ୍କୁଲର ସହକାରୀ ଶିକ୍ଷକ ଧରଣୀଧର ବେହେରା ପ୍ରଚୁର ମଦ୍ୟପାନ କରି ଛାତ୍ରଛାତ୍ରୀମାନଙ୍କୁ ବାଡ଼ିରେ ପିଟି ଆହତ କରୁଛନ୍ତି। ସେ ୩୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କୁ ପିଟିଥିଲେ ବୋଲି ଛାତ୍ରଛାତ୍ରୀ ଏବଂ ଅବିଭାବକମାନେ ଅଭିଯୋଗ କରିଛନ୍ତି। 

Advertisment

ଏହି ସ୍କୁଲରେ ପ୍ରଥମରୁ ସପ୍ତମ ଯାଏ ୮୪ ଛାତ୍ରଛାତ୍ରୀ ପାଠ ପଢ଼ନ୍ତି। ପ୍ରଧାନଶିକ୍ଷକଙ୍କ ସମେତ ୬ ଜଣ ଶିକ୍ଷକ କାର୍ଯ୍ୟରତ ଅଛନ୍ତି। ଗତକାଲି ଓଟିଇଟି ପରୀକ୍ଷା ଥିବାରୁ ପ୍ରଧାନଶିକ୍ଷକ ସମେତ ତିନିଜଣ ଶିକ୍ଷକ ଅନୁପସ୍ଥିତ ଥିଲେ। ସହକାରୀ ଶିକ୍ଷକ ଧରଣୀଧର ବେହେରା କାଲି ଦାୟିତ୍ଵରେ ଥିଲେ। ସେ ମଧ୍ୟାହ୍ନ ଭୋଜନ ପରେ ପ୍ରଚୁର ମଦ୍ୟପାନ କରିଥିଲେ। ନିଶାସକ୍ତ ହୋଇ ଛାତ୍ରଛାତ୍ରୀମାନଙ୍କୁ କହିଥିଲେ, ମୋତେ ଭୁଇଁ କରି ନେଇ ଅଫିସ ରୁମ୍‌ରେ ଶୁଆଇ ଦିଅ। ଛାତ୍ରଛାତ୍ରୀମାନେ ମନା କରିବାରୁ ତାଙ୍କୁ ଏକ ବାଡ଼ିରେ ନିସ୍ତୁକ ପିଟିଥିଲେ। ପାଖାପାଖି ୩୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ମାଡ଼ ଖାଇଥିବା ଅଭିଯୋଗ ହୋଇଛି। ମଦ୍ୟପ ଶିକ୍ଷକଙ୍କ ମାଡ଼ରେ ଛାତ୍ରଛାତ୍ରୀମାନେ ଆହତ ହେବାସହ ଆଶିଷ ନାହାକ ନାମକ ଏକ ପଞ୍ଚମ ଶ୍ରେଣୀ ଛାତ୍ର ଗୁରୁତର ଆହତ ହୋଇଛି।

ଶିକ୍ଷକଙ୍କ କାଣ୍ଡ ପରେ ଉତ୍ତେଜନା

ଶିକ୍ଷକଙ୍କର ଉନ୍ମତ କାଣ୍ଡ ପରେ ଗାଁରେ ଉତ୍ତେଜନା ଦେଖା ଦେଇଥିଲା। ଗ୍ରାମବାସୀ ଓ ଅଭିଭାବକ ସ୍କୁଲ ପରିସରରେ ପଶି ଏହାର ପ୍ରତିବାଦ କରିଥିଲେ। ମଦ୍ୟପ ଶିକ୍ଷକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଆଜି ସକାଳ ୮ଟାରେ ଗ୍ରାମବାସୀ ଏବଂ ଅଭିଭାବକ ପକ୍ଷରୁ ଅଭିଯୋଗ ପରେ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶ ପରେ ପାଳଲହଡ଼ା ବ୍ଲକ ଶିକ୍ଷାଧିକାରୀ ସତ୍ୟବାଦୀ ସାମଲ ଏହାର ତଦନ୍ତ ଜାରି ତୁରନ୍ତ ରିପୋର୍ଟ ପ୍ରଦାନ କରିବା ପାଇଁ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଶୈଳେନ୍ଦ୍ର କୁମାର ସିଂହ ଏବଂ ସିଆରସିସି ବାହାଦୁର ସାହୁଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଆହୁରି ପଢ଼ନ୍ତୁ: Class4 Student Hangs Himself:ସ୍କୁଲ ଆଇକାର୍ଡରେ ଗଳାକୁ ଚିପି ଜୀବନ ହାରିଲେ ଚତୁର୍ଥ‌ଶ୍ରେଣୀର ଛାତ୍ର

ଘଟଣାର ତଦନ୍ତ ଜାରି

ଆଜି ସ୍କୁଲକୁ ଯାଇ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ, ସିଆରସିସି ଅବିଭାବକ, ଛାତ୍ରଛାତ୍ରୀ ଏବଂ ଗ୍ରାମବାସୀଙ୍କୁ ନେଇ ପ୍ରଧାନଶିକ୍ଷକ ଦିପକ କୁମାର ପ୍ରଧାନଙ୍କ ଉପସ୍ଥିତିରେ ତଦନ୍ତ କରିଥିଲେ। ଅବିଭାବକ, ଗ୍ରାମବାସୀ ଏବଂ ଛାତ୍ରଛାତ୍ରୀ ମଦ୍ୟପ ଶିକ୍ଷକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ବୟାନ ଦେବା ସହ ଦାବି କରିଥିଲେ। ଜିଲ୍ଲା ଶିକ୍ଷାଧିକାରୀ ନିରଞ୍ଜନ ସାହୁ କହିଛନ୍ତି, ମୁଁ ବିଇଓଙ୍କୁ ନିର୍ଦ୍ଦେଶ ଦେଇଛି ତଦନ୍ତ କରି ଆକ୍ସନ ନେବା ପାଇଁ। ବ୍ଲକ ଶିକ୍ଷାଧିକାରୀ ସତ୍ୟବାଦୀ ସାମଲ କହିଛନ୍ତି, ଆଜି ଯାଇଥିବା ଦୁଇଜଣ ଅଧିକାରୀଙ୍କ ତଦନ୍ତ ରିପୋର୍ଟ ମିଳିଲା ପରେ ଧରଣୀଧର ବେହେରାଙ୍କ ବିରୁଦ୍ଧରେ କୋଠର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆଜି ଧରଣୀଧର ବେହେରା ସ୍କୁଲକୁ ଆସି ନଥିବାରୁ ତାଙ୍କର ମତାମତ ମିଳିପାରି ନାହିଁ।

ଆହୁରି ପଢ଼ନ୍ତୁ: Angul: ଅନୁଗୁଳରେ ଆବଶ୍ୟକଠାରୁ କମ୍‌ ଉତ୍ପାଦନ: ଅଣ୍ଡା ପାଇଁ ଆନ୍ଧ୍ର ଭରସା, ୩ କୁକୁଡ଼ା ଫାର୍ମରେ ଚାହିଦା ମେଣ୍ଟିବ କେମିତି?