ଅନୁଗୁଳ, (ରତ୍ନାକର ଭୋଇ): ନିକଟରେ ତାଳଚେର ସାର କାରଖାନା ନିର୍ମାଣ କାର୍ଯ୍ୟର ଅଗ୍ରଗତି ନେଇ କେନ୍ଦ୍ରମନ୍ତ୍ରୀଙ୍କ ସମୀକ୍ଷା ପରେ ଲୋକମାନଙ୍କ ମଧ୍ୟରେ ଯେତିକି ଉତ୍ସାହ ପ୍ରକାଶ ପାଇଛି,‌ ଚୀନ ସହିତ ଭାରତର ଉତ୍ତେଜନାକୁ ଦୃଷ୍ଟିରେ ରଖି ଲୋକମାନଙ୍କ ମନରେ ଆଶଙ୍କା ବି ସେତିକି ରହିଛି।

Advertisment

ତାଳଚେର ସାର କାରଖାନା ଉତ୍‌ଥାନ ପତନ ଦେଇ ଗତି କରିଛି। ୧୯୭୦ ମସିହାରେ ତତ୍କାଳୀନ କେନ୍ଦ୍ର ସାର ମନ୍ତ୍ରୀ ତ୍ରିଗୁଣା ସେନଙ୍କ ଦ୍ବାରା ଶିଳାନ୍ୟାସ ହୋଇଥିବା ତାଳଚେର ସାର କାରଖାନାରୁ ୧୯୮୦ ମସିହାରେ ସାର ଉତ୍ପାଦନ ଆରମ୍ଭ ହୋଇଥିଲା। ପ୍ଲାଣ୍ଟରୁ ଉତ୍ପାଦନ ବୃଦ୍ଧି ହେଉଥିବାବେଳେ ସାରର ଉତ୍ପାଦିତ ମୂଲ୍ୟ ଦର ବଜାର ଦରଠାରୁ ଅଧିକ ହେବା ସହିତ କାରଖାନା କ୍ରମାଗତ ଭାବେ କ୍ଷତି ସହିଥିଲା। ଏଭଳି ସ୍ଥିତିରେ ୧୯୯୯ ମସିହାରେ ଏହି କାରଖାନା ଏକ ପ୍ରକାର ବନ୍ଦ ହୋଇଗଲା। ଅନୁଗୁଳ ଜିଲ୍ଲା ତାଳଚେର ପାଖ ବିକ୍ରମପୁରଠାରେ ୯୩୩ ଏକର ଜମିରେ ନିର୍ମିତ ହୋଇଥିଲା କାରଖାନା, ଟାଉନ୍‌ସିପ୍ ଆଦି। କାରଖାନା ସଂପୂର୍ଣ୍ଣ ବନ୍ଦ ହେବା ପରେ ଦିନରାତି ଚଳଚଞ୍ଚଳ ରହୁଥିବା ଏହି ଅଂଚଳ ଦିନ କେଇଟା ମଧ୍ୟରେ ଶୂନ୍‌ଶାନ୍ ହୋଇଗଲା। କାରଖାନା, ଟାଉନସିପ୍‌ର ୨/୩ ମହଲା ବିଶିଷ୍ଟ କୋଠା, ବିକ୍ରମପୁର ଅତିଥି ଭବନ ଆଦି ଭୂତକୋଠିରେ ପରିଣତ ହୋଇଯାଇଥିଲା। ପରେ ୨୦୦୯ ଓ ୨୦୧୦ ମସିହାରେ ତତ୍କାଳୀନ କେନ୍ଦ୍ର ସାର ରାଷ୍ଟ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ସାର କାରଖାନା ପରିଦର୍ଶନ ପରେ ୨୦୧୨ ମସିହାରେ ଏହାର ପୁନଃରୁଦ୍ଧାର ପାଇଁ ସାଇଟ୍ ଅଫିସ ଉଦ୍‌ଘାଟନ୍ କରିଥିଲେ। ତଥାପି, ଆନ୍ତରିକତାର ଅଭାବ ଯୋଗୁଁ ପ୍ରକଳ୍ପ କାର୍ଯ୍ୟ ଆଗେଇ ପାରିନଥିଲା। କେନ୍ଦ୍ରରେ ଏନ୍‌ଡିଏ ସରକାର କ୍ଷମତାକୁ ଆସିବା ପରେ ଏହି ପ୍ରକଳ୍ପ ପାଇଁ ପଦକ୍ଷେପ ନିଆଯାଇଥିଲା।

ପରିଶେଷରେ ୨୨ ସେପ୍‌‌ଟେମ୍ବର ୨୦୧୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୩,୨୭୭ କୋଟି ଟଙ୍କାର ଏହି ପ୍ରକଳ୍ପ ପାଇଁ ଭୂମିପୂଜା କରିଥିଲେ। କାରଖାନାର ନିର୍ମାଣ କାର୍ଯ୍ୟ ୩୬ ମାସ ମଧ୍ୟରେ ସରିବ ଆଉ ୩୬ ମାସ ପରେ ସେ ପୁଣି ଏହାର ଲୋକାର୍ପଣ କରିବାକୁ ଆସିବେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ‌ମାତ୍ର ଏବେ ଆସନ୍ତା ୨୦୨୩-୨୪ ସୁଦ୍ଧା ଏହି ପ୍ରକଳ୍ପ କାର୍ଯ୍ୟରୁ ଉତ୍ପାଦନ ଆରମ୍ଭ ପାଇଁ ଲକ୍ଷ୍ୟ ରଖାଯାଇଛି। ପ୍ରକଳ୍ପ ନିର୍ମାଣ ପାଇଁ ପ୍ରାକ୍‌ ପ୍ରସ୍ତୁତି ସରିଛି। ବୈଷୟିକ କୋଠା, ପ୍ରଶାସନିକ ଭବନ, ୪୦ କକ୍ଷ ବିଶିଷ୍ଟ ବିକ୍ରମପୁର ଗେଷ୍ଟ ହାଉସର ନବୀକରଣ କାର୍ଯ୍ୟ ଶେଷ ହୋଇଛି। କରୋନା ମହାମାରୀ ସାଂଗକୁ ଭାରତ-ଚୀନ ସୀମା ବିବାଦ ଯୋଗୁଁ ପ୍ରକଳ୍ପ କାର୍ଯ୍ୟ ଆଗେଇ ପାରିନାହିଁ। ନିର୍ମାଣ କାର୍ଯ୍ୟ ଏବେ ବନ୍ଦ ‌ହୋଇ ପଡ଼ିରହିଛି। ୮ ହଜାର କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା କୋଲ୍‌ ଗେସିଫିକେସନ ୟୁନିଟ୍ ଓ ଆମୋନିଆ- ୟୁରିଆ ୟୁନିଟ୍‌ କାମ ଚୀନର ‘ଉହାନ୍ ଇଂଜିନିୟରିଂ କଂପାନି’ ଠିକା ନେଇଛି। ଭାରତରେ ଏଭଳି କାରଖାନା ନିର୍ମାଣ ପ୍ରଥମ। ତେବେ ଏହି ୟୁନିଟ୍ ସ୍ଥାପନଠାରୁ ଉତ୍ପାଦନ ହେବା ପର୍ଯ୍ୟନ୍ତ ସବୁ କାମ ଏହି କଂପାନି ଉପରେ ନ୍ୟସ୍ତ ରହିଛି। ଉତ୍ତେଜନା ପରେ କାମ ବନ୍ଦ ରହିଛି। ଚୀନର ଏହି କଂପାନି ତାଳଚେର ଆସି କାମ ଆରମ୍ଭ କରିବାକୁ ଭାରତ ସରକାରଙ୍କ ଅନୁମତି ମାଗିଥଲେହେଁ ତାହା ଦିଆଯାଇନଥିଲା। ଏଭଳି ସ୍ଥିତିରେ ଲୋକେ କାରଖାନା ନିର୍ମାଣକୁ ନେଇ ଦ୍ବନ୍ଦ୍ବରେ ରହିଥିଲେ। ତେବେ, ଗତ ୨୬ ଅଗଷ୍ଟ ଦିନ କେନ୍ଦ୍ର ପଟ୍ରୋଲୟିମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କାରଖାନାର କାର୍ଯ୍ୟର ଅଗ୍ରଗତି ସଂପର୍କରେ କୋଇଲା ଓ ଖଣି ମନ୍ତ୍ରୀ ଏବଂ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି। କାରଖାନାର ନିର୍ମାଣ କାର୍ଯ୍ୟ ଧାର୍ଯ୍ୟ ସମୟ ମଧ୍ୟରେ ଶେଷ କରିବା ପାଇଁ ଆ‌େଲାଚନା ହୋଇଛି। ତିନି ମନ୍ତ୍ରୀଙ୍କ ଏହି ଆଲୋଚନା ପରେ ଅନୁଗୁଳ ଜିଲ୍ଳାବାସୀଙ୍କ ମଧ୍ୟରେ ନୂଆ ଆଶା ସଂଚାର କରିଛି।

ତେବେ, ସୀମା ବିବାଦକୁ ନେଇ ଚୀନ ସହିତ ପୁଣି ଉତ୍ତେଜନା ପ୍ରକାଶ ପାଇବା ପରେ ଭାରତ ସରକାର ଗତ ୨ ତାରିଖ ଦିନ ୧୧୮ଟି ଚୀନା ଆପ୍ ବ୍ୟାନ୍ କରିଛନ୍ତି। ଆଗରୁ ୫୯ଟି ଆପ୍ ବ୍ୟାନ୍ କରିଥିଲେ। ଏଭଳି ସ୍ଥିତିରେ ତାଳଚେର ସାର କାରଖାନା ନିର୍ମାଣ କାର୍ଯ୍ୟ ପୁଣି ଶୀତଳଭଣ୍ଡାରକୁ ଚାଲିଯିବ ନାହିଁ ତ ବୋଲି ବହୁ ଲୋକମାନଙ୍କ ମନରେ ଆଶଙ୍କା ପ୍ରକାଶ ପାଇଛି।