ଅନୁଗୁଳ : ତାଳଚେର ପାଲଟିଛି ବ୍ରାଉନ୍‌ସୁଗାର କାରବାରର ସେଫ୍‌ ଜୋନ୍‌। ନିଶା ବେପାରୀମାନେ କଲେଜପଢୁଆ ଛାତ୍ରୀଛାତ୍ରଙ୍କୁ ଟାର୍ଗେଟ କରୁଛନ୍ତି। ପୁଲିସ ଗୁଇନ୍ଦା ବିଫଳତା କାରଣରୁ ଏହି ଧଳା ଜହର କାରବାର ବଢ଼ିଚାଲିଥିବାବେଳେ ଏହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଅଭିଭାବକ।

Advertisment

ରାଜଧାନୀ ଭୁବନେଶ୍ୱରରେ କମିଶନରେଟ୍‌ ପୁଲିସର ଘନଘନ ଚଢ଼ଉ ପରେ ଏବେ ନିଶା ବେପାରୀମାନେ ରାଜ୍ୟର କେନ୍ଦ୍ରାଞ୍ଚଳରେ ଅବସ୍ଥିତ ତାଳଚେରମୁହାଁ ହୋଇଛନ୍ତି। ସହର ମଧ୍ୟଭାଗରେ ସେମାନେ ଯୋଜନାବଦ୍ଧ ଭାବେ ନିଜର ନେଟୱାର୍କ ବଢ଼ାଉଛନ୍ତି। ପୁଲିସ ସ୍କାନରରେ ନ ଥିବା ବ୍ୟକ୍ତିଙ୍କୁ ସେମାନେ ଏହି କାର୍ଯ୍ୟରେ ନିୟୋଜିତ କରୁଛନ୍ତି। ଫଳରେ ସେମାନଙ୍କୁ ଧରିବା କାଠିକର ପାଠ ହୋଇପଡୁଛି।

ସୂଚନା ଅନୁଯାୟୀ, ଦୀର୍ଘ ଦିନ ହେଲା ତାଳଚେର ସହରରେ ବ୍ରାଉନସୁଗାର କାରବାର ଚାଲିଛି। ନିଶା ପ୍ରତି ଆକର୍ଷିତ ଥିବା ଯୁବଗୋଷ୍ଠୀକୁ ସେମାନେ ସହଜରେ ବ୍ରାଉନସୁଗାର ଜାଲରେ ଫସାଉଛନ୍ତି। ଏଥିରେ ୧୬ରୁ ୨୦ବର୍ଷ ବୟସର ପିଲା ସର୍ବାଧିକ ପ୍ରଭାବିତ ହେଉଛନ୍ତି। ସହରକୁ ବିଭିନ୍ନ ମାଧ୍ୟମରେ ବ୍ରାଉନସୁଗାର ଆସୁଛି। ଏ ନେଇ ଅବକାରୀ ବିଭାଗ ପାଖରେ ମଧ୍ୟ ସୂଚନା ରହିଛି। ହେଲେ ଅଭିଯୁକ୍ତଙ୍କୁ ଧରିବାରେ ସଫଳତା ମିଳୁ ନ ଥିଲା। ଚଳିତ ବର୍ଷ ଅବକାରୀ ବିଭାଗର ଫ୍ଲାଇଂ ସ୍କ୍ବାଡ୍‌ ଏବଂ ପୁଲିସ ପକ୍ଷରୁ ମିଳିତ ଭାବେ ଚଢ଼ଉ କରାଯାଇ ସ୍ଥାନୀୟ ଅଞ୍ଚଳରୁ ବ୍ରାଉନସୁଗାର ଜବତ କରାଯାଇଥିଲା, ଯାହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ। ଏହି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ କିଛି ଯୁବକ ଗିରଫ ହୋଇଛନ୍ତି। ଏହାପରେ ଉଭୟ ପୁଲିସ ଏବଂ ଅବକାରୀ ବିଭାଗ ଅଧିକାରୀଙ୍କ ଚିନ୍ତା ବଢ଼ିଯାଇଛି।

publive-image Image Courtesy of Young India Face

ବିଶ୍ୱସ୍ତ ସୂତ୍ର ମୁତାବକ, ପୁରୀ, କଟକ, ଖୋର୍ଦ୍ଧା, ଢେଙ୍କାନାଳ ଅଞ୍ଚଳରୁ ତାଳଚେର ସହରକୁ ବ୍ରାଉନସୁଗାର ଆସୁଛି। ଧରାପଡ଼ିବା ଆଶଙ୍କା ଥିବାରୁ ଏବେ କଟକରୁ ଧଳାଜହର ଆଣିବାକୁ ସ୍ଥାନୀୟ ବ୍ୟବସାୟୀ ସୁରକ୍ଷିତ ମଣୁନାହାନ୍ତି। ତେଣୁ ସେମାନେ ଏବେ ପୁରୀ ଏବଂ ଖୋର୍ଦ୍ଧା ଅଞ୍ଚଳର ନିଶା ବେପାରୀଙ୍କ ଆଡ଼କୁ ଢଳିଛନ୍ତି। ତାଳଚେର ପ୍ରଜାମଣ୍ଡଳ ଭବନ, ହାଟତୋଟା ନବନିର୍ମିତ ମାର୍କେଟ କମ୍ପ୍ଲେକ୍ସ, ବାଇପାସ୍‌, ବସ୍‌ଷ୍ଟାଣ୍ଡ୍‌, ତାଳଚେର ରାଜବାଟୀ, କଲେଜ, ପଶ୍ଚିମେଶ୍ୱର ମନ୍ଦିର, ରେମୁଆଁ ଶନିମନ୍ଦିର, ବାଘୁଆବୋଲ ନିକଟସ୍ଥ ଲିଟିଲ୍ ଆଂଜେଲ ସ୍କୁଲ ସମ୍ମୁଖ ପଡ଼ିଆ, ଦେଉଳବେଡ଼ା ଶିବ ମନ୍ଦିର ପରିସର, ଦେଉଳବେଡ଼ା ଧଉଡ଼ାସାହି, ସାପ୍ତାହିକ ହାଟ ପଡ଼ିଆ, ଓ ଶ୍ମଶାନ ପଡ଼ିଆରେ ସକାଳୁ ବିଳମ୍ବିତ ରାତି ଯାଏ ଏହି ଦାମୀ ନିଶା ବେପାର ଚାଲୁଛି। ଖାଲି ଦିଆଶିଲି କିମ୍ବା ସିଗାରେଟ୍‌ର ପ୍ୟାକେଟରେ ସୁରକ୍ଷିତ ଭାବେ ଗ୍ରାହକଙ୍କ ପାଖରେ ପହଞ୍ଚିଯାଉଛି ବ୍ରାଉନ୍‌ ସୁଗାର। ପୁଲିସ ପାଟ୍ରୋଲିଂ ଗାଡ଼ି ଦେଖି ଯୁବକମାନେ ବେଧଡ଼କ ଭାବେ ବ୍ରାଉନ ସୁଗାର ନେଉଛନ୍ତି। କିଛି ଧରାପଡୁଥିବା ନାବାଳକମାନଙ୍କୁ ତାଗିଦ୍‌ କରି ପୁଲିସ ଅଭିଭାବକଙ୍କ ଜିମା ଦେଉଛି। ଏଥିପ୍ରତି ସଚେତନ ହେବାକୁ ପରିବାର ଲୋକଙ୍କୁ କୁହାଯାଉଛି। ତଥାପି ଏହାକୁ ଲୋକ ସେତେଟା ଗୁରୁତ୍ୱ ଦେଉନାହାନ୍ତି। ତେଣୁ କଲେଜପଢୁଆ ପିଲାମାନେ ଧୀରେ ଧୀରେ ନିଶା କବଳିତ ହେଉଛନ୍ତି।
ଏ ସଂକ୍ରାନ୍ତରେ ତାଳଚେର ଅବକ‌ାରୀ ଅଧିକାରୀ ପବନ ଚୌଧୁରୀ କହିଛନ୍ତି, ତାଳଚେର ସହରରେ ଡ୍ରଗ୍ସ କାରବାର ହେଉଥିବା ଖବର ଅଛି। କିନ୍ତୁ କିଏ ବିକ୍ରି କରୁଛି ସେ ସୂଚନା ନଥିବାରୁ ଡ୍ରଗ୍ସ ମାଫିଆମାନଙ୍କୁ ଧରିବା ସମ୍ଭବ ହୋଇପାରୁନାହିଁ । ସେହିପରି ଅବକାରୀ ଏସ୍‌ପି ରମେନ୍ଦ୍ର ନାଏକ କହିଛନ୍ତି, ବ୍ରାଉନସୁଗାର ସହରକୁ ଆସୁଥିବାର ସୂଚନା ନାହିଁ। ଯଦି ଏଭଳି ବେପାର ତାଳଚେର ସହରରେ ହେଉଛି ତେବେ ଖୁବ୍‌ଶୀଘ୍ର ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି।

କେମିତି ଆସୁଛି?
ଜଣେ ଡ୍ରଗ୍ସ ବ୍ୟବସାୟୀ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଯେ, ବିଦେଶରୁ ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ପ୍ରଥମେ ମାଲ ପହଞ୍ଚିଥାଏ। ସେଠାରୁ ପଶ୍ଚିମବଙ୍ଗର କୋଲକାତା ଓ ଖଡ଼ଗପୁରରେ ପହଞ୍ଚିବା ପରେ ପରିବା ଗାଡ଼ି କିମ୍ବା ବାଲେଶ୍ୱରରୁ ମାଛ ନେଇ କୋଲକାତା ଯାଉଥିବା ପିକ୍‌ଅପ୍‌ ଭ୍ୟାନ ଓ ଟ୍ରେନ୍‌ ମାଧ୍ୟମରେ ବାଲେଶ୍ୱର ଓ ଜଳେଶ୍ୱରରେ ଆସି ପହଞ୍ଚିଥାଏ। ପରେ ସେଠାରୁ ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳକୁ ବିଭିନ୍ନ ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିବହନ ଗାଡ଼ିରେ ଅତ୍ୟନ୍ତ ସତର୍କତାର ସହ ଚୋରାଚାଲାଣ କରାଯାଇଥାଏ। ତେବେ ପୁଲିସକୁ ଚକମା ଦେବା ପାଇଁ ନୂଆ ନୂଆ ପାଠପଢୁଆ ଛାତ୍ରଙ୍କୁ ମାଷ୍ଟରମାଇଣ୍ଡ ବେପାର ପାଇଁ ଟାର୍ଗେଟ କରିଥାନ୍ତି। ସେମାନଙ୍କ ଜରିଆରେ ଏହି ବେପାର ଚଳାଇବା ସହ ଗ୍ରାହକଙ୍କୁ ମଧ୍ୟ ଆକର୍ଷିତ କରାଇଥାନ୍ତି। କେବଳ ସେତିକି ନୁହେଁ, ଚଳିତ ବର୍ଷ କୋଭିଡ୍‌ ଯୋଗୁଁ ଲକ୍‌ଡାଉନ୍‌ କଟକଣା ବେଳେ ଗାଡ଼ି ଚଳାଚଳ ବନ୍ଦ ରହିଥିଲା। ସେହି ସମୟରେ ଉକ୍ତ ମାଷ୍ଟରମାଇଣ୍ଡମାନେ ସାଇକେଲ ଦ୍ବାରା ଆସୁଥିବା ପ୍ରବାସୀମାନଙ୍କୁ ପ୍ରାୟ ୩ କିଲୋଗ୍ରାମର ବ୍ରାଉନ୍‌ ସୁଗାର ଦେବା ସହିତ ସେମାନଙ୍କୁୁ ବାଟଖର୍ଚ୍ଚ ବାବଦରେ କିଛି ଟଙ୍କା ଦେଇ ସାଇକେଲ ଦ୍ୱାରା ଓଡ଼ିଶାକୁ ପଠାଇଥିଲେ।  ତାଳଚେର ସହରରେ ଥିବା ବଡ଼ ବଡ଼ ବ୍ୟବସାୟୀମାନେ ଏଥିରେ ମଧ୍ୟ ସମ୍ପୃକ୍ତ ଅଛନ୍ତି। ଉକ୍ତ ବ୍ୟବସାୟୀମାନଙ୍କର ମାଲ ଆସୁଥିବା ଗାଡ଼ିରେ ବ୍ରାଉନ୍‌ସୁଗାର ଆସିଥାଏ। ତାଳଚେର ସହରର କେତେକ ଖୁଚୁରା ବ୍ୟବସାୟୀଙ୍କୁ ଢାଲ କରି ବଡ ବଡ ଏଜେଣ୍ଟମାନେ ବ୍ୟବସାୟ କରୁଛନ୍ତି ବୋଲି ଉକ୍ତ ବ୍ୟବସାୟୀ କହିଛନ୍ତି।