ତାଳଚେର ଶର୍ମାଛକ, ହାଣ୍ଡିଧୂଆଁ ଓଭର ବ୍ରିଜ୍‌ ନୁହେଁ, ହେବ ଅଣ୍ଡର ପାସ୍‌

ଚାରି ଶହ ଦୋକାନିଙ୍କ ପାଇଁ ଖୁସି ଖବର ତ୍ବରିତ ଡିଜାଇନ୍‌, ଚାରି ମାସରେ ନିର୍ମାଣ

ଅନୁଗୁଳ: ତାଳଚେର ଦୋକାନିଙ୍କ ପାଇଁ ଖୁସି ଖବର। ତାଳଚେର- ବିମଳାଗଡ଼ ରେଳପଥ ପାଇଁ ଶର୍ମାଛକ ଓ ହାଣ୍ଡିଧୁଆଁ ଛକ ମଧ୍ୟରେ ରେଳ ବିଭାଗ ଯେଉଁ ଓଭର ବ୍ରିଜ୍‌ ଯୋଜନା କରିଥିଲା, ତାହା ଶେଷରେ ପରିବର୍ତ୍ତନ କରାଯାଇଛି। ସେଠାରେ ଓଭର ବ୍ରିଜ୍ ନୁହେଁ, ବରଂ ଅଣ୍ଡର ପାସ୍‌ ବ୍ୟବସ୍ଥା କରାଯିବାକୁ ଜିଲ୍ଲାପାଳ ମନୋଜ ମହାନ୍ତି ଘୋଷଣା କରିଛନ୍ତି। ଅଣ୍ଡର ବ୍ରିଜ୍‌ର ତ୍ବରିତ ଡିଜାଇନ୍‌ ପ୍ରସ୍ତୁତ କରିବାକୁ କୁହାଯାଇଛି। ଅତି ବେଶିରେ ଚାରି ମାସ ମଧ୍ୟରେ ପୂର୍ତ୍ତ ବିଭାଗ ତା’ର କାମ ଶେଷ କରିବାକୁ ନିର୍ଦେଶ ଦିଆଯାଇଛି। ଜିଲ୍ଲାପାଳଙ୍କ ଏହି ଘୋଷଣାନାମା ପରେ ପାଖାପାଖି ଚାରି ଶହ ଦୋକାନିଙ୍କ ମଧ୍ୟରେ ତିଆରି ହୋଇଥିବା ଉଚ୍ଛେଦ ଭୟ ଶେଷରେ ଦୂର ହୋଇଛି।
ଉଲ୍ଲେଖଯୋଗ୍ୟ, ତାଳଚେର-ବିମଳାଗଡ଼ ରେଳପଥ ପାଇଁ ଶର୍ମାଛକ, ହାଣ୍ଡିଧୁଆଁ ମଧ୍ୟରେ ଓଭର ବ୍ରିଜ୍‌ ନିର୍ମାଣ କରିବାକୁ ରେଳ ବିଭାଗ ଯୋଜନା କରିଥିଲା। ଯାହାକୁ ସ୍ଥାନୀୟ ବ୍ୟବସାୟୀ ସଂଘ ଏବଂ ତାଳଚେର ସୁରକ୍ଷା ମଞ୍ଚ ତୀବ୍ର ବିରୋଧ କରିଥିଲେ। ଯୁକ୍ତି ଦର୍ଶାଇଥିଲେ, ଓଭରବ୍ରିଜ୍‌ ନିର୍ମାଣ ହେଲେ ରାସ୍ତା ସଂକୁଚିତ ହେବ। ଅନେକ ଦୋକାନ ବଜାର ଉଚ୍ଛେଦ ହେବ। ପେଟ ପାଟଣାକୁ ଲାତ ମରାଯିବା ସଦୃଶ ହେବ। ତେଣୁ ଓଭର ବ୍ରିଜ୍‌ ନୁହେଁ, ଆମକୁ ଅଣ୍ଡରପାସ୍‌ ଦରକାର ବୋଲି ଦାବି ହୋଇଥିଲା।
ଦାବି ପୂରଣ ପାଇଁ ଆନ୍ଦୋଳନ, ବନ୍ଦ ପର୍ଯ୍ୟନ୍ତ କଥା ଯାଇଥିଲା। ଏହି ପ୍ରସଙ୍ଗରେ ଗତକାଲି ଜିଲ୍ଲାପାଳ ଶ୍ରୀ ମହାନ୍ତିଙ୍କ ଅଧ୍ୟକ୍ଷତାରେ ପୂର୍ବତଟ ରେଳ କର୍ତୃପକ୍ଷ, ବ୍ୟବସାୟୀ ସ˚ଘ, ଏମ୍‌ସିଏଲ୍‌ ଓ ତାଳଚେର ସୁରକ୍ଷା ମ˚ଚର କର୍ମକର୍ତ୍ତାଙ୍କୁ ନେଇ ଏକ ବୈଠକ ବସିଥିଲା। ବ୍ୟବସାୟକୁ ଦୃଷ୍ଟିରେ ରଖି ସେଠରେ ଓଭର ବ୍ରିଜ୍‌ କରିବା ପରିବର୍ତ୍ତେ ଅଣ୍ଡର ପାସ୍‌ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ରେଳ ବିଭାଗ ପୂର୍ତ୍ତ ବିଭାଗକୁ ଏହାର ସବିଶେଷ ତଥ୍ୟ ୭ ଦିନ ମଧ୍ୟରେ ଦେଲେ ଅଣ୍ତର ବ୍ରିଜ୍‌ର ଡିଜାଇନ୍‌ ସ୍ଥିର ହେବ। ୪ ମାସ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ବୈଠକରେ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି। ବ୍ୟବସାୟୀ ସ˚ଘ ଏଥିରେ ସହଯୋଗ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ଅଣ୍ତର ବ୍ରିଜ୍‌ ନିର୍ମାଣ ସମୟରେ ଭାରିଯାନ ଯାତାୟତ ନିମନ୍ତେ ରେଳ ବିଭାଗ ଏକ ବାଇପାସ୍‌ ରାସ୍ତା ନିର୍ମାଣ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ଜିଲ୍ଲାପାଳଙ୍କ ଏହି ନିଷ୍ପତ୍ତି ପରେ ଶର୍ମା ଛକ ଓ ହାଣ୍ତିଧୁଆ ଛକର ଉଭୟ ପାର୍ଶ୍ବର ଦୋକାନିଙ୍କୁ ଘାରିଥିବା ଉଚ୍ଛେଦ ଭୟ ଦୂର ହୋଇଛି। ୪୦୦ରୁ ଅଧିକ ଦୋକାନିଙ୍କ ମଧ୍ୟରେ ଖୁସି ଖେଳିଯାଇଛି। ବୈଠକରେ ସମ୍ବଲପୁରରୁ ତାଳଚେର ରେଳପଥ ଦୋହରିକରଣ ନିମନ୍ତେ ଜମି ଅଧିଗ୍ରହଣ ସମୀକ୍ଷା କରାଯାଇଥିଲା। ଏଥିପାଇଁ ୬୭ଟି ଗାଁର ୫୫୧.୨୨୫ ଏକର ଜାଗା ଅଧିଗ୍ରହଣ ହେବାକୁ ଥିବା ବେଳେ ବର୍ତ୍ତମାନ ସୁଦ୍ଧା ୨୯୭.୧୨୫ ଏକର ଜାଗା ଅଧିଗ୍ରହଣ ହୋଇ ରେଳ ବିଭାଗକୁ ହସ୍ତାନ୍ତର କରାଯାଇଛି ବୋଲି ବିଭାଗୀୟ ଯନ୍ତ୍ରୀ ସୂଚନା ଦେଇଥିଲେ। ବୈଠକରେ ତାଳଚେର ଉପଜିଲ୍ଲାପାଳ ପରେଶ ଚନ୍ଦ୍ର ନାୟକ, ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ ସୂର୍ଯ୍ୟନାରାୟଣ ଆଚାର୍ଯ୍ୟ, ତାଳଚେର ସୁରକ୍ଷା ମ˚ଚର ସଭାପତି ମୁରଲୀଧର ସାହୁ, ପୂର୍ବତଟ ରେଳ ବିଭାଗର ଉପମୁଖ୍ୟ ପରିଚାଳକ ନିର˚ଜନ ନାୟକ, ଉପମୁଖ୍ୟ ଯନ୍ତ୍ରୀ ଏସ. କେ. ସରାଗୀଙ୍କ ସମେତ ଏମ୍‌ସିଏଲ୍‌ ଓ ବ୍ୟବସାୟୀ ପ୍ରତିଷ୍ଠାନର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର