ତଲେଇପଥରରେ ଭୟାବହ ଅଗ୍ନିକାଣ୍ଡ:୨୯ ବଖରା ଛାରଖାର

ଆଠମଲ୍ଲିକ/ଠାକୁରଗଡ଼/ ପାଇକସାହି: ଆଠମଲ୍ଲିକ ବ୍ଲକ୍‌ ସାନହୁଲା ପଞ୍ଚାୟତ ତଲେଇପଥର ଗାଁରେ ଆଜି ଅପରାହ୍ଣ ପ୍ରାୟ ୩ଟାବେଳେ ଭୟାବହ ଅଗ୍ନିକାଣ୍ତ ଘଟିଛି। ଏଥିରେ ୮ଟି ପରିବାରର ପ୍ରାୟ ୨୯ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ସୂଚନା ଅନୁଯାୟୀ, ଆଜି ମଧ୍ୟାହ୍ନରେ ପ୍ରବଳ ଖରା ହୋଇଥିଲା। ଦିନ ୩ଟାବେଳେ ସାନନ୍ଦ ସାହୁଙ୍କ ଘରେ ନିଆଁ ଲାଗିଥିବା ଜଣାପଡ଼ିଥିଲା। ପରେ ନିଆଁ ମାଡ଼ି ଚାଲିଥିଲା। ସାନନ୍ଦଙ୍କର ୬ ବଖରା ଘର ଜଳିଯାଇଥିବାବେଳେ ଗାଁର ସାଗର ନାୟକ ଓ ଜଗନ୍ନାଥ ନାୟକଙ୍କର ୧ ବଖରା ଲେଖାଏଁ, କେଶବ ନାୟକଙ୍କର ୫ ବଖରା, ଛବି ନାୟକଙ୍କର ୪ ବଖରା,ପହଲି ନାୟକଙ୍କର ୬ ବଖରା, ଦନେଇ ନାୟକ ଓ ମମତା ନାୟକଙ୍କର ୩ ବଖରା ଲେଖାଏଁ ଘର ପୋଡ଼ିଯାଇଥିବା ଜଣାପଡ଼ିଛି। ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସଂପତ୍ତି ନଷ୍ଟ ହୋଇଛି। ଅାଠମଲ୍ଲିକ ଅଗ୍ନିଶମ ବାହିନୀ ନିଆଁ ଲିଭାଇଥିଲେ। ବିଳମ୍ବରେ ଦମକଳ ଗାଡ଼ି ପହଞ୍ଚିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। ଘଟଣାସ୍ଥଳରେ ଠାକୁରଗଡ଼ ଥାନାଧିକାରୀ ଗବାକ୍ଷ ନାୟକ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ଆର୍‌ଆଇ ବିଶ୍ବଜିତ ମୁଦୁଲି, ରଶ୍ମିରଂଜନ ହୋତା, ଅତିରିକ୍ତ ତହସିଲଦାର ଅଶୋକ ଦେହୁରୀ ପହଞ୍ଚି କ୍ଷୟକ୍ଷତି ଆକଳନ କରିଥିଲେ। ବିଜେଡି ବିଧାୟକ ପ୍ରାର୍ଥୀ ରମେଶଚନ୍ଦ୍ର ସାଏ ପହଞ୍ଚି ବିପନ୍ନ ଲୋକଙ୍କୁ ଆଶ୍ବାସନା ଦେଇଥିଲେ। ପ୍ରଶାସନ ପକ୍ଷରୁ ବିପନ୍ନ ପରିବାରକୁ ରିଲିଫ୍‌ ଦିଆଯାଇଛି। ସମସ୍ତ ବିପନ୍ନଙ୍କୁ ପକ୍‌କା ଘର ଯୋଗାଇ ଦିଆଯିବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର