ଅନୁଗୁଳ: ତାଳଚେର ପବିତ୍ର ମୋହନ ମେଡିକାଲ୍‌ କଲେଜ ଓ ଡାକ୍ତରଖାନା କାର୍ଯ୍ୟକ୍ଷମ ହେବା ନେଇ ଆଶା ବଢ଼ିଛି। ଆସନ୍ତା ଶିକ୍ଷାବର୍ଷରୁ ଏଠାରେ ନାମଲେଖା ହୋଇ ପାଠପଢ଼ା ଆରମ୍ଭ ହେବ ବୋଲି ରାଜ୍ୟ ସରକାର କହିଛନ୍ତି। ତାଳଚେର ବିଧାୟକ ବ୍ରଜକି‌ଶୋର ପ୍ରଧାନଙ୍କ ପ୍ରଶ୍ନର ଉତ୍ତରରେ ସ୍ବାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ବିଧାନସଭାରେ ଏହା କହିଛନ୍ତି। ଅନୁଗୁଳ ଜିଲ୍ଲା ତାଳଚେରରେ ଏମ୍‌ସିଏଲ୍‌ ପକ୍ଷରୁ ପବିତ୍ର ମୋହନ ମେଡିକାଲ କଲେଜ ଓ ଡାକ୍ତରଖାନା ପାଇଁ କୋଠା ନିର୍ମାଣ କରାଯାଇଛି। ଏହି ମେଡିକାଲ କଲେଜର କୋଠା ୨୦୧୯ରୁ ଉଦ୍‌ଘାଟିତ ହୋଇଛି। ହେଲେ ବିଭିନ୍ନ କାରଣ ପାଇଁ କାର୍ଯ୍ୟକ୍ଷମ ହୋଇପାରିନି। ସରକାର ସମୟ ଗଡ଼ାଉଥିଲେ ମଧ୍ୟ ଏହାକୁ ଚଳାଇବା ପାଇଁ କୌଣସି ଠୋସ୍‌ ପଦକ୍ଷେପ ନେଉନାହାନ୍ତି। ଏହାକୁ ନେଇ ତାଳଚେରରେ ପ୍ରବଳ ଜନଅସନ୍ତୋଷ ଦେଖା ଦେଲାଣି। ଏପଟେ ରାଜ୍ୟରେ ବିଜେପି ସରକ‌ାର ଆସିବା ପରେ ଏହି ମେଡିକାଲ କଲେଜ କାର୍ଯ୍ୟକ୍ଷମ ନେଇ ସମ୍ଭାବନା ବଢ଼ିଥିଲା। 

Advertisment

ମାସେ ତଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁ‌ଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରାଯାଇଥିଲା। ଏହି ବୈଠକରେ ଓଡ଼ିଶାର ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ପାଳଲହଡ଼ା ବିଧାୟକ ଅଶୋକ ମହାନ୍ତି, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରାଙ୍କ ସମେତ ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ, ଅନୁଗୁଳ ଜିଲ୍ଲାପାଳ ଓ ଏମ୍‌ସିଏଲ୍‌ର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ମେଡିକାଲ କଲେଜ ଓ ଡାକ୍ତରଖାନା ପାଇଁ ଭିତ୍ତିଭୂମି ନିର୍ମାଣ ଶେଷ ହୋଇଥିଲେ ମଧ୍ୟ କେଉଁ କାରଣ ପାଇଁ ଏହା ଚାଲି ପାରୁନି ସେ ସଂପର୍କରେ ସବିଶେଷ ଆଲୋଚନା ହୋଇଥିଲା। ପରେ ଆସନ୍ତାବର୍ଷରୁ ଏଠାରେ ପାଠପଢ଼ା ପାଇଁ  ଜାତୀୟ ସ୍ବାସ୍ଥ୍ୟ କମିସନ (ଏନ୍‌ଏମ୍‌ସି) ପାଖରେ ଆବେଦନ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଆଉ ଏବେ ସ୍ବାସ୍ଥ୍ୟମନ୍ତ୍ରୀ ଏହି କଥା ବିଧାନସଭାରେ କହିବା ପରେ ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବା ଆଶା ବଢ଼ିଛି। 

ମନ୍ତ୍ରୀ କହିଛନ୍ତି, ୨୦୨୫-୨୬ରୁ ଏହି ମେଡିକାଲ କଲେଜରେ ନାମଲେଖା ହେବ। ଆବଶ୍ୟକ ବିଶେଷଜ୍ଞ ଡାକ୍ତର ନିଯୁକ୍ତ କରିବାକୁ ମଧ୍ୟ ପ୍ରକ୍ରିୟା ଆରମ୍ଭ ହୋଇଛି। ସରକାର ଏ ଦିଗରେ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି। ସୂଚନା ଅନୁସାରେ, ପ୍ରଥମ ପର୍ଯ୍ୟାୟରେ ୧୦୦ ଏମ୍‌ବିବିଏସ୍‌ ଆସନରେ ପାଠପଢ଼ା ପାଇଁ ଜାତୀୟ ସ୍ବାସ୍ଥ୍ୟ କମିସନ୍‌ (ଏନ୍‌ଏମ୍‌ସି) ପାଖରେ ଆବେଦନ କରାଯିବ। ଏପଟେ ଏହାର ଟିଚିଂ ହସ୍‌ପିଟାଲ୍‌ ଭାବେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବହାର କରାଯିବ। ତାଳଚେର ପବିତ୍ର ମୋହନ ସରକାରୀ ଡାକ୍ତରଖାନା ତୁଳନାରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀସଂଖ୍ୟା ଅଧିକ ରହୁଥିବାରୁ ଓ ଭିତ୍ତିଭୂମି ଅପେକ୍ଷାକୃତ ଭଲ ଥିବାରୁ ଏହାକୁ ‌ମେଡିକାଲ କଲେଜ ସହ ଯୋଡ଼ାଯିବ। ଏଥିପାଇଁ ଅନୁଗୁଳରୁ ତାଳଚେର ମେଡିକାଲ କଲେଜ ପର୍ଯ୍ୟନ୍ତ ରାସ୍ତାର ଉନ୍ନତୀକରଣ କରିବ‌ାକୁ ନିଷ୍ପତ୍ତି ହୋଇଛି।