ଜଙ୍ଗଲ ବିବାଦକୁ ନେଇ ପାଟକମୁଣ୍ଡା ଓ ବିଜାପଦାରେ ଉତ୍ତେଜନା

ଛେଣ୍ଡିପଦା: ଜଙ୍ଗଲ ବିବାଦକୁ ନେଇ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ପାଟକମୁଣ୍ଡା ଓ ବିଜାପଦା ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି। ସୂଚନାଯୋଗ୍ୟ ପାଟକମୁଣ୍ଡା ଗ୍ରାମବାସୀ ଗତ ୪୫ ବର୍ଷ ପୂର୍ବରୁ ଜଙ୍ଗଲକୁ ଜଗରଖା କରି ଚଳୁଥିଲେ। ଗ୍ରାମର ୧୮ ପରିବାର ୧୫ ବର୍ଷ ପୂର୍ବରୁ ପାଟକମୁଣ୍ଡା ଗାଁ ଛାଡି ପାଟକମୁଣ୍ଡା ଜଙ୍ଗଲ ତଥା ବିଜାପଦା ଗ୍ରାମରେ ବସତି ସ୍ଥାପନ କରିଥିଲେ।

ବସତିସ୍ଥାପନ ପରେ ଦୁଇ ଗ୍ରାମରେ ଜଙ୍ଗଲ ବିବାଦ ଆରମ୍ଭ ହୋଇଛି। ସମୟକ୍ରମେ ୧୮ ପରିବାରରୁ ବିଭିନ୍ନ ଅଞ୍ଚଳରୁ ଆସି ବିଜାପଦା ଗ୍ରାମରେ ସାମିଲ ହୋଇ ୫୦ ପରିବାରକୁ ବୃଦ୍ଧି ପାଇଛି। ବିଜାପଦା ଗ୍ରାମବାସୀ ଜଙ୍ଗଲର ଅଧା ଦାବି କରି ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଛନ୍ତି। ଉଚ୍ଚ ନ୍ୟାୟାଳୟ ବିବାଦ ସମାଧାନ ପାଇଁ ବନ ବିଭାଗ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି। ରାଜନୈତିକ ହସ୍ତକ୍ଷେପ ଯୋଗୁଁ ଗତ ୧୫ ବର୍ଷ ଧରି ଦୁଇ ଗ୍ରାମରେ ବିବାଦ ଲାଗିରହିଛି। ବିବାଦୀୟ ପରିସ୍ଥିତିରେ ଗତ ଶୁକୃବାର ଦିନ ବିଜାପଦା ଗ୍ରାମର ଦୁଇଯୁବକ ବିବାଦୀୟ ଜଙ୍ଗଲରୁ ଗୋଟିଏ ଶାଳଗଛ ଧରି ସାଇକେଲରେ ଗାଁକୁ ଆଣୁଥିଲେ। ଆଣିବା ବାଟରେ ପାଟକମୁଣ୍ଡା ଗ୍ରାମବାସୀ ଅଟକ ରଖି ବନ ବିଭାଗକୁ ହସ୍ତାନ୍ତର କରିଥିଲେ। ଏହାକୁ ନେଇ ଗତ ୧୫ ବର୍ଷର ବିବାଦ ପୁଣି ଦୁଇ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି। ଘଟଣାକୁ କେନ୍ଦ୍ରକରି ବିଜାପଦା ଗ୍ରାମବାସୀଙ୍କ ପକ୍ଷରୁ ପାଟକମୁଣ୍ଡା ଗ୍ରାମର ୭ ଜଣଙ୍କ ନାଁରେ ମାଡପିଟ ଓ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ନେଇ ଥାନାରେ ଅଭିଯୋଗ କରିଥିଲେ।

ଅପରପକ୍ଷେ ପାଟକମୁଣ୍ଡା ଗ୍ରାମବାସୀଙ୍କ ପକ୍ଷରୁ ବିଜାପଦା ଗ୍ରାମର କେଶବ ପ୍ରଧାନ(୩୨)ଙ୍କ ନାଁରେ ଫୋନରେ ଗାଳିଗୁଲଜ କରିବା ନେଇ ପାଲଟା ଅଭିଯୋଗ କରିଥିଲେ। ଦୁଇ ପକ୍ଷର ଅଭିଯୋଗରେ ଛେଣ୍ଡିପଦା ପୋଲିସ ଆଜି ଦୁଇଗ୍ରାମର କର୍ମକାର୍ତ୍ତାଙ୍କୁ ନେଇ ବିବାଦ ସମାଧାନ ପାଇଁ ୩ ଘଣ୍ଟା ଧରି ବୈଠକ ବସିଥିଲା। ବ୍ଲକ ଅଧକ୍ଷ ଅଶୋକ କୁମାର ପ୍ରଧାନ, ସରପଞ୍ଚ ଡିଲେଶ୍ୱର ସ୍ୱାଇଁ, ବିଜେପି ନେତା ଅଗସ୍ତି ବେହେରା, ସୁଦୀପ୍ତ ପ୍ରଧାନଙ୍କ ଉପସ୍ଥିତିରେ ଆୟୋଜିତ ବୈଠକରେ ସମାଧାନ ନହେବାରୁ ରବିବାର ଦିନ ଛେଣ୍ଡିପଦା ରେଞ୍ଜରଙ୍କ ଉପସ୍ଥିତିରେ ବୈଠକ ପାଇଁ ସ୍ଥିର କରାଯାଇଥିଲା। ସେପର୍ଯ୍ୟନ୍ତ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଦୁଇ ଗାଁକୁ କୁହାଯାଇଛି।

ସମ୍ବନ୍ଧିତ ଖବର