ବାଇକ୍‌ ଚୋରି ବେଳେ ୨ ଧରାପଡ଼ିଲେ

ଅନୁଗୁଳ: ଆଉ ମାତ୍ର ଗୋଟିଏ ମିନିଟ୍‌ରେ ଉଭାନ୍‌ ହୋଇଯାଇଥାନ୍ତା ବାଇକ୍‌! ଏତିକିବେଳେ ସୁରକ୍ଷା କର୍ମୀଙ୍କର ନଜର ପଡ଼ିଲା। ଗୋଟିଏ ବାଇକ୍‌ରେ ଆସିଲେ, ହେଲେ ଦୁଇଟି ନେଇ ଯିବାକୁ ବସିଛନ୍ତି ଭାବି କର୍ମୀ ତାଙ୍କୁ ବାସ୍ତବ କଥା କଣ ପଚାରିବାକୁ ଅଟକାଇଲେ। ହେଲେ ସେମାନେ ଦଉଡ଼ିବା ଆରମ୍ଭ କରିଥିଲେ। ସୁରକ୍ଷାକର୍ମୀ ବି ନିକମ୍ମା ନଥିଲେ। ଗୋଡ଼ାଇ ଗୋଡ଼ାଇ ମାଡ଼ି ବସିଲେ। ପରେ ଉଭୟଙ୍କୁ ପୁଲିସ୍‌ ଜିମା ଦେଇଥିଲେ। ଏଭଳି ଏକ ଘଟଣା  ମୁଖ୍ୟ ଚିକିତ୍ସାଳୟ ପରିସରରେ ଘଟିଥିଲା। ପୁଲିସ୍‌ ତଦନ୍ତ ପରେ ଉଭୟ ବଅଁରପାଳ ଥାନା ଅଧୀନ ଭାଗବତପୁର ଗ୍ରାମର ସିଦ୍ଧାନ୍ତ ପଟ୍ଟନାୟକ(୨୩) ଓ ଗଡ଼ସନ୍ତରୀ ଗ୍ରାମର ବିଶ୍ୱଜିତ ସାହୁ(୧୮) ବୋଲି ଜଣାପଡ଼ିଛି। ସେମାନେ ଏକ ବାଇକ୍‌ ଯୋଗେ ମେଡ଼ିକାଲରେ ପହଞ୍ଚିଥିଲେ।

କିଛି ସମୟ ପରେ ସିଦ୍ଧାନ୍ତ ବାଇକ୍‌ରେ ବସିଥିବା ବେଳେ ବିଶ୍ୱଜିତ୍‌ ଅନ୍ୟ ଏକ ବାଇକ୍‌ ଖୋଲିବାକୁ ଚେଷ୍ଟା କରୁଥିବା ବେଳେ ଏହି ଘଟଣା ଘଟିଥିଲା। କେବଳ ଏହି ଘଟଣା ନୁହେଁ, ସହରର ପ୍ରମୁଖ ସ୍ଥାନମାନଙ୍କରୁ ଗୋଟିଏ ମାସ ଭିତରେ ୫ରୁ ଊର୍ଦ୍ଧ୍ୱ ବାଇକ୍‌ ଚୋରି ହୋଇଛି। ଏମାନଙ୍କୁ ପୁଲିସ୍‌ ଗିରଫ କରିବା ସହ ସେମାନେ ଆଣିଥିବା ବାଇକ୍‌କୁ ଜବତ କରି ତଦନ୍ତ ଆରମ୍ଭ କରିଛି। ଅନ୍ୟ ଚୋରି ବାଇକ୍‌ ସମ୍ବନ୍ଧରେ ତଥ୍ୟ ମିଳିବା ନେଇ ଆଶା କରାଯାଉଛି।

ସମ୍ବନ୍ଧିତ ଖବର