ମିନିଟ୍ରକ-ଅଟୋରିକ୍ସା ମୁହାଁମୁହିଁ ଧକ୍କା, ପୋଲ ତଳକୁ ଖସି ୨ ମୃତ, ୩ ଆହତ

ଅନୁଗୁଳ: ଜାତୀୟ ରାଜପଥ ନମ୍ବର ୫୫ର ମାତେଳିଆ ବ୍ରିଜ ଉପରେ ମିନିଟ୍ରକ-ଅଟୋରିକ୍ସା ମୁହାଁମୁହିଁ ଧକ୍କା ହେବାରୁ ଦୁର୍ଘଟଣାର ସମ୍ମୁଖୀନ ହୋଇ ଗୁରୁବାର ୨ଜଣଙ୍କର ମୃତ୍ୟୁ ହୋଇଥବା ବେଳେ ୨ଜଣ ଗୁରୁତର ହୋଇଛନ୍ତି। ଅଟୋ ଚାଳକ ବେଣୁଧର ଭୋଇ (୪୫) ଓ ଫଗୁଆ ନାଏକ(୭୦)ଙ୍କ ମୃତ୍ୟୁ ହୋଇଛି। ଗୁରୁତରଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଥିଲା। ମାତ୍ର ଅବସ୍ଥା ସଙ୍କଟାପନ୍ନ ଥିବାରୁ ବାନାମ୍ବର ଓ ତାଙ୍କର ପତ୍ନୀ ସୁଲୋଚନାଙ୍କୁ କଟକ ବଡ଼ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି।

ମିଳିଥିବା ସୂଚନା ଅନୁସାରେ ବନ୍ତଳା ଥାନା ଅନ୍ତର୍ଗତ ନନ୍ଦପୁର ଗ୍ରାମପଞ୍ଚାୟତର ରାଜନଗର ଗ୍ରାମର ବାନାମ୍ବର ନାଏକ ସକାଳୁ ନିଜର ପିତା ଫଗୁଆ ନାଏକଙ୍କୁ ନେଇ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଯାଇଥିଲେ। ଚିକିତ୍ସା ସାରି ଫେରିବା ବାଟରେ ସେମାନେ ମାତୋଳିଆ ବ୍ରିଜ ଉପରେ ଦୁର୍ଘଟଣାର ଶିକାର ହୋଇଥିଲେ।

ସୂଚନା ଅନୁସାରେ ଅପରାହ୍ନ ୩ଟା ୩୦ରେ ବିପରୀତ ଦିଗରୁ ଆସୁଥିବା ମିନିଟ୍ରକ(ଓଡି୧୯ଏଚ ୫୮୬୬) ଅଟୋରିକ୍ସା(ଓଡ଼ି ୧୯ଏ ୬୨୬୩)କୁ ଧକ୍କା ଦେଇଥିଲା। ଫଳରେ ଉଭୟ ମିନିଟ୍ରକ ଓ ଅଟୋରିକ୍ସା ପୋଲ ତଳକୁ ଖସି ପଡ଼ିଥିଲା। ଅଟୋ ଉପରେ ମିନିଟ୍ରକ ଚାପି ହୋଇଯାଇଥିବା ଜଣାପଡ଼ିଛି। ସ୍ଥାନୀୟ ଲୋକଙ୍କ ଦ୍ୱାରା ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳକୁ ପହଞ୍ଚି ୨ଟି ମୃତଦେହ ଉଦ୍ଧାର କରିବା ସହିତ ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରି ଘଟଣାର ତଦନ୍ତ କରୁଛି। ସେହିଭଳି ସ୍ଥାନୀୟ ଲୋକେ ମିନିଟ୍ରକ ଓ ଅଟୋରିକ୍ସାକୁ ବାହାର କରିବାକୁ ଉଦ୍ୟମ କରୁଛନ୍ତି।

ସମ୍ବନ୍ଧିତ ଖବର