ଅନୁଗୁଳ: ଏନଟିପିସି ଟାଉନ୍‌ ଥାନା ଅନ୍ତର୍ଗତ ଗଡ଼ଶିଳା ଗାଁରେ ସୋମବାର ରାତି ଶ୍ୱାସରୁଦ୍ଧ ଯୋଗୁଁ ୨ ଜଣ ମିସ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ପଶ୍ଚିମବଙ୍ଗର ମେଦିନାପୁର ଅଂଚଳର। ସେମାନେ ଗଡ଼ଶିଳା ଗାଁର ହେମନ୍ତ ପ୍ରଧାନଙ୍କ ଘର କାମ କରୁଥିଲେ। ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଦୁଇ ବଙ୍ଗୀୟ ଯୁବକ କୋଇଲା ଆଞ୍ଚ ଲଗାଇ ଶୋଇଥିଲେ। ଶୋଇବା ପୂର୍ବରୁ ସେମାନେ ଭିତର ପାର୍ଶ୍ୱରୁ କବାଟ ବନ୍ଦ କରିଥିଲେ। ରାତିରେ କୋଇଲା ଜଳି କୋଠରୀ ଭିତର ଧୂଆ ହୋଇଯାଇଥିଲା।

Advertisment

publive-image

ଆଜି ସକାଳୁ ବଙ୍ଗୀୟ ଯୁବକ ଶୋଇଥିବା ଘର କବାଟ ଖୋଲି ନଥିଲା। ଦୀର୍ଘ ସମୟ ପର୍ଯ୍ୟନ୍ତ ଭିତର ପାର୍ଶ୍ୱରୁ କବାଟ ବନ୍ଦ ରହିବା ପରେ ସ୍ଥାନୀୟ ଲୋକଙ୍କ ସନ୍ଦେହ ଜାତ ହୋଇଥିଲା। ଏହା ପରେ ସେମାନେ ପୁଲିସକୁ ସୂଚନା ଦେଇଥିଲେ।

ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଂଚି କବାଟ ଭାଙ୍ଗି ଘର ଭିତରକୁ ପ୍ରବେଶ କରିଥିଲା। ପୁଲିସ ଘର ଭିତରୁ ୨ଜଣଙ୍କ ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛି। ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, କୋଇଲା ଆଞ୍ଚ ଜଳୁଥିବାରୁ ଶ୍ୱାସରୁଦ୍ଧ ହୋଇ ୨ଜଣଙ୍କ ମୃତ୍ୟୁ ହୋଇଛି। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ କହିଛି।