ଅନୁଗୁଳ: ଦୁର୍ଘଟଣାଗ୍ରସ୍ତ ୨ ଟ୍ରକ୍‌ରୁ ତେଲ-ସ୍ନାକ୍ସ ଲୁଟିଲେ ସ୍ଥାନୀୟ ଲୋକେ, ଚାଳକ ଦ୍ୱୟ ହସ୍ପିଟାଲରେ ଭର୍ତ୍ତି

ଅନୁଗୁଳ: କିଶୋରନଗର ଥାନା ଅନ୍ତର୍ଗତ ତାଳପକା ନିକଟରେ ମଙ୍ଗଳବାର ଅପରାହ୍ନରେ ୨ଟି ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍ମା ହେବା ଫଳରେ ଚାଳକ ଦ୍ୱୟ (ଜୀବନ ଜେନା ଓ ଶ୍ରୀରାମ ସିଂହ) ଗୁରୁତର ଆହତ ହୋଇଛନ୍ତି। ଉଭୟ ଟ୍ରକ୍‌ର ଚାଳକଙ୍କୁ ଗୁରୁତର ଅବସ୍ଥାରେ କିଶୋରନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସୂଚନା ପାଇ ପୁଲିସ ଘଟଣାସ୍ଥଳକୁ ପହଞ୍ଚିବା ପୂର୍ବରୁ ଦୁର୍ଘଟଣାଗ୍ରସ୍ତ ଟ୍ରକ୍‌ରୁ ତେଲ ଓ ସ୍ନାକ୍ସ ଲୁଟ ହେଉଥିବା ଦେଖିବାକୁ ପାଇଛି।

ମିଳିଥିବା ସୂଚନା ଅନୁସାରେ ଆଜି ଅପରାହ୍ନ ୧ଟାରେ ତାଳପକା ଗାଁ ନିକଟରେ ତେଲ ଟ୍ୟାଙ୍କର(ଓଡ଼ି-୦୨ଏବି ୨୨୧୬) ଚାଳକ ଭାରସାମ୍ୟ ହରାଇ ସ୍ନାକ ନେଇ ଯାଉଥିବା ଟ୍ରକ୍‌(ଏନ୍‌ଏଲ୍‌ ୦୧ଏବି୯୧୭୮)କୁ ମୁହାଁମୁହିଁ ଧକ୍କା ଦେଇଥିଲା। ଫଳରେ ଉଭୟ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ନିକଟରେ ଥିବା ତାଳପକା ଗାଁର ଲୋକେ ଦୁର୍ଘଟଣା ସଂପର୍କରେ ଜାଣିବା ପରେ କିଛି ସହୃଦୟ ବ୍ୟକ୍ତିମାନେ ଉଭୟ ଗାଡ଼ିର ଚାଳକଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତା’ପରେ ଗାଁର ଅନ୍ୟ କିଛି ଲୋକ ତେଲ ଟ୍ୟାଙ୍କରରୁ ତେଲ ଓ ସ୍ନାକ୍ସ ଗାଡ଼ିରୁ ସ୍ନାକ୍ସ ଲୁଟି ବସିଥିଲେ। ପୁଲିସ ପହଞ୍ଚିବା ପୂର୍ବରୁ ବହୁତ ଜିନିଷ ଲୁଟ ହୋଇସାରିଥିଲା। ସୂଚନା ରିପୋର୍ଟ ଲେଖାଯିବା ବେଳକୁ ପୁଲିସ ଉଭୟ ଟ୍ରକକୁ ଜବତ କରି ସ୍ନାକ୍ସ ଗାଡ଼ିରେ ତାଲା ପକାଇ ବସିଛି। ଟ୍ରକ୍‌ ଦ୍ୱୟର ହେଲପର୍‌ ଫେରାର ଅଛନ୍ତି।

ସମ୍ବନ୍ଧିତ ଖବର