ଅନୁଗୁଳ, ଗଁଦିଆ/ ଯୋରନ୍ଦା : କରୋନା ସଂପର୍କରେ ଗୁଜବ ପ୍ରଚାର କରି ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାର ଦୁଇ ଜଣ ଯୁବକଙ୍କୁ ଜେଲ ଯିବାକୁ ପଡ଼ିଛି।
କଲିୟରି ଥାନା ପୁଲିସ ବିକ୍ରମପୁର ଥାନା ବଡ଼ସିଂଗଡ଼ା ଗାଁର ରିଙ୍କୁ କୁମାର ଓରଫ ଜୟକୃଷ୍ଣ ସାହୁ(୨୫) ନିଜ ଫେସ୍ବୁକ୍ ଆକାଉଣ୍ଟରେ ବଅଁରପାଳ ବ୍ଲକ୍ ନୂଆହତା ଗାଁର ଜଣେ ଯୁବକଙ୍କ କରୋନା ଭୂତାଣୁ ସଂକ୍ରମଣରେ ନୂଆଦିଲ୍ଲୀରେ ମୃତ୍ୟୁ ଘଟିଥିବା ନେଇ ମିଥ୍ୟା ଖବର ପୋଷ୍ଟ କରିଥିଲେ। ଏହା ଜାଣିବା ପରେ କଲିୟରି ଥାନାର ଏକ ଟିମ୍ ୧୭ ତାରିଖ ରାତି ୮ଟା ୫୦ରେ ସେଠାରେ ପହଂଚି ଥିଲା। ପୁଲିସକୁ ଦେଖି ଜୟକୃଷ୍ଣ ଦୌଡ଼ି ପଳାଇଥିଲା। ମାତ୍ର ପୁଲିସ ତାକୁ ଗୋଡ଼େଇ ଧରିବାରେ ସକ୍ଷମ ହୋଇଥିଲା। ସେହିପରି ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଅନ୍ତର୍ଗତ ଖଙ୍କିରା ଗ୍ରାମର ତାପସ କୁମାର ବାରିକ(୩୩) ତାଙ୍କ ଗାଁ ତାରିଣୀ ମନ୍ଦିର ନିକଟରେ ବନ୍ଧୁ ସଂଗ୍ରାମକେଶରୀ ପାତ୍ରଙ୍କ ଫଟୋ ଉଠାଇଥିଲେ ଏବଂ ତାରିଣୀ ଛକରେ କରୋନା ରୋଗୀ ଲେଖି ଗତକାଲି ଦିନ ଗୋଟାଏ ବେଳେ ନିଜ ଫେସ୍ବୁକ୍ରେ ପୋଷ୍ଟ କରିଥିଲେ। ଏହି ଫଟୋ ଭାଇରାଲ୍ ହେବା ପରେ ଏସ୍ପି ଅନୁପମା ଜେମ୍ସ ଏହାର ତଦନ୍ତ ପାଇଁ ନିହଲପ୍ରସାଦ ଥାନାକୁ ନିର୍ଦେଶ ଦେଇଥିଲେ। ଥାନାର ଏସ୍ଆଇ ପ୍ରଶାନ୍ତ କୁମାର ଲେଙ୍କା ଏହାର ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିଥିଲେ।